ଫନି ସହାୟତା ନେଇ ଜନସ୍ବାର୍ଥ ମାମଲା

କଟକ : ବାତ୍ୟା ଫନି ପ୍ରଭାବିତ ଅଞ୍ଚଳରେ ତରୁନ୍ତ ରିଲିଫ୍, ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଦାୟର ଏହି ମାମଲାରେ ଦର୍ଶାଯାଇଛି ଯେ କଟକ, ଭୁବନେଶ୍ବର, ପୁରୀ ଓ ଅନ୍ୟାନ୍ୟ ଜିଲ୍ଲାରେ ଫନି ବିପୁଳ କ୍ଷୟକ୍ଷତି କରିଛି। ସହରାଞ୍ଚଳ ଓ ଗ୍ରାମାଞ୍ଚ‌ଳରେ ଘର ସବୁ ଭାଙ୍ଗି ଯାଇଛି। ବିଦ୍ୟୁତ ଖୁଣ୍ଟ ଉପୁଡିଯାଇଥିବା ବେଳେ ତାର ସବୁ ଛିଣ୍ଡି ଯାଇଛି। ପାନୀୟ ଜଳ ଯୋଗାଣ ହୋଇ ପାରୁ ନାହିଁ। ରିଲିଫ, ବିଦ୍ୟୁତ ସଂଯୋଗ, ପାନୀୟ ଜଳ, ଟେ‌ଲିଫୋନ୍ ସେବା ଓ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଯୋଗାଇବାରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଛନ୍ତି। ରିଲିଫ୍ ଓ ଥଇଥାନ ପ୍ରସଂଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ବାଇଁ ପରିଚାଳନା କରୁଛନ୍ତି। ମାମଲାରେ ସ୍ବତନ୍ତ୍ର ରିଲିଫ କମିସନର, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାପାଳ, ରାଜ୍ୟ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର