କୁଆଖାଇ ନଦୀରୁ ବାଲି ଚୋରାଚାଲାଣ, ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ ପ୍ରସଂଗକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ବାରଙ୍ଗ ତହସିଲ ଅନ୍ତର୍ଗତ କୁଆଖିଆ ନଦୀ ପଠାରୁ ପ୍ରତି ଦିନ ହଜାର ହାଜର ଟ୍ରିପ୍‌ ବାଲି ଚୋରା ଚାଲାଣ କରାଯାଉଛି। ଦୁଇ ଶହରୁ ଅଧିକ ଟ୍ରାକ୍ଟର, ଟ୍ରକ, ଡମ୍ପର ଏପରି ବେଆଇନ ବାଲି ଚାଲାଣରେ ସଂପୃକ୍ତ ଅଛନ୍ତି। ତି୍ରଶୂଳିଆ, ମୁଣ୍ଡ ମୁହାଣ, ଗୋଠପୁର, ଜୟପୁର, ନୂଆସାହି ଅଞ୍ଚଳରୁ ଏପରି ବାଲି ଚାଲାଣ ବେଧଡ଼କ ଭାବେ କରାଯାଉଛି। ଦିନରାତି ଏପରି କାର୍ଯ୍ୟ ଚାଲିଥିବା ବେଳେ ପ୍ରତିଦିନ ଶତାଧିକ ଟ୍ରିପ୍‌ ବାଲି କୁଆଖାଇ ନଦୀ ପଠାରୁ ବେଆଇନ୍‌ ଭାବେ ଚାଲାଣ କରାଯାଉଛି। ଚୋରା ବାଲି ପରିବହନ ସମୟରେ ଧୂଳି ଉଡି ବାୟୁ ପ୍ରଦୂଷଣ ହେଉଛି। ଏଥି ସହିତ ସମଗ୍ର ଘଟଣା ସଂପର୍କରେ ବାରଙ୍ଗ ତହସିଲ କର୍ମଚାରୀ ଓ ପୁଲିସ ଅବଗତ ଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ତୁରନ୍ତ ବାଲି ଚୋରା ଚାଲାଣ ରୋକିବା ଆବଶ୍ୟକ। ଏଥି ପାଇଁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଉ। ପୁଲିସ ପାଟ୍ରୋଲିଂ କଡା କଡି କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଆଇନ ସଚିବ, ରାଜସ୍ୱ ସଚିବ, କଟକ ଜିଲ୍ଲାପାଳ, ପୁଲିସ କମିସନର, ଡିସିପି, ବାରଙ୍ଗ ତହସିଲଦାର, ଥାନା ଅଧିକାରୀ, କଟକ ସଦର ଉପଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଆରଡିସି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର