ଲିଙ୍ଗରାଜଙ୍କ ଜମିକୁ ବେଆଇନ ଭାବେ ଲିଜ୍ ପ୍ରଦାନ ଅଭିଯୋଗ ନେଇ ଜନସ୍ବାର୍ଥ ମାମଲା

କଟକ : ମହାପ୍ରଭୁ ଲିଙ୍ଗରାଜଙ୍କ ମୂଲ୍ୟବାନ ଜମିକୁ ବେଆଇନ୍ ଭାବେ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଇଛି ଅଭିଯୋଗ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଭୁବନେଶ୍ବରର ଭୀମପୁର ମୌଜାରେ ଥିବା ଲିଙ୍ଗରାଜ ମହାପ୍ରଭୁଙ୍କ ୨ ଏକର ୩୫୬ ଡିସିମିଲ ଜମିକୁ ବେଆଇନ ଭାବେ ଘରୋଇ ସଂସ୍ଥାକୁ ୯୯ ବର୍ଷ ଲାଗି ଲିଜ୍ ଦିଆଯାଇଛି। ବିମାନବନ୍ଦର ନିକଟରେ ଥିବା ଠାକୁରଙ୍କ ଜମି ବିକ୍ରି ପାଇଁ ଅନୁମତି ଲୋଡି ଲିଙ୍ଗରାଜ ମନ୍ଦିର ପ୍ରଶାସନ ଦେବୋତ୍ତର କମିସନରଙ୍କ ନିକଟରେ ୨୦୧୭ରେ ଆବେଦନ କରିଥିଲା। ଏ ସଂପର୍କିତ ମାମଲାର ଶୁଣାଣି କରି ଦେବୋତ୍ତର କମିସନର ୨୦୧୯, ମେ ୨ରେ ଅନୁମତି ଦେଇଥିଲେ। ଘରୋଇ ସଂସ୍ଥାକୁ କେଉଁ ପରିସ୍ଥିତିରେ ଲିଙ୍ଗରାଜ ମହାପ୍ରଭୁଙ୍କ ଜମି ଲିଜ୍ ଦିଆଗଲା ତାହାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଦେବୋତ୍ତର କମିସନରଙ୍କ ଏ ସଂପର୍କିତ ରାୟ ରଦ୍ଦ କରିବା ସହିତ ସମଗ୍ର ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଏହି ପ୍ରସଂଗରେ ଆବେଦନକାରୀ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏପରି ପରିସ୍ଥିତିରେ ଲିଙ୍ଗରାଜ ମହାପ୍ରଭୁଙ୍କ ସଂପତ୍ତି ସୁରକ୍ଷା ପ୍ରସଂଗରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି ଦର୍ଶାଇଛନ୍ତି। ମାମଲାରେ ଦେବୋତ୍ତର କମିଶନ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଲିଙ୍ଗରାଜ ମନ୍ଦିର ପ୍ରଶାସନ ଆଇନ ସଚିବ, ରାଜସ୍ୱ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର