ସୋନପୁର: ଦୃଢ଼ ଇଚ୍ଛାଶକ୍ତି ଏବଂ ଅଧ୍ୟବସାୟ ବଳରେ ସଫଳତାକୁ ଛୁଇଁ ହୋଇଥାଏ, ଯାହାକି କରି ଦେଖାଇଛନ୍ତି ସୋନପୁର ଘୋଡ଼ାଘାଟପଡ଼ା ନିବାସୀ ଶୁକ୍ଳାମ୍ବର ପାଣିଗ୍ରାହୀ ଓରଫ ପିଣ୍ଟୁ। କଚେରି ଛକରେ ଏକଦା ପାନ ଦୋକାନ ଦେଇଥିବା ପିଣ୍ଟୁ ଆଜି ପାଉଁରୁଟି ଫ୍ୟାକ୍ଟ୍ରିର ମାଲିକ ହୋଇପାରିଛନ୍ତି। ପିଣ୍ଟୁ ସୋନପୁର ବ୍ଲକ୍‌ର ହରଡ଼ଖୋଲଠାରେ ଏବେ ଏକ ପାଉଁରୁଟି ଫ୍ୟାକ୍ଟ୍ରି କରି ନିଜେ ରୋଜଗାର କରିବା ସହ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବା ପ୍ରାୟ ୧୫ ଜଣରୁ ଅଧିକ ଯୁବକଙ୍କୁ ମଧ୍ୟ ରୋଜଗାର ଯୋଗାଇଛନ୍ତି। ପିଣ୍ଟୁ ନାମରେ ସୋନପୁରରେ ସେ ବେଶ୍‌ ଜଣାଶୁଣା।

Advertisment

ଯୁକ୍ତତିନି ପଢ଼ି ସାରିବା ପରେ ସେ କଚେରି ଛକ‌ରେ ଏକ ପାନ ଦୋକାନ ଖୋଲିଥିଲେ। ଏହାପରେ ଏକ ଓମଫେଡ୍‌ ବୁଥ ଖୋଲିଥିଲେ। ତେବେ ଓମ୍‌ଫେଡ୍‌ ବୁଥ୍‌ରେ ସେ ବିକ୍ରି କରୁଥିବା ବିଭିନ୍ନ ସାମଗ୍ରୀ ନିଜେ ପ୍ରସ୍ତୁତ କରିବା ପାଇଁ ଚିନ୍ତା କଲେ। ସେ ୨୫ ଲକ୍ଷ ଟଙ୍କା ଋଣ କରି ସୋନପୁର ବ୍ଲକ୍‌ ହରଡ଼ଖୋଲ ନିକଟରେ ପାଉଁରୁଟି ଫ୍ୟାକ୍ଟ୍ରି ଖୋଲିଲେ। ଏବେ ଏହି ଫ୍ୟାକ୍ଟ୍ରିରେ ମାସକୁ ୫ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବା କହିଛନ୍ତି ପିଣ୍ଟୁ। ଏବେ ତାଙ୍କ ବେକେରିରୁ ଜିଲ୍ଲା ବାହାରକୁ ମଧ୍ୟ ବିଭିନ୍ନ ଜିନିଷ ପଠାଯାଉଛି। ତେବେ ନିଜକୁ ମାଲିକ ଭାବେ ନଭାବି ବେକେରି କର୍ମଚାରୀଙ୍କ ସହ ନିଜେ ମଧ୍ୟ କାମ କରନ୍ତି।

ଲକ୍‌ଡାଉନ ଯୋଗୁଁ ସମସ୍ତ ବ୍ୟବସାୟ ମାନ୍ଦାରେ ଚାଲିଥିବା ବେଳେ ତାଙ୍କର ସେହିପରି ସମସ୍ୟା ହୋଇନଥିବା ସେ କହିଛନ୍ତି। ଚାକିରି ପଛରେ ନଗୋଡ଼ାଇ ଏଭଳି ଏକ ଉଦ୍ୟୋଗ ଗଢି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏଠାରେ କାମ କରୁଥିବା ଅଧିକାଂଶ କର୍ମଚାରୀ ପୂର୍ବରୁ ବାହାର ରାଜ୍ୟରେ ଦାଦନ ଖଟୁଥିଲେ। ଏବେ ନିଜ ଗାଁ ପାଖରେ କାର୍ଯ୍ୟ ପାଇ ସେମାନେ ଭାରି ଖୁସି। ପିଣ୍ଟୁ ଏତେ ସଫଳତା ପାଇଥିଲେ ମଧ୍ୟ ତାଙ୍କ ମନରେ ତିଳେ ମାତ୍ର ଗର୍ବ ନାହିଁ ଜଣେ ସାଧାରଣ ମଣିଷ ଭଳି ଜୀବନଯାପନ କରନ୍ତି। ପିଣ୍ଟୁ ଏବେ ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି।