ରାଜଧାନୀରେ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ଆରମ୍ଭ

ଭୁବନେଶ୍ୱର : ରାଜଧାନୀରେ ପାଇପ୍‌ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣ ଆଜି ଠାରୁ ଆରମ୍ଭ ହୋଇଛି। ‘କଟକ-ଭୁବନେଶ୍ୱର ସହର ଗ୍ୟାସ୍‌ ବିତରଣ’ ଯୋଜନାର ପାଇଲଟ୍‌ ପ୍ରକଳ୍ପ ଭାବେ ନାଲ୍‌କୋ କଲୋନିରେ ଏହା କାର୍ଯ୍ୟକ୍ଷମ ହୋଇଛି। ଏଠାରେ ଥିବା ଘରଗୁଡ଼ିକ ଏଣିକି ପାଇପ୍‌ ଯୋଗେ ରୋଷେଇ ଗ୍ୟାସ୍‌ ପାଇବେ।

ନାଲ୍‌କୋ କଲୋନିରେ ଆଜି ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକଳ୍ପକୁ ଉଦ୍‌ଘାଟନ କରି ଏହାକୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି ବୋଲି କହିଥିଲେ। ଏହି ଅବସରରେ ଭୁବନେଶ୍ୱର-କଟକରେ ପାଇପ୍‌ ଯୋଗେ ଗ୍ୟାସ୍‌ ଯୋଗାଣ ପ୍ରକଳ୍ପରେ ରାଜ୍ୟ ସରକାର ପ୍ରତିବନ୍ଧକ ସାଜୁଛନ୍ତି ବୋଲି ଆରୋପ ଲଗାଇ ଭୀଷଣ ବର୍ଷିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ, କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶକୁ ନିଜର ଜାଗିର ବୋଲି ଭାବୁଛନ୍ତି। ଭୁବନେଶ୍ୱର-କଟକ ଗ୍ୟାସ୍‌ ପ୍ରକଳ୍ପ କାର୍ଯ୍ୟକୁ କିଏ ଅଟକାଇ ରଖିଛି, ତାହା ରାଜ୍ୟ ସରକାର ଜାଣିଛନ୍ତି। ପାଇପ୍‌ ଲାଇନ୍‌ ପଡ଼ିଲେ ସାଧାରଣ ଲୋକେ ଲାଭବାନ ହେବେ। ପାଇପ୍‌ ଯିବା ପାଇଁ ଜମି ଯୋଗାଇଦେବା ରାଜ୍ୟ ସରକାର ନିର୍ଣ୍ଣୟ ଅଧୀନ। ପାରାଦୀପ ରିଫାଇନାରି ବିବାଦ ସମାଧାନ ପାଇଁ ବୈଠକ ସମୟରେ ସେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ପାଇଁ ଜମି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି ପ୍ରକଳ୍ପକୁ ବନ୍ଦ କରି ରଖିଥିବା ତୃତୀୟ ମହଲାର କିରାଣୀମାନଙ୍କୁ ମଧ୍ୟ ଏଥିପାଇଁ କୁହାଯାଇଥିଲା। ସବୁ ସତ୍ତ୍ୱେ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଜମି ଯୋଗାଇବାରେ ପ୍ରତିବନ୍ଧକ ସାଜୁଛନ୍ତି।

ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଙ୍ଗା ଯୋଜନାରେ ପାଇପ ଯୋଗେ ଗ୍ୟାସ୍‌ ଯୋଗାଣ କାର୍ଯ୍ୟରେ କେନ୍ଦ୍ର ସରକାର ୧୧ ହଜାର ୭୦୦ କୋଟି ଟଙ୍କା ବ୍ୟୟ କରିବେ। ଏହି ଯୋଜନାରେ ଓଡ଼ିଶାରେ ୭୬୯ କିମି ଦୀର୍ଘ ପାଇପ୍‌ ଲାଇନ୍‌ ବିଛାଯିବ। ୧୩ଟି ଜିଲ୍ଲା ଦେଇ ଏହା ଯିବ ଓ ୪ ହଜାର କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ ପୂର୍ବ ଭାରତକୁ ଶିଳ୍ପ ସମୃଦ୍ଧ କରିବାରେ ସହାୟକ ହେବ। ଏଲ୍‌ପିଜି ତୁଳନାରେ ପିଏନ୍‌ଜିର ଖର୍ଚ୍ଚ ୩୦ ପ୍ରତିଶତ କମ୍‌ ରହିବ।

