କଣ୍ଟାବାଂଝି ବିଧାନସଭା ନିର୍ବାଚନକୁ ନେଇ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଖାରଜ

କଟକ : କଣ୍ଟାବାଂଝି ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ଅଭିଯୋଗର ସିବିଆଇ ତଦନ୍ତ ପାଇଁ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁବ୍ରତ କୁମାର ଛାଟୋଇଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶ୍ବିନୀ କୁମାର ଦାସ ଓ ସୋନାଲୀ ଦାସ ଏବଂ ଇଲେକ୍ସନ କମିସନ୍ ଅଫ୍ ଇଣ୍ଡିଆ ତରଫରୁ ଷ୍ଟାଣ୍ଡିଂ କାଉନସିଲ ଗୋପଳ ଅଗ୍ରୱ‌ାଲ ମାମଲା ପରିଚାଳନା କରୁଥିଲେ।

ଜନସ୍ବାର୍ଥ ମାମଲା ଆବେଦନରେ ଦର୍ଶାଯାଇଥିଲା ଯେ ବିଧାନସଭା ନିର୍ବାଚନ ପରେ କଣ୍ଟାବାଂଝି ବିଧାନସଭା ଆସନ ନିର୍ବାଚନ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣିଥିବା ବେଳେ ଘଟଣାର ସିବିଆଇ ତଦନ୍ତ କରାଯାଉ। ଏଥି ସହିତ ଏଭଳି ଅନିୟମିତତା ପାଇଁ କଣ୍ଟାବାଂଝି ବିଧାନସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ଜନସ୍ବାର୍ଥ ମାମଲା ଦାୟର କରାଯିବା ଗ୍ରହଣୀୟ ନୁହେଁ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା।

ସମ୍ବନ୍ଧିତ ଖବର