ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନ୍ ଆଜି ଛାଡ଼ିବ, ବାଲେଶ୍ୱରରୁ ଯିବ ହରିଦ୍ୱାର

ଭୁବନେଶ୍ବର : ଭାରତୀୟ ରେଳପଥ ପକ୍ଷରୁ ଶୁକ୍ରବାର ବାଲେଶ୍ୱର ଓ ହରିଦ୍ୱାର ମଧ୍ୟରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ରାଜ୍ୟ ସରକାରଙ୍କ ସହାୟତାରେ ଉତ୍ତର ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ତୀର୍ଥ ଭ୍ରମଣରେ ସହାୟକ ହେବ। ଭୁବନେଶ୍ୱର-ହରିଦ୍ୱାର-ଭୁବନେଶ୍ୱର(୦୮୪୧୫/୦୮୪୧୬) ସ୍ୱତନ୍ତ୍ର ଟ୍ରେନ୍‌ ଶୁକ୍ରବାର ପୂର୍ବାହ୍ନ ୧୧ଟା ୪୫ରେ ବାଲେଶ୍ୱରଠାରୁ ଛାଡ଼ି ତା’ ପରଦିନ ରାତି ୧୦ଟା ୧୫ରେ ହରିଦ୍ବାରରେ ପହଞ୍ଚିବ। ଫେରିବା ବାଟରେ ଏହି ଟ୍ରେନ୍‌ ହରିଦ୍ୱାରଠାରୁ ଡିସେମ୍ବର ୧୬ ତାରିଖ ରାତି ୧୦ଟାରେ ଛାଡ଼ି ଡିସେମ୍ବର ୧୮ ତାରିଖ ପୂର୍ବାହ୍ନ ୧୦ଟା ୧୫ରେ ବାଲେଶ୍ବରରେ ପହଞ୍ଚିବ।

ଏହି ତୀର୍ଥ ସ୍ୱତନ୍ତ୍ର ଟ୍ରେନ ହିଜିଲି-ଆଦ୍ରା-ଗୋମୋ-ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ବାରଣାସୀ-ଲକ୍ଷ୍ନୌ ଓ ମୋରାଦାବାଦ ମାର୍ଗରେ ଚଳାଚଳ କରିବାକୁ ଥିବା ବେଳେ ଏଥିରେ ୧୫ଟି ସ୍ଲିପର କ୍ଲାସ, ୨ଟି ଗାର୍ଡ ଭ୍ୟାନ୍‌ ଓ ଗୋଟିଏ ପ୍ୟାଣ୍ଟ୍ରି କାର୍‌ ଉପଲବ୍ଧ ରହିଛି। ରାଜ୍ୟ ସରକାରଙ୍କ ପାଇଁ ଭାରତୀୟ ରେଳବାଇ କ୍ୟାଟରିଂ ଓ ଟୁରିଜିମ୍‌ କର୍ପୋରେସନ୍‌ (ଆଇଆରସିଟିସି) ଚଳାଚଳ କରାଯାଉଥିବା ବେଳେ ପୂର୍ବତଟ ରେଳପଥ ପକ୍ଷରୁ ଏଥିପାଇଁ ଆଧାରଭୁକ୍ତ ସୁବିଧା ପ୍ରଦାନ କରାଯାଉଛି। ଏହି ସମୟରେ ତୀର୍ଥଯାତ୍ରୀମାନେ ବିଭିନ୍ନ ତୀର୍ଥ ସ୍ଥାନ ଯଥା ହରିଦ୍ୱାର, ମନସାଦେବୀ ମନ୍ଦିର, ହର-କି-ପୌଡ଼ି ସହିତ ଋଷିକେଶର ରାମଝୁଲା ଓ ଲକ୍ଷ୍ମଣଝୁଲା ଇତ୍ୟାଦି ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବେ। ବିଭିନ୍ନ ତୀର୍ଥଯାତ୍ରା ପାଇଁ ସାଧାରଣ ଜନତା ଓ ତୀର୍ଥଯାତ୍ରୀମାନେ ଆଇଆର୍‌ସିଟିସି ୱେବସାଇଟ୍‌ ‘www.irctctourism.com’ ଓ ଫୋନ୍‌ ନମ୍ବର-୮୨୮୭୯୩୨୨୩୧‌‌ରେ ମଧ୍ୟ ସୂଚନା ପାଇପାରିବେ।

ସମ୍ବନ୍ଧିତ ଖବର