ଭୁବନେଶ୍ବର : ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପାଖପାଖି ୫ଲକ୍ଷ ଗୃହ ଆବଶ୍ୟକ ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ)ରେ ମାତ୍ର ଏକ ଲକ୍ଷ ୨୭ହଜାର ଘର ମିଳିଛି। ଅବଶିଷ୍ଟ ଗୃହ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଆଜି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Advertisment

ଆଜି ଲୋକସେବା ଭବନରେ ସହରାଞ୍ଚଳରେ ଗୃହ ନିର୍ମାଣ, ଜାଗା ମିସନ, ପାନୀୟଜଳ ଓ ଉନ୍ନତି ଯୋଜନାର ସମୀକ୍ଷା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ଜାଗା ମିସନରେ ବର୍ତ୍ତମାନ ସୁଦ୍ଧା ୫୧ହଜାର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଅଧିକାରୀମାନେ କହିଥିଲେ, ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଉ ୨୫ହଜାର ଲୋକଙ୍କୁ ପଟ୍ଟା ମିଳିବ। ତେବେ ଏହି ଯୋଜନା ରାଜ୍ୟର ମହାନଗର ନିଗମଗୁଡ଼ିକରେ କାର୍ଯ୍ୟକାରୀ ହେଉ ନ ଥିବାରୁ ୫ଟି ମହାନଗର ନିଗମରେ ବସବାସ କରୁଥିବା ଲୋକେ କିଭଳି ଘର ପାଇବେ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଥିଲା। ଏହି ମହାନଗର ନିଗମଗୁଡ଼ିକରେ ପାଖାପାଖି ୩ଲକ୍ଷ ୯୦ ହଜାର ଘର ଆବଶ୍ୟକ ଥିବା କୁହାଯାଇଥିଲା। ରାଜ୍ୟ ଗୃହନିର୍ମାଣ ବୋର୍ଡ, ବିଡିଏ ଓ ସିଡିଏ ଭଳି ସଂସ୍ଥାଙ୍କୁ ଏହି ଦାୟିତ୍ବ ଦେବାପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ। ତେବେ ଏହି ଗୃହ ନିର୍ମାଣ କାର୍ଯ୍ୟ କିଭଳି ହେବ ସେଥିପାଇଁ ୨୦୨୦ ମାର୍ଚ୍ଚ ସୁଦ୍ଧା ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଆଜି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସେହିଭଳି ସହରାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୫ଲକ୍ଷ ସହରୀ ପରିବାରକୁ ପାନୀୟଜଳ ସଂଯୋଗ ପାଇଁ ଲକ୍ଷ୍ୟ ରହିଛି। ରାଜ୍ୟ ଯୋଜନାରେ ୬୭୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଏଥିରୁ ୫୫୦ଟି ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୧୨୭ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି ବୋଲି ଅଧିକାରୀମାନେ ସୂଚାଇଥିଲେ। ଅନୁରୂପ ଭାବେ ଅମୃତ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ୧୩୦ଟି ପ୍ରକଳ୍ପ ମଧ୍ୟରୁ ୭୧ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୫୦ଟିର କାର୍ଯ୍ୟ ଚାଲିଛି। ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ କାର୍ଯ୍ୟକାରୀ ହେଉଥିବା ୫୫ଟି ପ୍ରକଳ୍ପ ମଧ୍ୟରୁ ୪୫ଟି ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୦ଟିର କାର୍ଯ୍ୟ ଜାରି ରହିଛି। ମୋଟାମୋଟି ଭାବେ ପାନୀୟଜଳ ଯୋଗାଣ ପାଇଁ କାର୍ଯ୍ୟକାରୀ ହେଉଥିବା ମୋଟ୍‍ ୮୯୩ଟି ପ୍ରକଳ୍ପ ମଧ୍ୟରୁ ୬୭୮ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ୨୧୫ଟି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଧାର୍ଯ୍ୟ ସମୟ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହିତ ବୈଠକରେ ଉନ୍ନତି ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା । ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ସ୍ମାର୍ଟ ପାର୍କ, ଶବଦାହ ଗୃହ ଓ ଷ୍ଟ୍ରିଟ୍‍ ଲାଇଟ୍‍ ପାଇଁ ୩୭୦ କୋଟି ଟଙ୍କାର ବଜେଟ୍‍ ରହିଥିବାବେଳେ ବିଭିନ୍ନ ପ୍ରକଳ୍ପ ତ୍ବରାନ୍ବିତ ଲାଗି ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ, ଓରେରାର ଅଧ୍ୟକ୍ଷ ଅମିୟ କୁମାର ମହାପାତ୍ର, ଗୃହ ନିର୍ମାଣ ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ, ଯୁଗ୍ମ ସଚିବ ସୁଶାନ୍ତ ମିଶ୍ର, ଯନ୍ତ୍ରୀ ମୁଖ୍ୟ ଜନ୍ମେଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।