ଯାଜପୁର: ୫-ଟି ସଚିବ ଭି ‌କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ଯାଜପୁର ଜିଲ୍ଲା ଗସ୍ତ ବେଳେ ସଭାକୁ ଲୋକ ଯୋଗାଡ଼ ପାଇଁ ରାସ୍ତାରେ ଜଣେ ପିଇଓ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହୋଇଥିଲା। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ନିଜ ପଞ୍ଚାୟତ ବିଂଝାରପୁର ବ୍ଲକ୍‌ର ମାଁସଡା ଓ ବିଂଝାରପୁର ପଞ୍ଚାୟତ ଦାୟିତ୍ବରେ ଥିବା ପିଇଓ ଗୋପାଳ ମହାନ୍ତି ମଲ୍ଲିକାପୁର ପଞ୍ଚାୟତ ରାସ୍ତାରେ ଟଙ୍କା ବାଣ୍ଟୁଥିବାରୁ ବିଜେପି ଓ କଂଗ୍ରେସ ରାଜସ୍ବ ମନ୍ତ୍ରୀଙ୍କୁ ବିବାଦ ଘେରକୁ ଟାଣିଥିଲେ। ଏ ସଂପର୍କରେ ‘ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ରାଜସ୍ବ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ପ୍ରତିକ୍ରିୟା ପ୍ରକାଶ କରିବା ସହ ନାମ ନନେଇ ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି। ଭାଇରାଲ ଭିଡିଓରେ ମହାନ୍ତିପାଟଣାରେ ଟଙ୍କା ବଣ୍ଟା ହେଉଛି। ଯାହାକି ବିଂଝାରପୁର ନିର୍ବାଚନମଣ୍ଡଳୀର ନୁହେଁ। କାହିଁକି ତାଙ୍କ ନିର୍ବାଚନମଣ୍ଡଳୀ କଥା କୁହାଯାଉଛି ବୋଲି ରାଜସ୍ବ ମନ୍ତ୍ରୀ ଓଲଟା ପ୍ରଶ୍ନ କରିଛନ୍ତି।

Advertisment

‘ସମ୍ବାଦ'ରେ ମହାନ୍ତିପାଟଣାରେ ଟଙ୍କା ବଣ୍ଟନ କଥା ପ୍ରକାଶ ପାଇନାହିଁ। ଅଥଚ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଆମ ପ୍ରତିନିଧିଙ୍କୁ ବାରମ୍ବାର କହୁଛନ୍ତି ଯେ, ମହାନ୍ତିପାଟଣାରେ ଟଙ୍କା ବଣ୍ଟନ କରାଯାଇଛି। ଖବରନେବାରୁ ଜଣାପଡ଼ିଛି ଯେ, ଯାଜପୁର ନିର୍ବାଚନମଣ୍ଡଳୀ ଅଧୀନ ମଲ୍ଲିକାପୁର ପଞ୍ଚାୟତରେ ମହାନ୍ତିପାଟଣା ଗାଁ ଅଛି। ସେଠାରେ ଦଶରଥପୁର ବ୍ଲକ୍ ଅଧ୍ୟକ୍ଷ ଦିଗାମ୍ବର ମଲ୍ଲିକଙ୍କର ଘର। ଟଙ୍କା ବାଣ୍ଟୁଥିବା ମାଁସଡ଼ା ପିଇଓ ଶ୍ରୀ ମହାନ୍ତିଙ୍କ ଘର ମଧ୍ୟ ମହାନ୍ତିପାଟଣା। ଶ୍ରୀମତୀ ମଲ୍ଲିକ ସିଧାସଳଖ ବବିଙ୍କ ନାମ ନେଇନଥିଲେ ହେଁ ଯାଜପୁର ନିର୍ବାଚନମଣ୍ଡଳୀରେ ଟଙ୍କା ବଣ୍ଟନ ହେଉଥିବା କହି ପରୋକ୍ଷରେ ବବିଙ୍କୁ ବିବାଦ ଘେରକୁ ଟାଣୁଥିବା ଚର୍ଚ୍ଚା ଜୋର ଧରିଛି। କେବଳ ସେତିକି ନୁହେଁ, ଉଭୟଙ୍କ ସଂପର୍କ ଠିକ୍ ନାହିଁ କି ବୋଲି ମଧ୍ୟ ପ୍ରଶ୍ନ ଉଠିଲାଣି। ଦଶରଥପୁର ବ୍ଲକ୍‌ର ଅଧା ଅଞ୍ଚଳ ବିଂଝାରପୁର ନିର୍ବାଚନମଣ୍ଡଳୀରେ ଥିବା ବେଳେ ଅଧା ଅଞ୍ଚଳ ଯାଜପୁର ନିର୍ବାଚନ ମଣ୍ଡଳୀରେ ରହିଛି। ଉଭୟ ନେତାଙ୍କ ଏଠାରେ ଦବ୍‌ଦବା ରହିଛି।

ଅପରପକ୍ଷରେ ରାସ୍ତାକଡ଼ରେ ମୋଟରସାଇକଲ ଯାତ୍ରୀଙ୍କୁ ଟଙ୍କା ବାଣ୍ଟୁଥିବା ପିଇଓ ଶ୍ରୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସେ ରାଜନୈତିକ କାର୍ଯ୍ୟକ୍ରମରେ ସାମିଲ ନାହାନ୍ତି। ଶ୍ରୀ ପାଣ୍ଡିଆନଙ୍କର ଏହା ସରକାରୀ ସଭା ଥିଲା। ପିଇଓମାନଙ୍କ ଆନ୍ଦୋଳନ ଚାଲୁଥିବାରୁ ସେ ଛୁଟିରେ ଥିଲେ। ସାଙ୍ଗସାଥୀମାନଙ୍କୁ ଭୋଜି ପାଇଁ ଟଙ୍କା ବାଣ୍ଟୁଥିଲେ। ଦରମା ବୃଦ୍ଧି ଦାବିରେ ପିଇଓମାନେ ଆନ୍ଦୋଳନ କରୁଥିବା ବେଳେ ମାଁସଡ଼ା ପିଇଓଙ୍କ ପାଖକୁ ବାଣ୍ଟିବା ପାଇଁ ଏତେ ଟଙ୍କା ଆସିଲା କେଉଁଠୁ ବୋଲି ପ୍ରଶ୍ନ ହେଉଛି। ସୂଚନାଯୋଗ୍ୟ ଯେ ଗତ ୩୧ତାରିଖରେ ଶ୍ରୀ ପାଣ୍ଡିଆନଙ୍କ ବିଂଝାରପୁରର ବରୁଣେଶ୍ବର ଓ ଯାଜପୁର ସହରରେ ସଭା ଆୟୋଜନ ହୋଇଥିଲା।