କାମ ଚାଲିଥିଲାବେଳେ ଛାଡ଼ି ଦେଲେ ପାଣି, ପାଇପ୍‌ ଭିତ‌ରେ ମିସ୍ତ୍ରିଙ୍କ ପ୍ରାଣଗଲା

ଭୁବନେଶ୍ବର : ଜନସ୍ବାସ୍ଥ୍ୟ ବିଭାଗ(ପିଏଚ୍‌ଇଡି) ଓ ଠିକାଦାରଙ୍କ ବେପରୁଆ ଏବଂ ଦାୟିତ୍ବହୀନ କାମ ପାଇଁ ଆଜି ଜଣେ ପାଇପ୍‌ ମିସ୍ତ୍ରିଙ୍କ ଜୀବନ ଚାଲିଯାଇଛି। ଚାମ୍ବର ଭିତରେ କାମ ଚାଲିଥିବା ବ‌େଳେ ପାଣି ଛାଡ଼ି ଦେବାରୁ ପାଇପ୍‌ ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଭିଏସଏସ ନଗରଠାରେ ଘଟିଛି ଏହି ଘଟଣା। ମୃତକ ହେଲେ ନୟାପଲ୍ଲୀ ଥାନା ଅଧୀନ ଗଣପତି ନଗର ବସ୍ତି ବାସିନ୍ଦା କୈଳାସ ଦୋରାଙ୍କ ପୁତ୍ର ବି. ରୁଦ୍ର ଦୋରା।

ବିଭାଗୀୟ କାମ ଚାଲିଥିବା ବେଳେ ପିଏଚ୍‌ଇଡି କର୍ମଚାରୀ କିଭଳି ଏତେ ବେପରୁଆ ହେଲେ? କାମ ଚାଲିଥିବା ବେଳେ କିଭଳି ପାଣି ଛାଡ଼ିଦେଲେ? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କାମ କରୁଥିବା ଏଜେନ୍ସିର କର୍ମକର୍ତ୍ତା ଘଟଣାସ୍ଥଳରୁ ଫେରାର ଥିବା ବେ‌ଳେ ମୋବାଇଲ ସୁଇଚ୍‌ ବନ୍ଦ ରହିଛି। ଅନ୍ୟପକ୍ଷରେ ଜଣେ ପିଏଚ୍‌ଇଡି ଅଧିକାରୀ କହିଛନ୍ତି, ଫ୍ଲୋ ମିଟର ଲଗାଇବା ପାଇଁ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଛି। ଆଜି କାମ କରିବା ପାଇଁ ଏଜେନ୍ସି ବିଭାଗଠାରୁ ସ୍ବୀକୃତି ନେଇ ନଥିଲା। କାମ ଚାଲିଥିଲା ବୋଲି ବିଭାଗ ପାଖରେ ସୂଚନା ନଥିଲା। ସମ୍ପୃକ୍ତ ଏଜେନ୍ସି ଏହି ଘଟଣା ପାଇଁ ଦାୟୀ ବୋଲି ସେ କହିଛନ୍ତି। ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ରୁଦ୍ରଙ୍କ ହାତ ପାଇପ୍‌ ଭିତରେ ଫସି ରହିଥିଲା। ପାଣି ମାଡ଼ି ଆସିବାରୁ ଉପସ୍ଥିତ ଲୋକ ଓ ଅନ୍ୟ ଶ୍ରମିକ ତାଙ୍କୁ ଟାଣି ବାହାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାଙ୍କୁ ବାହାର କରିପାରି ନଥିଲେ। ଚାମ୍ବର ଭିତରେ ପାଣି ଭର୍ତ୍ତି ହୋଇଯିବାରୁ ଲୋକମାନେ ବାହାରି ଆସିଥିଲେ। ଖବରପାଇ ଦମ୍‌କଳ କେନ୍ଦ୍ର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରିଥି‌ଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ ଘଟଣା ଅପରାହ୍‌ଣ ସାଢ଼େ ଗୋଟାଏରେ ଘଟିଥିବା ବେଳେ ପରିବାର ସଦସ୍ୟ ୪ ଟା ବେଳେ ଖବର ପାଇଥିଲେ। ଠିକାଦାର କିମ୍ବା ପୁଲିସ ପକ୍ଷରୁ ତାଙ୍କୁ ଖବର ଦିଆଯାଇ ନଥିଲା। ଖବର ପାଇ ପରିବାର ସଦସ୍ୟ ସହିଦ୍‌ ନଗର ଥାନାରେ ପହଞ୍ଚିଥିଲେ। ଜଣେ ପୁଲିସ କର୍ମଚାରୀ ଗଲେ ହସ୍‌ପିଟାଲରେ ଶବ ଦେଖାଯିବ ବୋଲି କହିବାରୁ ପରିବାର ସଦସ୍ୟ ଥାନା ସମ୍ମୁଖରେ ବସି ରହିଥିଲେ। ଦୀର୍ଘ ଦୁଇଘଣ୍ଟା କାଳ ବସି ରହିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୁଲିସ ସହ ପରିବାର ସଦସ୍ୟ କ୍ୟାପିଟାଲ ହସ୍‌ପିଟାଲ ଯାଇ ଶବ ଚିହ୍ନଟ କରିଥିଲେ। ତେବେ ମୃତ୍ୟୁର କାରଣକୁ ଲୁଚାଇବା ପାଇଁ ଉଦ୍ୟମ ହୋଇଛି ବୋଲି ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ବୟାନ ପରେ ବାସ୍ତବ କଥା ପରିବାର ସଦସ୍ୟ ଜାଣିବାକୁ ପାଇଛନ୍ତି। ଏ ନେଇ ପରିବାର ଲୋକ ସହିଦ ନଗର ଥାନାରେ ହତ୍ୟା ଅଭିଯୋଗ କରିଥିଲେ ମଧ୍ୟ ମାମଲା ରୁଜୁ ହୋଇ ନାହିଁ।

ବି. ରୁଦ୍ରଙ୍କର ନିଜ ଗାଁ ଗଂଜାମ ଜିଲ୍ଲାର କଂସମାରି। ପାଇପ୍‌ ମିସ୍ତ୍ରି ଭାବରେ ସେ ଏଠାରେ ଦୀର୍ଘ ଦିନ ହେବ ରହି ଆସୁଥିଲା। ଦେଢ଼ବର୍ଷ ତଳେ ସେ ବିବାହ କରିଥିବା ବେଳେ ତାଙ୍କର ୫ ମାସର ଏକମାତ୍ର ପୁତ୍ରସନ୍ତାନ ରହିଛି। ଘରେ ବିଧବା ପତ୍ନୀ ସହ ବାପା ଓ ମା’ ରହୁଛନ୍ତି। ସେ ଏକମାତ୍ର ରୋଜଗାରକ୍ଷମ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ପରିବାରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।

ଅନ୍ୟପଟେ ବସ୍ତି ସୁରକ୍ଷା ମଞ୍ଚ ଏ ନେଇ ସହିଦ ନଗର ଥାନା ଅଧିକାରୀଙ୍କୁ ଘେରିଛି। ତୁରନ୍ତ ଏଫଆଇଆର୍‌ ପଞ୍ଜୀକରଣ ସହ ରୁଦ୍ରର ଅକାଳ ମୃତ୍ୟୁ ପାଇଁ ଦାୟୀ ପିଏଚଇଡି ଅଧିକାରୀ ଓ ଠିକାଦାରଙ୍କୁ ତୁରନ୍ତ ଗିରଫ କରିବା, ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଓ ରୁଦ୍ରଙ୍କ ବିଧବା ପତ୍ନୀଙ୍କୁ ଚାକିରି ଦେବାକୁ ଦାବି କରିଛି।

ସମ୍ବନ୍ଧିତ ଖବର