ରାଉରକେଲା: ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏଥିପାଇଁ ବିଭିନ୍ନ ଯୋଜନାରୁ ଆସୁଛି କୋଟି କୋଟି ଟଙ୍କା। କିନ୍ତୁ ଯେତିକି ଖର୍ଚ୍ଚ ହେଉଛି, ତା’ର ଅର୍ଦ୍ଧାଧିକ ବାଟମାରଣା ହେଉଛି। ଫଳରେ ଲୋକେ ଯୋଜନାର ସୁଫଳ ପାଉନାହାନ୍ତି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବସୁଧା ଓ ଅନ୍ୟାନ୍ୟ ଯୋଜନାରେ ନିର୍ମାଣ ହୋଇଛି ଓଭରହେଡ୍ ପାଣି ଟାଙ୍କି। ପୁଣି ଗୋଟିଏ ବସ୍ତିରୁ ଅନ୍ୟ ବସ୍ତି, ଗୋଟିଏ ପଡାରୁ ଅନ୍ୟ ପଡାକୁ ବିଛା ଯାଇଛି ଜଳଯୋଗାଣ ପାଇପ୍। ଟାଙ୍କି ପିଛା ଖର୍ଚ୍ଚ ହୋଇଛି ପ୍ରାୟ ୮୦ ଲକ୍ଷ ଟଙ୍କା ବା ଏହାଠୁ ଅଧିକ। କିନ୍ତୁ ଲାଭ କିଛି ହୋଇନାହିଁ। ପାଣି ଟାଙ୍କି ସେମିତି ଛିଡା ହୋଇଛି, ପାଣି ଯୋଗାଣ ହେଉନାହିଁ। କେଉଁଠି ପାଇପ୍ ବିଛା କାମ ଅଧପନ୍ତରିଆ ହୋଇ ପଡିଛି ତ କେଉଁଠି ଓଭରହେଡ୍ ପାଣି ଟାଙ୍କିରୁ ପାଣି ଅର୍ଦ୍ଧାଧିକ ସମୟରେ ଆସୁନି।
ଉଦାହରଣସ୍ବରୂପ, ବଣାଇଁ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଓ ବଣାଇଁଗଡର ପଞ୍ଚାୟତର ଦେଓଗାଁରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ ହୋଇଛି। କିନ୍ତୁ ପାଣି ଆସିବା ଏଯାଏ ସୁରୁ ହୋଇନାହିଁ। ଲାଠିକଟା ବ୍ଲକ ଅନ୍ତର୍ଗତ ସିଉଡିହି ଓ ବଲଣ୍ଡା ରେ ଓଭରହେଡ ଟାଙ୍କିରେ ବି ସମାନ ଅବସ୍ଥା। ନୂଆଗାଁ ବ୍ଲକର ନୂଆଗାଁରେ ଲୋକଙ୍କୁ ପାଣି ମିଳୁନି। ସୋରଡାରେ ନିମ୍ନମାନର କାମ ଯୋଗୁ ଅର୍ଦ୍ଧାଧିକ ଦିନ ପାଣି ଯୋଗାଣ ବନ୍ଦ ରହୁଛି। ବାଗଡେଗା ପଞ୍ଚାୟତରେ ତ ଓଭରହେଡ୍ ପାଣି ଟାଙ୍କି ଖାଲି ସେମିତି ଛିଡା ହୋଇଛି। ଚିତାପେଡିରେ ପ୍ରାୟ ଏକ ବର୍ଷ ଧରି ପାଣି ଟାଙ୍କି ନିର୍ମାଣ ସତ୍ବେ ଲୋକଙ୍କୁ ପାଣି ମିଳୁନି। ମେନମେନା, ବାରିଲେପ୍ଟା ଓ ଉର୍ମେଇରେ ନିମ୍ନମାନର କାମ ଓ ସମସ୍ୟା ହେତୁ ବହୁ କଷ୍ଟରେ ଗୋଟିଏ କିମ୍ବା ଦୁଇଟି ଗାଁ ପାଣି ପାଉଛନ୍ତି। ବିଶ୍ରା ବ୍ଲକର ୧୮ଟି ସ୍ଥାନରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ, ହେବା ସହିତ ପାଇପ ଲାଇନ୍ ବିଛାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ହାତ ଗଣତି କେତୋଟି ପଞ୍ଚାୟତକୁ ଛାଡି ଦେଲେ ଅଧିକାଂଶ ପଞ୍ଚାୟତରେ ପାଣି ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି। ବ୍ଲକର ମନ୍କୋ ପଞ୍ଚାୟତର ବରସୁଆ, ସନ୍ତୋଷପୁର ପଞ୍ଚାୟତର ସନ୍ତୋଷପୁରରେ ପାଣି ଯୋଗାଣ ଏଯାଏ ଲୋକଙ୍କ କାମରେ ଆସିନି। ସେମିତି କୋଇଡା ବ୍ଲକ୍ର କାଲ୍ଟା ପଞ୍ଚାୟତର କୁସୁମଡିହିରେ ୧୦ ହଜାର ଲିଟର କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ ହୋଇଛି ବୋଲି ବିଭାଗ ତଥ୍ୟ ଦେଉଛି। ମାତ୍ର ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ସେମିତି କୌଣସି ପାଣି ଟାଙ୍କି ନିର୍ମାଣ ହୋଇ ନାହିଁ ବୋଲି କହୁଛନ୍ତି। ଜିଲ୍ଲାର ବାକି ବ୍ଲକ୍ଗୁଡ଼ିକରେ ଓଭର୍ ହେଡ୍ ପାଣି ଟାଙ୍କି ବ୍ୟବସ୍ଥାର ସ୍ଥିତି ଉଣାଅଧିକ ସମାନ। ଏହାକୁ ଦେଖିଲେ ଯୋଜନାରେ ଖର୍ଚ୍ଚ ହୋଇଥିବା ଅଧାଅଧି ଟଙ୍କା ଚଳୁ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି।
ଉଲ୍ଲେଖଯୋଗ୍ୟ, ଗ୍ରାମାଞ୍ଚଳ ଜଳ ଯୋଗାଣ ପରିମଳ ଯୋଜନା (ଆର୍ଡବ୍ଲ୍ୟୁଏସ୍ଏସ୍) ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାର କେବଳ ରାଉରକେଲା ପଟର ୮ଟି ବ୍ଲକ, ଯଥା ବିଶ୍ରା, ବଣାଇ, ଗୁରୁଣ୍ଡିଆ, କୋଇଡା, କୁଆରମୁଣ୍ଡା, ଲହୁଣିପଡା, ଲାଠିକଟା ଓ ନୂଆଗାଁରେ ମୋଟ୍ ୮୭ଟି ଓଭରହେଡ୍ ପାଣି ଟାଙ୍କି ସ୍ଥାପନ କରାଯାଇଛି। ୧୦ ହଜାର ଲିଟରରୁ ଆରମ୍ଭ କରି ୨ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍ ପାଣି ଟାଙ୍କି ନିର୍ମାଣରେ ପ୍ରାୟ ୩୦ ଲକ୍ଷରୁ ଆରମ୍ଭ କରି କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ବିଶ୍ରା ବ୍ଲକରେ ୧୮ଟି, ବଣାଇରେ ୧୩ଟି, ଗୁରୁଣ୍ଡିଆରେ ୨ଟି, କୋଇଡାରେ ୫ଟି, କୁଆରମୁଣ୍ଡାରେ ୧୯ଟି, ଲହୁଣିପଡାରେ ୯ଟି, ଲାଠିକଟାରେ ୮ଟି ଓ ନୂଆଗାଁ ବ୍ଲକରେ ୧୩ଟି ପଞ୍ଚାୟତରେ ଓଭରହେଡ୍ ଟାଙ୍କି ସ୍ଥାପନ କରାଯାଇଛି। ପାଣି ଟାଙ୍କି ନିର୍ମାଣ, ପାଇପ ବିଛା, ଷ୍ଟାଣ୍ଡପୋଷ୍ଟ ନିର୍ମାଣ ଆଦି ବାବଦରେ ପ୍ରାୟ ୮୯୫ କୋଟି ୮୧ ଲକ୍ଷ ୩୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏଥି ମଧ୍ୟରେ ରହିଛି ଜଳ ଜୀବନ ମିଶନ ପାଣ୍ଠି ୬ କୋଟି ୮୬ ଲକ୍ଷ ୨୨ ହଜାର, ବସୁଧା (ରାଜ୍ୟ ପାଣ୍ଠି ) ୩୩ କୋଟି ୨୭ ଲକ୍ଷ ୫୩ ହଜାର, ଓମ୍ବାଡ୍ସି (ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍ ଡେଭଲପ୍ମେଣ୍ଟ କର୍ପୋରେସନ୍) ୮୩୨ କୋଟି ୨୬ ଲକ୍ଷ୯୭ ହଜାର, ଜିଲ୍ଲା ଖଣିଜ ପାଣ୍ଠିରୁ ୨୩ କୋଟି ୪୦ ଲକ୍ଷ ୬୧ ହଜାର ଟଙ୍କା। କିନ୍ତୁ ଏହି ପାଣି ଯୋଗାଣ ଯୋଜନାରେ ଏହି କୋଟି କୋଟି ଟଙ୍କାରୁ ଅଧା ପାଣିରେ ଫିଙ୍ଗି ଦିଆ ଯାଇଥିବା ଭଳି ମନେ ହେଉଛି। ଏଥିରେ ଲୋକଙ୍କୁ ଜଳ ଯୋଗାଣ ପାଇଁ ନୁହେଁ, ଠିକାଦାରମାନଙ୍କର ଫାଇଦାକୁ ପ୍ରମୁଖତା ଦେବାଭଳି ମନେ ହେଉଛି।
ବର୍ଷ ବର୍ଷ ଧରି ଅଧାପନ୍ତରିଆ ପଡ଼ିଥିବା କାମ କେବେ ପୂରା ହେବ, ପୂରା ହୋଇଥିବା ଟାଙ୍କିରେ କେବେ ପାଣି ଆସିବ ବା ଖରାପ ହୋଇ ପଡ଼ିଥିବା ପାଇପ୍ ଲାଇନ୍ କେବେ ସଜଡ଼ା ଯିବ ବା ସମୟ ପୂର୍ବରୁ ଖରାପ ହୋଇଥିବା ଟାଙ୍କି ପାଇଁ ଠିକାଦାରଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି- ଏସବୁର ଉତ୍ତର ବିଭାଗ ପାଖରେ ନାହିଁ ବା ଉତ୍ତର ଦେବାଲାଗି ବିଭାଗ ଚାହୁନାହିଁ। ଏପରିକି କାମ କରିଥିବା ଠିକାଦାରମାନଙ୍କ ବିଷୟରେ ବି ବିଭାଗଠାରୁ କୌଣସି ତଥ୍ୟ ମିଳୁନାହିଁ। ମୋଟ୍ ଉପରେ ଦେଖିବାକୁ ଗଲେ, ଯୋଜନା ସଂପର୍କରେ ସବୁକିଛି ଗୋପନ ରଖିବାଲାଗି ସବୁ ପ୍ରକାର ଚେଷ୍ଟା କରା ଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡ୍ସି ଓ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାକୁ ଅର୍ଥହୀନ ଭାବେ ଠିକାଦାର ଓ ସେମାନଙ୍କୁ ସହାୟତା କରୁଥିବା କିଛି ଅଧିକାରୀଙ୍କର ବ୍ୟକ୍ତିଗତ ଫାଇଦା ପାଇଁ କିଭଳି ପାଣିରେ ଫିଙ୍ଗା ଯାଉଛି, ଓଭର ହେଡ୍ ଟାଙ୍କି ପାନୀୟ ଜଳ ଯୋଗାଣ ଯୋଜନା ତା’ର ଏକ ଉଦାହରଣ।