ଶ୍ରୀଜଗନ୍ନାଥଙ୍କ ଭୂ ସଂପତ୍ତି ଉଦ୍ଧାର ପାଇଁ ହାଇକୋର୍ଟରେ ମାମଲା

କଟକ : ଜଗନ୍ନାଥ ମହାପ୍ରଭୁଙ୍କ ଭୂସଂପତ୍ତି ଉଦ୍ଧାର ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ବିଭିନ୍ନ ରାଜ୍ୟରେ ତଥା ରାଜ୍ୟ ଭିତରେ ଜଗନ୍ନାଥଙ୍କ ବିପୁଳ ସଂପତ୍ତି ରହିଥିବା ବେଳେ ଏହି ସଂପତ୍ତି ଉଦ୍ଧାର କରାଯିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ଦର୍ଶାଇ ପୁରୀ ଜିଲା ଚନ୍ଦନପୁର ଅଞ୍ଚଳର ବାସିନ୍ଦା ଶରତ ଚନ୍ଦ୍ର ସାହୁ ଓ ଏସ.ଏନ.ବାନାର୍ଜୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ରାଜ୍ୟ ଭିତରେ ଓ ପଡ଼ୋଶୀ ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଜଗନ୍ନାଥଙ୍କ ୫୬ହଜାର ଏକର ସଂପତ୍ତି ଜବରଦଖଲରେ ରହିଛି। ଜବରଦଖଲରେ ଥିବା ଏହି ସଂପତ୍ତିର ଆନୁମାନିକ ମୂଲ୍ୟ ୧୦ହଜାର କୋଟି ଟଙ୍କାରୁ ଅଧିକ ହେବ। ଏଥି ମଧ୍ୟରୁ କେବଳ ପୁରୀ ଜିଲ୍ଲାରେ ୨ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭୂସଂପତ୍ତି ରହିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସରକାରୀ ଅଧିକାରୀଙ୍କୁ ହାତ କରି ଓ ଚଞ୍ଚକତା କରି ଲୋକମାନେ ଅଧିକାଂଶ ଜମି ନିଜ ନାଁରେ ରେକର୍ଡ କରାଇ ନେଲେଣି। ଏହି ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ସରକାର ଅବହେଳା କରୁଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

୨୦୧୫ ମସିହାରେ ସୁପ୍ରିମକୋର୍ଟ ଏକ ମାମଲାରେ ଶୁଣାଣି କରି ମହାପ୍ରଭୁଙ୍କ ସଂପତ୍ତି ଉଦ୍ଧାର କରି ଠାକୁରଙ୍କ ନାମରେ ରେକର୍ଡଭୁକ୍ତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ଏ ପର୍ଯ୍ୟନ୍ତ ପାଳନ କରାଯାଇ ନାହିଁ। ଘଟଣାର ତଦନ୍ତ କରି ଅସାଧୁ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ଆଇନ ବିଭାଗ ପଦକ୍ଷେପ ନେବା ଜରୁରୀ ବୋଲି ଆବେଦନରେ ଦର୍ଶାଯାଇଛି। ସରକାର ଏ ଦିଗରେ ତତ୍ପରତା ପ୍ରକାଶ କରିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାରେ ମୁଖ୍ୟ ଶାସନ ସଚିବ, ଆଇନ ସଚିବ, ରାଜସ୍ୱ ବିଭାଗ ସଚିବ, ଭିଜିଲାନ୍ସ ନିର୍ଦ୍ଦେଶକ, ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର