ଭୁବନେଶ୍ୱର : ଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ବିବାଦ ଏବେ କୋର୍ଟରେ ପହଞ୍ଚିଛି। ଏ ନେଇ ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ ଓ ସାହିତ୍ୟ ପତ୍ରିକା ‘ଓଡ଼ିଆ ପର୍ବ’ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଗତ ୫ ତାରିଖ ଓଡ଼ିଶା ହାଇକୋର୍ଟରେ ଦାୟର ହୋଇଛି। ‘ରସଗୋଲା’କୁ ଓଡ଼ିଶା ପରିଚିତି ମିଳିବା ଓ ଜିଆଇ ମାନ୍ୟତା ନେଇ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିଟିସନ୍ରେ ଉଲ୍ଲେଖ ଥିବା ବେଳେ ଏନେଇ ଏକ ଆଇପି ସେଲ୍ ଗଠନ କରାଯିବାକୁ ଏଥିରେ ଅନୁରୋଧ କରାଯାଇଛି ବୋଲି ଆଜି ସ୍ଥାନୀୟ ରେଡ୍କ୍ରସ୍ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ।
ଏହି ଅବସରରେ ରସଗୋଲା ଗବେଷକ ଅସିତ ମହାନ୍ତି ଉପସ୍ଥିତ ରହି ଏହି ଲଢ଼େଇରେ ସମସ୍ତେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି। ଏଥିସହ ଗତ ନଭେମ୍ବର ୧୪ ତାରିଖରେ ପଶ୍ଚିମବଙ୍ଗକୁ ‘ବାଂଲାର ରସଗୋଲା’ ନାଁରେ ମିଳିଥିବା ଜିଆଇ ମାନ୍ୟତାକୁ ୩ ମାସ ପୂର୍ତ୍ତିକୁ ଆଉ ୩ ଦିନ ବାକି ଅଛି। ଏହା ପୂର୍ବରୁ ଭୁଲ୍ ତଥ୍ୟ ଉପସ୍ଥାପନ କରି ପାଇଥିବା ଏହି ମାନ୍ୟତାକୁ ରଦ୍ଦ ନିମନ୍ତେ ଆବେଦନପତ୍ର ଦାଖଲ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି।
୭୦୦/୮୦୦ ବର୍ଷ ତଳୁ ଶ୍ରୀମନ୍ଦିରରେ ରସଗୋଲା ଏକ ଭୋଗ ଭାବେ ପ୍ରଚଳିତ ହୋଇଥିଲା। ୫୦୦ ବର୍ଷ ତଳେ ଭକ୍ତକବି ବଳରାମ ଦାସ ‘ଦାଣ୍ଡି ରାମାୟଣ’ ତାଳପତ୍ର ପୋଥିରେ ରସଗୋଲାର ବ୍ୟାଖ୍ୟାନ କରିଥିଲେ। କିନ୍ତୁ ଦେଢ଼ ଶହ ବର୍ଷ ତଳେ ଓଡ଼ିଆ କାରିଗରଙ୍କଠାରୁ ରସଗୋଲା ତିଆରି ଶିଖିଥିବା ପଶ୍ଚିମବଙ୍ଗବାସୀ ଏ ନେଇ ଜିଆଇ ମାନ୍ୟତା ପାଇବା ଅତି ଦୁର୍ଭାଗ୍ୟଜନକ। ବିଳମ୍ବ ହୋଇଥିଲେ ବି ଏନେଇ ସମସ୍ତେ ଏକତ୍ର ଲଢ଼ିବାକୁ ସମ୍ମିଳନୀରେ ଆହ୍ଵାନ ଦିଆଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ପୁଣ୍ୟ ଉତ୍କଳର ମହାସଚିବ ସିଦ୍ଧାର୍ଥ ମହାନ୍ତି, ସଂଗଠକ ସଂପାଦକ ସୁଶାନ୍ତ, ପୁଣ୍ୟ ଉତ୍କଳ ସାପ୍ତାହିକର ସମ୍ପାଦକ ତୁଷାରକାନ୍ତ ଜେନା ଓ ଓଡ଼ିଆ ପର୍ବର ସମ୍ପାଦକ ସନ୍ତୋଷ କୁମାର ସାହୁ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Odisha-HC-5.jpg)