ପୁରୀରେ ମଠ ଉଚ୍ଛେଦକୁ ବିରୋଧ; ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ : ଶହ ଶହ ବର୍ଷ ଧରି ହିନ୍ଦୁ ସଂସ୍କୃତିର ମାନ ମର୍ଯ୍ୟାଦା ବୃଦ୍ଧି କରିଥିବା ପୁରୀର ମଠଗୁଡ଼ିକୁ ଉଚ୍ଛେଦ ବିରୋଧରେ ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଆବେଦନରେ ଦର୍ଶାଯାଇଛି ଯେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଥିବା ମଠ ଓ ମନ୍ଦିରଗୁଡ଼ିକୁ ଯେଉଁ ଭଳି ଢଙ୍ଗରେ ପ୍ରଶାସନ ଉଚ୍ଛେଦ କରୁଛି ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ବିକାଶର ଦ୍ବାହି ଦେଇ ସ୍ବେଚ୍ଛା‌ଚାରୀ ଢଙ୍ଗରେ ଶହ ଶହ ବର୍ଷର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଅଙ୍ଗ ପାଲଟି ଥିବା ମଠମନ୍ଦିରଗୁଡ଼ିକ ଭାଙ୍ଗି ମାଟିରେ ମିଶାଇ ଦିଆଯାଉଛି। ଏହି ଐତିହାସିକ ଓ ଆଧ୍ୟାତ୍ମିକ ମହତ୍ବ ରଖୁଥିବା ମଠ ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକ ଭଙ୍ଗା ଯିବା ଦ୍ବାରା ହିନ୍ଦୁଙ୍କ ଧାର୍ମିକ ଭାବନା ପ୍ରତି ଶକ୍ତ ଆଘାତ ଲାଗିଛି ବୋଲି ଆବେଦନରେ ଦର୍ଶାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ଦୃଷ୍ଟି କୋଣରୁ ଚାରି ପାଖରେ ଥିବା ମଠ ଓ ମନ୍ଦିର ଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏଗୁଡ଼ିକୁ ଉନ୍ନୟନ ନାମରେ ଉଚ୍ଛେଦ କରାଯିବା ଉଚିତ ନୁହେଁ। ପୁରୀ ପୌରପାଳିକା ପକ୍ଷରୁ ଅଗଷ୍ଟ ୨୭ରେ ଏମାର ମଠର ମହନ୍ତଙ୍କୁ ଉଚ୍ଛେଦ ପ୍ରସଂଗରେ ନୋଟିସ୍ ଜାରି କରାଯାଇଥିବା ବେଳେ ପକ୍ଷ ରଖିବାକୁ ସମୟ ମଧ୍ୟ ସମୟ ପ୍ରଦାନ କରାଯାଇ ନ ଥିଲା। ଏପରି ଭାବେ ଅନ୍ୟ ମଠଗୁଡ଼ିକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ଏପରି ପ୍ରକ୍ରିୟା ବେଆଇନ ହୋଇଥିବା ବେଳେ ପ୍ରଶାସନ କିନ୍ତୁ ଏକତରଫା ଭାବେ ନିଷ୍ପତ୍ତି ନେଇ ଉଚ୍ଛେଦ ଜାରି ରଖିଛି ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରାଜସ୍ବ ସଚିବ, ପୁଲିସ ଡିଜି, ପୁରୀ ଜିଲ୍ଲାପାଳ, ଏସ୍‌ପି, ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଓ ପୁରୀ ସଦର ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଓଡ଼ିଶା ସୁରକ୍ଷା ସେନାର ଗିରିଜା ପ୍ରସନ୍ନ ଦାସ, ସବ୍ୟସାଚୀ ଶତପଥୀ ଓ ଦିନେଶ ଅଗ୍ରୱାଲଙ୍କ ତରଫରୁ ଆଇନଜୀବୀ ରମାକାନ୍ତ ପଣ୍ଡା ଓ ସତ୍ୟବ୍ରତ ପଣ୍ଡା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର