ଅଧା ଓଡ଼ିଶାରେ ପହଞ୍ଚି ପାରିଲାନି ପାଇପ୍ ପାଣି, ଏବେବି ୫୧% ପରିବାରକୁ ପାଣି ମିଳୁନି

୧୧ ବର୍ଷରେ ଖର୍ଚ୍ଚ ହେଲାଣି ୧୬୩୮୧କୋଟି, ଦୂଷିତ ପାଣି ପିଇ ଲୋକ ରୋଗାକ୍ରାନ୍ତ ହେଉଛନ୍ତି

ଭୁବନେଶ୍ବର : ପ୍ରତି ଘରକୁ ପିଇବା ପାଣି ଯୋଗାଇବା ରାଜ୍ୟ ସରକାରଙ୍କ ମୌଳିକ ଦାୟିତ୍ବ। ଏଥିପାଇଁ ଗତ ୧୧ବର୍ଷରେ ଗ୍ରାମାଞ୍ଚଳରେ ପ୍ରତି ଘରକୁ ପାଇପ୍‌ ପାଣି ଯୋଗାଇବା ପାଇଁ ୧୬୩୮୧କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ହେଲେ ଏପର୍ଯ୍ୟନ୍ତ ଅଧାରୁ ଅଧିକ ଗାଁରେ ପାଇପ୍‌ ପାଣି ପହଞ୍ଚିପାରୁନି। ଲୋକ ଏବେ ଝରଣା, ନଦୀ, ଚୁଆ, ପୋଖରୀ ପାଣି ପିଉଛନ୍ତି। କାଶୀପୁରରେ ହଇଜାର କାରଣ ଦୂଷିତ ପାଣି ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦେବା ପରେ ସରକାରଙ୍କ ଦୀର୍ଘ ବର୍ଷର ଯୋଜନା ଉପରେ ଆଙ୍ଗୁଠି ଉଠିଛି।

୨୦୧୧-୧୨ରୁ ରାଜ୍ୟ ସରକାର ଜାତୀୟ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟକ୍ରମ, ଜଳଜୀବନ ମିସନ୍, ପାଇପ୍ ଜଳ ଯୋଜନା, ବସୁଧା, ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଭଳି ପୁଳାପୁଳା ଯୋଜନା ୧୧ବର୍ଷରେ କରିଛନ୍ତି। କିଛି ଯୋଜନା ୨୦୧୦ ମସିହାରୁ ବି ଆଜି ପର୍ଯ୍ୟନ୍ତ ଚାଲିଛି। ହେଲେ ଏବେ ମାତ୍ର ୪୮.୮୫% ଘରକୁ ପାଇପ୍ ପାଣି ଯୋଗାଣ ହୋଇଛି। ତାହା ପୁଣି କେଉଁଠିକୁ ଦିନକୁ ୧୫ମିନିଟ ତ କେଉଁଠି ଦିନକୁ ଅତି ବେଶିରେ ଘଣ୍ଟାଏ। ବହୁ ଅଞ୍ଚଳରେ ତ ଘରକୁ ପାଇପ୍ ସଂଯୋଗ ଅଛି, ହେଲେ ପାଣି ଯୋଗାଣ ହେଉନି। ଏଭଳି ସ୍ଥିତିରେ ରାଜ୍ୟ ସରକାର କିପରି ୨୦୨୪ ସୁଦ୍ଧା ପ୍ରତି ଘରକୁ ପାଇପ୍ ପାଣି ଯୋଗାଣ କରିବେ ସେନେଇ ପ୍ରଶ୍ନ ଉଠିଛି।

india.mongabay.com

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପ୍ରତିବର୍ଷ ଶହ ଶହ କୋଟିର ଟେଣ୍ଡର ହୋଇ ପାଇପ୍ ପାଣି ଯୋଗାଣ ହେଉଥିଲେ ହେଁ ଲୋକଙ୍କ ଘରେ ପାଇପ୍ ପାଣି ପହଞ୍ଚୁନି। ଯେଉଁଥିପାଇଁ ଲୋକ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଆଉ ରୋଗାକ୍ରାନ୍ତ ହେଉଛନ୍ତି। କିନ୍ତୁ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହୁଛନ୍ତି ଯେ ଯେଉଁଠି ଲୋକଙ୍କ ଘରକୁ ପାଇପ୍ ପାଣି ଯୋଗାଣ ହୋଇନି ସେଠାରେ ଲୋକଙ୍କୁ ନଳକୂପ, ପରିମଳ କୂପ, ସୌରଚାଳିତ ପମ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଶତ ପ୍ରତିଶତ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାର ଏବେ ଜଳଜୀବନ ମିସନ୍, ଓମବାଡକ୍, ଡିଏମ୍‌ଏଫ୍, ଆର୍‌ଆଇଡିଏଫ୍‌ ଯୋଜନାରେ ପୂତନ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବଂ ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପମାନ କରିବାକୁ ପଦକ୍ଷେପ ନେଉଛନ୍ତି।