ତୈଳ ଦର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ଶ୍ରୀ ପ୍ରଧାନ କହିଲେ, ପେଟ୍ରୋଲ-ଡିଜେଲ ଦର କମାଇବାକୁ ହରତାଳ କରି ରାଜ୍ୟର ଶାସକ ଦଳ ନାଟକ କରୁଥିଲା। ସାଧାରଣ ଲୋକଙ୍କୁ ଆର୍ଥିକ ବୋଝ ଆସିବା କାରଣରୁ କେନ୍ଦ୍ର ସରକାର ୨ ଟଙ୍କାର ଶୁଳ୍କ କମ୍‌ କରିଛନ୍ତି। ହେଲେ ରାଜ୍ୟ ସରକାର ମୂଲ୍ୟ କମ୍‌ କରିବା ପାଇଁ ଭ୍ୟାଟ୍‌ କାହିଁକି କମାଉ ନାହାନ୍ତି ବୋଲି ସେ ପ୍ରଶ୍ନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗେଲ୍‌ର ସିଏମ୍‌ଡି ବି ସି ତ୍ରିପାଠୀ, ନାଲ୍‌କୋର ସିଏମ୍‌ଡି ତପନ କୁମାର ଚାନ୍ଦ, ଗେଲ୍‌ର ପ୍ରକଳ୍ପ ନିର୍ଦ୍ଦେଶକ ଆଶୁତୋଷ କର୍ଣ୍ଣାଟକ ଓ ନାଲ୍‌କୋର ମାନବ ସମ୍ବଳ ନିର୍ଦ୍ଦେଶକ ବି କେ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ। ପିଏନ୍‌ଜି ଯୋଗାଣର ପ୍ରଥମ ହିତାଧିକାରୀ ବୀଣାପାଣି ନାୟକଙ୍କ ଘରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଚା’ ପିଇଥିଲେ।

ଗେଲ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନିକଟ ଭବିଷ୍ୟତରେ ଭୁବନେଶ୍ୱରର ଏଲ୍‌ଆଇସି କଲୋନି ଓ ମୈତ୍ରୀବିହାର କଲୋନିରେ ଏକ ହଜାର ଘରକୁ ପିଏନ୍‌ଜି ସଂଯୋଗ କରାଯିବ। ଏହି ସୁବିଧା ହୋଟେଲ୍‌ ଓ ହସ୍ପିଟାଲ୍‌କୁ ଯୋଗାଇ ଦିଆଯିବ। ପ୍ରାଥମିକ ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର କଣ୍ଟେନର୍‌ ‘କାସ୍‌କେଡ୍‌ସ୍‌’ ମାଧ୍ୟମରେ ଗ୍ୟାସ୍‌ ବିତରଣ କରାଯିବ। ଆନ୍ଧ୍ରପ୍ରଦେଶର ବିଜୟାଓ୍ଵାଡ଼ାରୁ ଏହା ଆସିବ। ପରେ ଏହି ପ୍ରାକୃତିକ ଗ୍ୟାସ୍‌ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ଲାଇନ୍‌ ଦ୍ୱାରା ବିତରଣ ହେବ। ସେହିପରି ଭୁବନେଶ୍ୱର ଓ କଟକରେ ଯାନବାହନକୁ ଇନ୍ଧନ ଯୋଗାଇବା ନିମନ୍ତେ ୨୫ଟି ସିଏନ୍‌ଜି ଷ୍ଟେସନ୍‌ ନିର୍ମାଣ କରାଯିବ। ଭୁବନେଶ୍ୱରରେ ଚନ୍ଦ୍ରଶେଖରପୁର, ପଟିଆ, ଖଣ୍ଡଗିରି ଓ ତମାଣ୍ଡୋରେ ସିଏନ୍‌ଜି ଷ୍ଟେସନ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର