ଡିସେମ୍ବର ସୁଦ୍ଧା ସହରାଞ୍ଚଳର ସବୁ ଘରକୁ ପାଇପ୍‌ ପାଣି

ଭୁବନେଶ୍ୱର : ୨୦୧୮ ଡିସେମ୍ବର ସୁଦ୍ଧା ସହରାଞ୍ଚଳରେ ସବୁ ଘରକୁ ପାଇପ ପାଣି ଯୋଗାଣ ହେବ। ସହରରେ ପାନୀୟ ଜଳଯୋଗାଣର ଦୈନିକ ଆବଶ୍ୟକତା ୧୦୮୫ ମିଲିୟନ୍‌ ଲିଟର୍‌ ଲକ୍ଷ୍ୟ ମଧ୍ୟ ୨୦୧୮-୧୯ରେ ପୂରଣ ହେବ। ନିର୍ଦ୍ଧାରିତ ସମୟର ୪ ବର୍ଷ ପୂର୍ବରୁ ଏହା ପୂରଣ କରାଯାଉଛି। ସେହିପରି ୨୦୧୮-୧୯ ସୁଦ୍ଧା ୧୧,୩୨୫ କିଲୋମିଟର ବିତରଣ ନେଟ୍‌ଓ୍ଵର୍କର ଲକ୍ଷ୍ୟ ବି ପୂରଣ ହେବ। ଗତ ବର୍ଷ ଏହା ୭୩୯୧ କିମି ଥିଲା। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି।

ବୈଠକରେ କୁହାଯାଇଥିଲା, ଗ୍ରାମାଞ୍ଚଳରେ ଆଂଶିକ ଭାବେ ପାନୀୟ ଜଳ ସୁବିଧା ଥିବା ସମସ୍ତ ଜନବସତିକୁ ସମ୍ପୂର୍ଣ୍ଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇପାରିଛି। ୨୦୧୪ରୁ ୨୦୧୮ ମଧ୍ୟରେ ୪୮୭୬୬ ଆଂଶିକ ସୁବିଧା ଥିବା ଜନବସତିକୁ ସମ୍ପୂର୍ଣ୍ଣ ପାନୀୟ ଜଳ ସୁବିଧା ଦିଆଯାଇଛି। ସେହିପରି ପ୍ରତ୍ୟେକ ପଞ୍ଚାୟତର ଅତି କମ୍‌ରେ ଦୁଇଟି ଗ୍ରାମକୁ ପାଇପ ପାଣି ପ୍ରକଳ୍ପର ସୁବିଧା ଲକ୍ଷ୍ୟ ପୂରଣ ପାଇଁ ମଧ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୬୯୦ଟି ପଞ୍ଚାୟତର ଦୁଇଟି ଗାଁକୁ ପାନୀୟ ଜଳର ସୁବିଧା କରାଯାଇପାରିଛି। ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବର୍ଷକୁ ଅତି କମ୍‌ରେ ୩୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୨୦୧୭-୧୮ ଓ ୨୦୧୮-୧୯ ପାଇଁ ନିର୍ଦ୍ଧାରିତ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ବୈଠକରେ ବସୁଧା ସମେତ ଅନ୍ୟାନ୍ୟ ବୃହତ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର