ବର୍ଷକରେ ସବୁ ପଞ୍ଚାୟତ ସଦର ମହକୁମାକୁ ପାଇପ୍‌ ପାଣି

ଭୁବନେଶ୍ୱର : ମାର୍ଚ୍ଚ, ୨୦୧୯ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତ ସଦର ମହକୁମାରେ ପାଇପ୍‌ ପାଣି ବ୍ୟବସ୍ଥା ଆରମ୍ଭ ହେବ। ଏଥିରେ ପ୍ରତ୍ୟେକ ଘରକୁ ପାଇପ୍‌ ପାଣି ସଂଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ସମୀକ୍ଷାରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ରାଜ୍ୟର ୬୮୦୧ଟି ଗ୍ରାମ ପଞ୍ଚାୟତରୁ ୫୫୮୬ଟି ପଞ୍ଚାୟତ ସଦର ମହକୁମାରେ ପାଇପ୍‌ ପାଣି ବ୍ୟବସ୍ଥା କରାଯାଇଛି। ସେହିପରି ୧୫,୨୬୫ଟି ବସତିରେ ଆଂଶିକ ପାଇପ୍‌ ପାଣି ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ୨୦୧୮, ମେ ସୁଦ୍ଧା ଏଠାକୁ ସମ୍ପୂର୍ଣ୍ଣ ଜଳଯୋଗାଣ ହେବ। ଫ୍ଲୋରାଇଡା ଓ ଲୁଣି ପାଣି ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମାର୍ଚ୍ଚ ୨୦୧୮ସୁଦ୍ଧା ଅସ୍ଥାୟୀ ଭାବେ ବିଶୁଦ୍ଧ ଜଳ ଯୋଗାଣ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଆସନ୍ତା ଦୁଇ ବର୍ଷରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଏହାବାଦ୍‌ ବର୍ତ୍ତମାନ ରାଜ୍ୟରେ ପାଇପ୍‌ ପାଣି ପ୍ରକଳ୍ପ ପାଇଁ ୪ହଜାର କୋଟି ଟଙ୍କାର ଟେଣ୍ଡର ଚୂଡ଼ାନ୍ତ ହୋଇଥିବାବେଳେ ମାର୍ଚ୍ଚ ୨୦୧୮ସୁଦ୍ଧା ଆଉ ୫ହଜାର କୋଟି ଟଙ୍କା ପ୍ରକଳ୍ପର ଟେଣ୍ଡର ଆହ୍ଵାନ କରାଯିବ। ଏହି ସବୁ ପ୍ରକଳ୍ପର କାର୍ଯ୍ୟ ଠିକ୍‌ ସମୟରେ ଶେଷ କରିବା ସହ ଆସନ୍ତା ଗ୍ରୀଷ୍ମ ଋତୁରେ ଯେପରି ପାଣି ପାଇଁ କେହି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଦିମ ଜନଜାତି ରହୁଥିବା ରାଜ୍ୟର ୧୨ଜିଲ୍ଲାରେ ୫୩୩ଟି ବସତିରେ ପାଇପ୍‌ ପାଣି ଯୋଗାଣ ସଫଳ ଭାବେ କାର୍ଯ୍ୟ କରୁଛି ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବୈଠକରେ କୁହାଯାଇଥିଲା।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର