ପିଲେଟ୍‌ ଉତ୍ପାଦନ ବାଧାପ୍ରାପ୍ତ, ମିଳୁଛି ଅଧା ଲୁହାପଥର

ଦୃଷ୍ଟି ଆକର୍ଷଣ କଲେ ପିଲେଟ୍‌ ଉତ୍ପାଦକ ସଂଘ, ତଥ୍ୟ ମାଗିଲା ଖଣି ନିର୍ଦ୍ଦେଶାଳୟ

କେନ୍ଦୁଝର : ପିଲେଟ୍‌ ଉତ୍ପାଦନକାରୀ କମ୍ପାନିଗୁଡ଼ିକୁ ମିଳୁନି ପର୍ଯ୍ୟାପ୍ତ ପରିମାଣର ଲୁହାପଥର। ଫଳରେ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଏପରିକି ଏବେ ଏମାନଙ୍କୁ ଆବଶ୍ୟକ ତୁଳନାରେ ଅଧା ଲୁହାପଥର ମିଳୁଛି। ଯାହା ଫଳରେ ପିଲେଟ୍‌ ଉତ୍ପାଦନ କରୁଥିବା କମ୍ପାନିଗୁଡ଼ିକ ସଙ୍କଟ ଦେଇ ଗତି କରୁଛନ୍ତି।

ଗତ କିଛି ମାସ ହେଲା ଲୁହାପଥର ମୂଲ୍ୟ ଅହେତୁକ ବୃଦ୍ଧି ସହିତ ନିଅଣ୍ଟିଆ ଲୁହାପଥର ଯୋଗାଣ ଯୋଗୁଁ ପିଲେଟ ଉତ୍ପାଦନ କରୁଥିବା ଶିଳ୍ପଗୁଡ଼ିକ ଭୟଙ୍କର ଭାବେ ପ୍ରଭାବିତ ହୋଇଛନ୍ତି। ଖଣି ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ବିଭିନ୍ନ ପିଲେଟ ଶିଳ୍ପକୁ ଲୁହାପଥର ପର୍ଯ୍ୟାପ୍ତ ମିଳୁ ନ ଥିବାରୁ ପିଲେଟ ମାନୁଫାକଚର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(ପିଏମ୍‌ଏଆଇ) ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଖଣି ନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ଭେଟି ସେମାନଙ୍କର ସମସ୍ୟା ଜଣାଇଥିଲେ। ଆବଶ୍ୟକତାଠାରୁ ଅଧା ଲୁହାପଥର ମିଳୁଥିବା ସଂପର୍କରେ ଜଣାଇଥିଲେ। ଏହାପରେ ଖଣି ନିର୍ଦ୍ଦେଶାଳୟ (ପିଏମ୍‌ଏଆଇ)କୁ ଏକ ଚିଠି କରିଛି।

ସମସ୍ତ ପିଲେଟ୍‌ ଶିଳ୍ପ କେତେ ପରିମାଣର ଲୁହାପଥର କ୍ରୟ କରୁଛନ୍ତି, ଏହା କେଉଁ ଗ୍ରେଡ୍‌ର, ଉତ୍ପାଦିତ ପିଲେଟ୍‌ ମଧ୍ୟରୁ ଦେଶ ଭିତରେ କାହାକୁ କେତେ ବିକ୍ରି କରଯାଇଛି ଏବଂ ବିଦେଶକୁ କେତେ ରପ୍ତାନି ହେଉଛି ଆଦି ସଂପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ (ପିଏମ୍‌ଏଆଇ)କୁ କୁହାଯାଇଛି। ଅପର ପକ୍ଷେ ଗତ ବର୍ଷକ ମଧ୍ୟ୍ୟରେ ଲୁହାପଥର ମୂଲ୍ୟର ଅହେତୁକ ବୃଦ୍ଧି ନେଇ ମଧ୍ୟ ପିଏମ୍‌ଏଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିବା ଜଣାଯାଇଛି।

ପୂର୍ବରୁ ମଧ୍ୟ ବିଭିନ୍ନ ଇସ୍ପାତ କାରଖାନା ପକ୍ଷରୁ ମଧ୍ୟ ଇ- ଟେଣ୍ଡର ଏବଂ ଇସ୍ପାତ ଦରବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ ଦର୍ଶାଇଛନ୍ତି ଯେ ୨୦୧୯-୨୦ ଆର୍ଥିକ ବର୍ଷରେ ୧୪୨ ମିଲିୟନ ଟନ୍ ଲୁହାପଥର ଉତ୍ତୋଳନ ହୋଇଥିବା ବେଳେ ୨୦୨୦-୨୧ରେ ୧୧୧ ମିଲିୟନ ଟନ୍ ଉତ୍ତୋଳନ ହୋଇଛି। ଅର୍ଥାତ୍ ୩୧ ମିଲିୟନ୍‌ ଟନ୍‌ କମ୍ ଲୁହାପଥର ଉତ୍ତୋଳନ ହୋଇଛି। ତେବେ ଏହି ସମୟ ମଧ୍ୟରେ ୧୧.୬ ମିଲିୟନ୍‌ ଟନ୍‌ ଅଧିକ ଲୁହାପଥର ବାହାରକୁ ରପ୍ତାନି ହୋଇଛି। ୨୦୧୯-୨୦ରେ ୧୭.୪ ମିଲିୟନ୍ ଟନ୍ ବାହାରକୁ ରପ୍ତାନି ହୋଇଥିବା ବେଳେ ୨୦୨୦-୨୧ରେ ୨୯ ମିଲିୟନ୍ ଟନ୍ ଲୁହାପଥର ବାହାରକୁ ରତ୍ପାନି ହୋଇଛି। ରାଜ୍ୟର ଚାହିଦା ପ୍ରକାରେ ଗତ ୨ ବର୍ଷରେ ୪୨ ମିଲିୟନ୍ ଟନ୍ ଲୁହାପଥର କମ୍ ରହିଛି। ସେହିପରି ୨୦୨୦ରେ ଜୁନରେ ଲୁହାପଥର ଟନ୍ ପ୍ରତି ମୂଲ୍ୟ ୨୨୦୦ ଟଙ୍କା ଥିବା ବେଳେ ଏବେ ଏହାର ମୂଲ୍ୟ ୧୧ ହଜାର ୬୧୨ ଟଙ୍କାରେ ପହଞ୍ଚିଛି। ଉତ୍ପାଦନ ହ୍ରାସ ସାଙ୍ଗକୁ ମୂଲ୍ୟ ବୃଦ୍ଧି ଇସ୍ପାତ ଶିଳ୍ପକୁ ସଙ୍ଗିନ ସ୍ଥିତିରେ ପହଞ୍ଚାଇଛି ବୋଲି ଇସ୍ପାତ ଶିଳ୍ପ ସଂଘ ପକ୍ଷରୁ କୁହାଯାଇଥିଲା। ବର୍ତ୍ତମାନ ପିଲେଟ ମାନୁଫାକଚର୍ସ ଅଫ୍‌ ଇଣ୍ଡିଆ ଖଣି ନିର୍ଦ୍ଦେଶାଳୟର ଦୃଷ୍ଟି ଆକର୍ଷଣ କରି ସମାନ କଥା ଦୋହରାଇଛି।

ସମ୍ବନ୍ଧିତ ଖବର