ପୁରୀ : ଆଶ୍ବିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ଅପରପକ୍ଷ ବୁଧବାର ଦିନ ମହାଳୟା ଅମାବାସ୍ୟାରେ ଶେଷ ହୋଇଛି। ମହାଳୟା ଅବସରରେ ପୁରୀରେ ପିତୃପକ୍ଷଙ୍କୁ ପିଣ୍ଡଦାନ ପାଇଁ ପ୍ରବଳ ସମାଗମ ହୋଇଛି। ପ୍ରତିବର୍ଷ ବାଇଶି ପାହାଚରେ ପିଣ୍ଡଦାନର ପରମ୍ପରା ଚଳିଆସୁଥିଲେ ହେଁ ଏଥର କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିଲା। ଏଥିସହ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ଲାଗି ଉତ୍ତର ଦ୍ବାର ସମ୍ମୁଖରେ ସ୍ବତନ୍ତ୍ର ଟେଣ୍ଟ୍‌ କରାଯାଇଥିଲା। ତେବେ ସୀମିତ ସ୍ଥାନ ଏବଂ ପ୍ରବଳ ସମାଗମ ଯୋଗୁ ଟେଣ୍ଟ ମଧ୍ୟରେ ପିଣ୍ଡଦାନ କରିବା ସମ୍ଭବ ହୋଇପାରିନଥିଲା। ବହୁ ଲୋକେ ବାଧ୍ୟ ହୋଇ ବାହାରେ ପିଣ୍ଡଦାନ କରିଥିଲେ। ଏଥିସହ ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ ନିକଟରେ ତର୍ପଣ କରିବାକୁ ସମାଗମ‌ ଦେଖିବାକୁ ମିଳିଥିଲା।

Advertisment

ଉତ୍କଳୀୟ ସଂସ୍କୃତିରେ ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନର ପରମ୍ପରା ରହିଛି।ମହାଳୟାକୁ ପିଣ୍ଡଦାନର ଶ୍ରେଷ୍ଠଦିନ ଭାବେ ଅଭିହିତ କରାଯାଇଥିବାରୁ ବୁଧବାର ଦିନ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରୀକ୍ଷେତ୍ରରେ ମହୋଦଧି ସମେତ ନରେନ୍ଦ୍ର, ମାର୍କଣ୍ଡେୟ, ଶ୍ବେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ନିକଟରେ ମଧ୍ୟ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣକାରୀମାନେ ତର୍ପଣ କରିଥିବା ଦେଖିବାକୁ ମିଳିଥିଲା। ପିତୃପୁରୁଷଙ୍କ ମୋକ୍ଷ ପାଇଁ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ କରିବାକୁ ଲୋକେ ପ୍ରତୀକ୍ଷା କରିଥିଲେ ମଧ୍ୟ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଆଜି ବନ୍ଦ ରଖାଯାଇଥିବାରୁ ଏହି ସୁଯୋଗ ମିଳି ନଥିଲା। ତେଣୁ ଏଥିପାଇଁ ଦୁଇଟି ଅସ୍ଥାୟୀ ସେଡ୍‌ କରାଯାଇଥିଲା। ସେଠାରେ କରୋନା ମାର୍ଗଦର୍ଶିକା ମୁତାବକ ତିଳ ପିଣ୍ଡଦାନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ପିତୃପୁରୁଷଙ୍କୁ ମହାପ୍ରସାଦ ଅର୍ପଣର ବିଧି ରହିଥିବାରୁ ଏନେଇ ମହାପ୍ରସାଦ ଉପଲବ୍ଧ ହୋଇଥିଲା। ପିତୃପକ୍ଷ ସରିବା ପରେ ଆସନ୍ତାକାଲିଠାରୁ ଶ୍ରୀମନ୍ଦିରରେ ଆଉ ୮ଦିନ ଦୁର୍ଗାମାଧବ ଉପାସନା କରାଯିବ। ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ଦୁର୍ଗାମାଧବ ବିଜେ କରିବେ। ପୁରୋହିତ ତଥା ଗବେଷକ ଲୋକନାଥ ଶତପଥୀ କହିଛନ୍ତି, ବିଧି ମୁତାବକ ମହାଳୟା ତିଥିରେ ଶ୍ରୀମନ୍ଦିର ବାଇଶି ପାହାଚରେ ଅଟାଗୁଳାରେ ପିଣ୍ଡ ତିଆରି କରି ଦାନ କରିବା ସହ ବ୍ରାହ୍ମଣଙ୍କୁ ମହାପ୍ରସାଦ ଭୋଜନ କରାଇଲେ ପିତୃପୁରୁଷ ମୋକ୍ଷ ହୁଅନ୍ତି ବୋଲି ବିଶ୍ବାସ ରହିଛି। ଏହାକୁ ‌ମୌଳାଶ୍ରାଦ୍ଧ ମଧ୍ୟ କୁହାଯାଏ। ତର୍ପଣକାରୀମାନେ ପୁଷ୍କରିଣୀ ଓ ନଦୀପଠାରେ ସୂର୍ଯ୍ୟଙ୍କୁ ସ୍ମରଣ କରି ରାଶି, କୁଶ, ଚାଉଳ ଓ ପାତ୍ରୀ ନେଇ ତର୍ପଣ କରିବାର ବିଧି ରହିଛି ବୋଲି ସେ କହିଛନ୍ତି।