ଜଳେଶ୍ବର: ତୀର୍ଥଯାତ୍ରୀ ବସ୍‌ ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିପଡ଼ିବାରୁ ଜଣେ ମହିଳାଙ୍କ ସହ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୫୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ସୂଚନା ଅନୁସାରେ; ଚଳିତ ମାସ ୧୮ ତାରିଖରେ ୟୁପି-୫୧-ଏଟି-୬୨୯୭ ନମ୍ବରର ‘କ୍ରିଷ୍ଣା’ ନାମକ ଏକ ଘରୋଇ ବସ୍‌ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରୁ ତୀର୍ଥଯାତ୍ରୀଙ୍କୁ ନେଇ ବାହାରିଥିଲା।

Advertisment

ବସ୍‌ରେ କର୍ମଚାରୀଙ୍କ ସହ ସିଦ୍ଧାର୍ଥନଗର ଓ ବଳରାମପୁର ଜିଲ୍ଲାର ମୋଟ ୬୦ ଜଣ ଯାତ୍ରୀ ଥିଲେ। ସେମାନେ ବନାରସ, ଗୟା, ଗଙ୍ଗାସାଗର, କୋଲକତା ଆଦି ସ୍ଥାନ ବୁଲିବା ପରେ ଗତକାଲି ଅପରାହ୍‌ଣ ୨ଟା ବେଳେ କୋଲକାତାର ବାବୁଘାଟରୁ ପୁରୀ ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଜଳେଶ୍ୱର ଥାନା ତରିବତପୁର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ୍‌ ତଳ ବିଲକୁ ଓଲଟି ପଡ଼ିଥିଲା। ବସ୍‌ ତଳେ ଓ ଭିତରେ ଯାତ୍ରୀମାନେ ଚାପି ହୋଇ ରହିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ଜଳେଶ୍ବର ଥାନା ଆଇଆଇସି ରଞ୍ଜନ କୁମାର ସେଠୀ ଓ କର୍ମଚାରୀଙ୍କ ସହ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ।

ଆହତ ଓ ଗୁରୁତର ଯାତ୍ରୀମାନଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲ୍‌କୁ ନିଆଯାଇଥିବାବେଳେ ସେଠାରେ ଡାକ୍ତର ସିଦ୍ଧାର୍ଥନଗର ଜିଲ୍ଲା ଇଟୱା ଥାନା ଅଞ୍ଚଳର ରାମପ୍ରସାଦ ଯାଦବ (୫୫), ବଳରାମପୁର ଜିଲ୍ଲା ଗୌର ଚାଉରା ଥାନା ଅଞ୍ଚଳର ରାଜେଶ କୁମାର ମିଶ୍ରା (୫୮) ଓ କଲମା ଦେବୀ (୭୦)ଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ୨୫ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଖାନା ନେବା ବାଟରେ ସିଦ୍ଧାର୍ଥନଗର ଜିଲ୍ଲା ଇଟୱା ଥାନା ଅଞ୍ଚଳର ସାନ୍ତାରାମ ଯାଦବ (୬୦)ଙ୍କ ମୃତ୍ୟୁ ଘଟିଥିଲା।