ଭୁବନେଶ୍ବର : କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ବାରା ଚାଷୀ ଓ ଗରିବ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଆସିବ। ନବରଙ୍ଗପୁର ଜିଲ୍ଲାରେ ଏହାର ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଏଥି ପାଇଁ ବଜେଟ୍ ରହିଛି ୫.୨୧ କୋଟି ଟଙ୍କା। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଚାଷୀ ଓ ଚାଷର ଉନ୍ନତି ପାଇଁ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି ଓ ଏଥି ପାଇଁ ନୂଆ ନୂଆ ଯୋଜନା ମଧ୍ୟ ହାତକୁ ନିଆଯାଇଛି। ଚାଷକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ। ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର ଉଦ୍ୟାନ କୃଷି, ମତ୍ସ୍ୟ ଓ ଅନ୍ୟ ଜଳଜୀବ ଚାଷ, କୁକୁଡ଼ା ଓ ପଶୁପାଳନ, ସୁଗନ୍ଧିତ ତୈଳ ଉତ୍ପାଦନ ଆଦି କ୍ଷେତ୍ରରେ ଚାଷୀମାନଙ୍କ ଦକ୍ଷତା ଓ ରୋଜଗାର ବୃଦ୍ଧି ପାଇବ।
ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ସହିତ କେନ୍ଦ୍ର ସରକାରଙ୍କ ୧୨ଟି ଗବେଷଣା ଓ ବିକାଶ ସଂସ୍ଥା ସହଯୋଗ କରୁଛନ୍ତି। ସିଏସ୍ଆଇଆର୍, ଆଇସିଏଆର୍, ଆଇସିଏମ୍ଆର୍, ବାୟୋ ଟେକ୍ନୋଲୋଜି ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ୧୨ଟି ସଂସ୍ଥା ଏଥିରେ ସହଯୋଗ କରୁଛନ୍ତି। କାର୍ଯ୍ୟକ୍ରମ ଜରିଆରେ ଉଚ୍ଚ ଅମଳକ୍ଷମ ଫଳ ଓ ପନିପରିବା ଚାଷ, ଉନ୍ନତମାନର ଚାରା ଯୋଗାଣ କରାଯାଇ ବ୍ୟବସାୟିକ ନର୍ସରି ପ୍ରତିଷ୍ଠା, ମକା, କନ୍ଦମୂଳ ଆଦି ପନିପରିବାର ଚାଷ, ଲେମନ୍ ଗ୍ରାସ୍ ଓ ହଳଦୀ ପରି ସୁଗନ୍ଧିତ ଦ୍ରବ୍ୟ ଚାଷ, ତୈଳ ଉତ୍ପାଦନ, ଅଗରବତୀ, ମଶାଧୂପ ଆଦି ଦ୍ରବ୍ୟର ଉତ୍ପାଦନ, ଜଳ ଅମଳ ପ୍ରକଳ୍ପ, ବାଡ଼ିବଗିଚାରେ ପନିପରିବାର ସହ କୁକୁଡ଼ା ଓ ମତ୍ସ୍ୟ ଚାଷ ଇତ୍ୟାଦି କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହିସବୁ କ୍ଷେତ୍ରେର ନୂଆ ନୂଆ ଜ୍ଞାନକୌଶଳର ଉପଯୋଗ କରି ଚାଷୀମାନଙ୍କ ଦକ୍ଷତା ବୃଦ୍ଧି କରାଯିବ। କୃଷି ସହିତ ସ୍ବାସ୍ଥ୍ୟ ଓ ପୁଷ୍ଟି ନିରାକରଣ, ଜୈବ ଇନ୍ଧନ ଆଦି କ୍ଷେତ୍ରରେ ମଧ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯିବ।
ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ ସାହୁ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ। ନବରଙ୍ଗପୁରରେ ସାଂସଦ, ବିଧାୟକ ଓ ଚାଷୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର ଦୁଇ ଜଣ ହିତାଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/agreculture-meet.jpg)