କେନ୍ଦୁଝର/ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସିଥିଲେ। ଆଉ ୧୦ ମିନିଟ୍ ପରେ ପୀଠରେ ପହଞ୍ଚିଥାନ୍ତେ। ବିଧିର ବିଧାନ କିଛି ଅଲଗା ଥିଲା। ମା’ଙ୍କ ଦର୍ଶନ ପୂର୍ବରୁ କୋଳେଇ ନେଲା ମୃତ୍ୟୁ। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ର ୨୦ ନମ୍ବର ଜାତୀୟ ରାଜପଥର ବାଲିଯୋଡ଼ିଠାରେ ଆଜି (ଶୁକ୍ରବାର) ଭୋରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀ ନେଇ ଯାଉଥିବା ଏକ ଟାଟା ୱିଙ୍ଗର୍ ରାସ୍ତାକଡ଼ରେ ଖରାପ ହୋଇ ଛିଡ଼ା ହୋଇଥିବା ଲୁହାପଥର ବୋଝେଇ ଟ୍ରକ୍ ପଛରେ ପିଟି ହେବାରୁ ୮ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି। ୧୧ଜଣକୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକକମାନେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧୀନ ପୋଡ଼ାମାରି ଗ୍ରାମର ମିତା ପ୍ରଧାନ (୫୦), ପୁଅ ଆକାଶ ପ୍ରଧାନ (୨୫), ବୋହୂ ଲିଜା ପ୍ରଧାନ (୨୨), ବତାଗଡ଼ ଗ୍ରାମର ବାୟାଘନ ଗୌଡ଼ (୬୫), ପୁଅ ମଦନ ଗୌଡ଼ (୩୨), ନାତି ରୁଦ୍ର ଗୌଡ଼ (୪), ପାଳଝାଡ଼ି ଗ୍ରାମର ପଦ୍ମିନୀ ଗୌଡ଼ (୩୫) ଓ ଦେଖାଳି ଗ୍ରାମର ଜୋଇଁ ବାବୁଲା ଗୌଡ଼ (୪୦)। ସେହିପରି ଆହତମାନେ ହେଲେ ହରିଓମ୍ ଗୌଡ଼ (୧୭), ବାସନ୍ତୀ ଗୌଡ଼ (୪୦), ଚିନ୍ମୟ ଗୌଡ଼ (୧୭), ଶାଲିନୀ ଗୌଡ଼ (୬), ମାମା ଗୌଡ଼ (୨୩), ସରୋଜ ଗୌଡ଼ (୪), ରଂଜିତା ଗୌଡ଼ (୧୬), ସାଇରାମ ଗୌଡ଼ (୩), ସନ୍ତୋଷିନୀ ଗୌଡ଼ (୧୭), କୁନା ଗୌଡ଼ (୩୦), ଝୁମୁରୀ ଗୌଡ଼ (୩୫), ଜଗଦୀଶ ଗୌଡ଼ (୧୫)।
ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି, ବଡ଼ଗଡ, ପାଳଝାଡ଼ି ଓ ଦେଖାଳି ଗ୍ରାମର ଦୁଇଟି ପରିବାରର ୨୦ଜଣ ସଦସ୍ୟ ପ୍ରଥମେ ଘଟଗାଁ ମା’ ତାରିଣୀ ଓ ପରେ ଜଗନ୍ନାଥଙ୍କ ଦର୍ଶନ କରି ଘରକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗୁରୁବାର ରାତି ପ୍ରାୟ ୧୧ଟା ସମୟରେ ସମସ୍ତେ ଏକ ଟାଟା ୱିଙ୍ଗର୍ (ଓଡି-୦୭-ଏଏଲ୍-୦୯୭୫)ରେ ଘଟଗାଁ ଅଭିମୁଖେ ବାହାରିଥିଲେ। ମା’ ତାରିଣୀଙ୍କ ପୀଠରେ ପହଞ୍ଚିବା ପାଇଁ ଆଉ ୧୦ ମିନିଟ୍ ଲାଗିଥାନ୍ତା। ହେଲେ ଏହା ପୂର୍ବରୁ ଭୋର ପ୍ରାୟ ୫ଟା ବେଳେ ୨୦ ନମ୍ବର ଜାତୀୟ ରାଜପଥର ବାଲିଯୋଡ଼ି ନିକଟରେ ଖରାପ ହୋଇ ଛିଡ଼ା ହୋଇଥିବା ଏକ ଲୁହାପଥର ବୋଝେଇ ଟ୍ରକ୍ ପଛରେ ୱିଙ୍ଗର୍ଟି ଖୁବ ଜୋର୍ରେ ପିଟି ହୋଇଥିଲା।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୭ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଜଣଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।
ଆହତ ୧୨ଜଣଙ୍କ ମଧ୍ୟରୁ ୧୧ଜଣ ଗୁରୁତର ଥିବାବେଳେ ଜଣଙ୍କ ଅବସ୍ଥା ସାମାନ୍ୟ ଭଲ ଅଛି। ଆହତମାନଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଡ୍ରାଇଭର ଚିତ୍ରସେନ ଗୌଡ଼ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସେ ଆତ୍ମସମର୍ପଣ କରିବା ପରେ ଡ୍ରାଇଭର ଚିତ୍ରସେନକୁ ପୁଲିସ ଗିରଫ କରିଛି। ଘଟଣାସ୍ଥଳରେ କେନ୍ଦୁଝର ଏସ୍ପି ନୀତିନ କୁଲଶକର ଡାଗୁଡ଼ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ସେହିପରି ଜିଲ୍ଲାପାଳ ଆଶିଷ୍ ଠାକ୍ରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉପସ୍ଥିତ ରହି ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପୁଲିସର ଏସ୍କର୍ଟ ଗାଡ଼ି ସହ ୪ଟି ମହାପ୍ରାୟାଣ ଗାଡ଼ିରେ ପୋଡ଼ାମାରି ସରପଞ୍ଚ ସନ୍ତୋଷ ବିଷୋୟୀଙ୍କ ତତ୍ତ୍ବାବଧାନରେ ଗାଁକୁ ପଠାଇ ଦିଆଯାଇଛି। ମୃତକଙ୍କ ଗାଁରେ ଶବ ସତ୍କାର ହେବ।