ଯଦି ମନ୍ତ୍ରୀଙ୍କ କହିବାନୁଯାୟୀ ରାଜ୍ୟ ସରକାର ରାଜ୍ୟର ସବୁ ଘରକୁ ବିଶୁଦ୍ଧ ପାଣି ଯୋଗାଇଛନ୍ତି ତେବେ କାଶୀପୁର‌ ସମେତ ରାୟଗଡ଼ାର ଅଧିକାଂଶ ଗାଁ ଲୋକ କାହିଁକି ଝରଣା ପାଣି ପିଉଥିଲେ? ଯଦି ପ୍ରତି ଗାଁରେ ନଳକୂପ ଅଛି ତେବେ ଲୋକ ମାଇଲ୍‌ ମାଇଲ୍ ଦୂରରୁ କାହିଁକି ପାଣି ବୋହିକି ଆଣୁଛନ୍ତି? ଏବେବି କାହିଁକି ପାଇପ୍ ପାଣି ଯୋଗାଣ ଥିବା ଗାଁରେ ଦିନକୁ ମାତ୍ର ୧୫ରୁ ୨୦ମିନିଟ ପାଣି ଯୋଗାଣ ହେଉଛି? ଏତିକି ପାଣିରେ କ’ଣ ଗୋଟିଏ ଗୋଟିଏ ପରିବାର ଦିନ ଯାକ ଚଳିଯିବ?

stantec.com

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୧-୧୨ରେ ୮୫୦ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩୯୯କୋଟି ୧୭ଲକ୍ଷ, ୨୦୧୨-୧୩ରେ ୬୯୧ଟି ପ୍ରକଳ୍ପ ପାଇଁ ୪୫୧କୋଟି ୭୩ଲକ୍ଷ, ୨୦୧୩-୧୪ରେ ୧୦୭୪ଟି ପ୍ରକଳ୍ପ ପାଇଁ ୫୪୪କୋଟି ୫୮ଲକ୍ଷ, ୨୦୧୪-୧୫ରେ ୫୮୯ଟି ପ୍ରକଳ୍ପ ପାଇଁ ୬୧୫କୋଟି ୯୭ଲକ୍ଷ, ୨୦୧୫-୧୬ରେ ୩୭୮ଟି ପ୍ରକଳ୍ପ ପାଇଁ ୭୬୭କୋଟି ୧୪ଲକ୍ଷ, ୨୦୧୬-୧୭ରେ ୩୫୬ଟି ପ୍ରକଳ୍ପ ପାଇଁ ୬୪୨କୋଟି, ୨୦୧୭-୧୮ରେ ୧୭୧ଟି ପ୍ରକଳ୍ପ ପାଇଁ ୮୫୩କୋଟି ୫୯ଲକ୍ଷ, ୨୦୧୮-୧୯ରେ ୫୩୫ଟି ପ୍ରକଳ୍ପ ପାଇଁ ୧୬୫୫କୋଟି ୫୦ଲକ୍ଷ, ୨୦୧୯-୨୦ରେ ୮୨୭ଟି ପ୍ରକଳ୍ପ ପାଇଁ ୨୮୮୫କୋଟି ୫୭ଲକ୍ଷ, ୨୦୨୦-୨୧ରେ ୧୦୪୩ଟି ପ୍ରକଳ୍ପ ପାଇଁ ୩୨୫୧କୋଟି ୫୪ଲକ୍ଷ, ୨୦୨୧-୨୨ରେ ୬୯୬ଟି ପ୍ରକଳ୍ପ ପାଇଁ ୪୩୧୪କୋଟି ୪୧ଲକ୍ଷ ଖର୍ଚ୍ଚ କରିଛନ୍ତି।

ଏହାବାଦ୍ ଚଳିତବର୍ଷ ରାୟଗଡ଼ାର ୧୫ଟି ଓ କୋରାପୁଟର ୩୧ଟି ଗ୍ରାମପଞ୍ଚାୟତ‌େର ପାନୀୟ ଜଳ ଯୋଗାଣ ପାଇଁ ୩୭୬କୋଟି ୬୫ଲକ୍ଷ ଖର୍ଚ୍ଚ କରିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର