ଚିକିତ୍ସା ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ହସ ଓ ରାଗ ବାଣ୍ଟି ଆସୁଥିବା ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ପିଣ୍ଟୁଙ୍କର ଲିଭର ନଷ୍ଟ ହୋଇଛି। ତାଙ୍କୁ ଉଚ୍ଚମାନର ଚିକିତ୍ସା ପାଇଁ ଦିଲ୍ଲୀ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଆଉ ଏହି କ୍ରମରେ ପିଣ୍ଟୁଙ୍କୁ ଆସନ୍ତକାଲି ଦିଲ୍ଲୀ ନିଆଯିବ | ଆସନ୍ତାକାଲି ସକାଳ ୭ଟାରେ ବିମାନ ଯୋଗେ ସେ ଦିଲ୍ଲୀ ଯିବେ | ସେଠାରେ ତାଙ୍କର ଚିକିତ୍ସା କରାଯିବ |

ଉଲ୍ଲେଖ ଥାଉ କି ତାଙ୍କର ଚିକିତ୍ସା ପାଇଁ ଅନ୍ୟୂନ ୫୦ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର ଆକଳନ କରି କହିଛନ୍ତି। ହେଲେ ଏତେ ଅର୍ଥ ଯୋଗାଡ଼ କରିବା ପିଣ୍ଟୁଙ୍କ ପାଇଁ ଅସମ୍ଭବ। ତାଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସୋସିଆଲ ମିଡିଆରେ ଅନେକ କଳାକାର ଓ ପିଣ୍ଟୁଙ୍କ ପ୍ରଶଂସକମାନେ ନିବେଦନ କରିଛନ୍ତି। ଏହା ଭିତରେ କିଛି ସହୃଦୟ ବ୍ୟକ୍ତି ମଧ୍ୟ ନିଜ ସାମର୍ଥ୍ୟ ଅନୁଯାୟୀ ତାଙ୍କୁ ସହଯୋଗର ହାତ ବଢ଼ାଇଲେଣି। ପିଣ୍ଟୁଙ୍କ ଆରୋଗ୍ୟ ପାଇଁ ଓଡ଼ିଶା ସିନେ କଳାକାର ସଙ୍ଘର ସଦସ୍ୟମାନେ ମଧ୍ୟ ଏକାଠି ହେଇଛନ୍ତି।

ଓଲିଉଡର ଲୋକପ୍ରିୟ ଅଭିନେତା  ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍‌ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ  ବି ନଜର ଆସିଛନ୍ତି। ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ କେତେକ ଉଲ୍ଲେଖନୀୟ ସିନେମା ହେଲା ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇଁ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର,  ଦୋସ୍ତି, ପ୍ରେମ ଋତୁ ଆସିଲା ‌ରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଆଦି। ତାଙ୍କ ଅଭିନୀତ ଆଲବମ୍ ଏ ଗଉରା… ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରିଥିଲା।

ସମ୍ବନ୍ଧିତ ଖବର