କଟକ : ବାତ୍ୟା ଫନି ଜନିତ ମହାବିପର୍ଯ୍ୟୟକୁ ଜାତୀୟ ବିପତ୍ତି ଘୋଷଣା ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ବିପୁଳ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଫନିକୁ ଜାତୀୟ ବିପତ୍ତି ଘୋଷଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବା ଆବଶ୍ୟକ। ଏଥି ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସାମାଜିକ କର୍ମୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଦାୟର ଏହି ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି।
ଆବେଦନରେ ଦର୍ଶାଯାଇଛି ଯେ ପ୍ରଳୟଙ୍କରୀ ଫନି ବାତ୍ୟାରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ନିକଟ ସଂପର୍କିୟଙ୍କୁ ୧ କୋଟି ଟଙ୍କା ଓ ଗୁରୁତର ଆହତଙ୍କୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଉ। ଫନିରେ ଏ ପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନଥିବାରୁ ଏପରି ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଫନିରେ ସାଧାରଣ ଜନତାଙ୍କ ମୃତ୍ୟୁ ପାଇଁ ଦାୟୀ ସରକାରୀ ଅଧିକାରୀଙ୍କ ବିରୋଧରେ ଆଇପିସିର ଦଫା ୩୦୪ରେ ମାମଲା ରୁଜୁ କରାଯିବା ସହିତ ମରାମତି କାର୍ଯ୍ୟ ତ୍ବରାନ୍ବିତ କରାଯିବା ଆବଶ୍ୟକ। ଫନି ଦ୍ବାରା କ୍ଷତିଗ୍ରସ୍ତଙ୍କ ନିକଟରେ ସମୟରେ ରିଲିଫ୍ ପହଞ୍ଚି ପାରୁ ନାହିଁ। ଫନିରେ ହୋଇଥିବା କ୍ଷୟକ୍ଷତି କଳ୍ପନା ବାହାରେ ହୋଇଥିବା ବେଳେ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ ମୁତୟନ କରିବା ଜରୁରି। ରିଲିଫ, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ଯୋଗାଣ, ଟେଲିଫୋନ୍ ସେବା ଓ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଯୋଗାଇବାରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ ମିଳୁ ନାହିଁ। ବିଭିନ୍ନ ଦ୍ରବ୍ୟର କଳାବଜାରରେ ବିକ୍ରି ଚାଲିଛି। ଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟର ତଦାରଖ ପାଇଁ ଜଣେ ବିଚାରବିଭାଗୀୟ ଅଧିକାରୀଙ୍କୁ ନେଇ କମିଟି ଗଠନ କରାଯାଉ। ଫନି କ୍ଷତିଗ୍ରସ୍ତଙ୍କ ପାଇଁ ଆସିଥିବା ପାଣ୍ଠିର ଠିକ୍ ଭାବେ ଉପଯୋଗ ହେଉଛି କି ନାହିଁ ତାହା ତଦାରଖ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/fani1-4.jpg)