ପିପିଲି: ମୈଦାନରେ ୧୦ ପ୍ରାର୍ଥୀ, ସବୁଠୁ ଧନୀ ଅଜିତ, ସୁଲୋଚନା ଗରିବ

ପୁରୀ : ପିପିଲି ଉପନିର୍ବାଚନ ନେଇ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଆଜି ଦୁଇଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେବା ପରେ ଚୂଡ଼ାନ୍ତ ତାଲିକାରେ ୧୦ ଜଣ ପ୍ରାର୍ଥୀ ସ୍ଥାନ ପାଇଛନ୍ତି। ବିଜେଡି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ବଡ଼ଭାଇ ସମ୍ବିତ ପଟ୍ଟନାୟକ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଦୀପକ କୁମାର ଦାସ ବି ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ପୂର୍ବରୁ ୩ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା। ଏହି ଭଳି ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରୁ ବାଦ୍‌ ପଡ଼ିଛନ୍ତି।

ଏ ସଂପର୍କରେ ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି, ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଉପନିର୍ବାଚନ ପାଇଁ ଲାଗୁ ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ପାଳନ ପାଇଁ ବିଭିନ୍ନ ସ୍ଥାନରେ ବିଡିଓ ଏବଂ ତହସିଲଦାରମାନଙ୍କୁ ମୁତୟନ କରାଯାଇଛି। ସାଧାରଣ ପର୍ଯ୍ୟବେକ୍ଷକ ମଧ୍ୟ ଇତି ମଧ୍ୟରେ ପିପିଲି ନିର୍ବାଚନ ମଣ୍ଡଳୀ ବୁଲି ଦେଖିଛନ୍ତି। ୧୭ ତାରିଖରେ ୩୪୮ ବୁଥ୍‌ରେ ମତଦାନ ହେବ। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ନିର୍ବାଚନ ଲଢ଼ିବେ ସେମାନଙ୍କ ପାଇଁ ପୋଷ୍ଟାଲ୍‌ ବାଲଟ୍‌ ବନ୍ଦୋବସ୍ତ କରାଯାଇଛି। ଗତ ୧ ଓ ୨ ତାରିଖରେ ପୋଲିଂ ଅଫିସର ଓ ପ୍ରିଜାଇଡିଂ ଅଫିସରଙ୍କ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହୋଇଛି। ପ୍ରଶିକ୍ଷଣରେ ସମସ୍ତଙ୍କୁ କୋଭିଡ୍‌ ଟିକା ଦିଆଯାଇଛି। ଅନ୍ୟପଟେ ସମସ୍ତ ଭୋଟରମାନଙ୍କୁ ମତଦାନ ବେଳେ ମାସ୍କ୍‌ ପରିଧାନ, ସାମାଜିକ ଦୂରତା ରକ୍ଷା ପାଇଁ ନିବେଦନ କରାଯାଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ସବୁଠୁ ଧନୀ ଅଜିତ, ସୁଲୋଚନା ଗରିବ
ପୁରୀ : ପିପିଲି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏହି ପ୍ରାର୍ଥୀମାନେ ନିଜ ନିଜ ସମ୍ପତ୍ତି ତାଲିକା ସହ ଅପରାଧିକ ମାମଲା ଓ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ସତ୍ୟପାଠରେ ଦର୍ଶାଇଛନ୍ତି। ସମ୍ପତ୍ତି ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ଭିତରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ସବୁଠୁ ଧନୀ ହୋଇଥିବା ବେଳେ ଦ୍ବିତୀୟରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଓ ତୃତୀୟରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ରହିଛନ୍ତି। ଅଜିତ ୮ କୋଟିରୁ ଅଧିକ ଟଙ୍କାର ମାଲିକ ହୋଇଥିବାବେଳେ ରୁଦ୍ର ୨ କୋଟିରୁ ଅଧିକ ଟଙ୍କାର ମାଲିକ। ସେହିଭଳି ଆଶ୍ରିତ କୋଟିଏ ଟଙ୍କାର ମାଲିକ। ଅଜିତଙ୍କ ବାର୍ଷିକ ଆୟ ୧୪ ରୁ ୧୭ ଲକ୍ଷ ଟଙ୍କା ରହିଛି। ଅନ୍ୟ ପକ୍ଷରେ ସବୁଠୁ ଗରିବ ତାଲିକାରେ ରହିଛନ୍ତି ସ୍ବାଧୀନ ପ୍ରାର୍ଥୀ ସୁଲୋଚନା ସାହୁ। ସୁଲୋଚନା ଟଙ୍କାଟିଏ ସମ୍ପତ୍ତିର ବି ମାଲିକ ନୁହଁନ୍ତି। ଶିକ୍ଷାଗତ ଯୋଗ୍ୟତାକୁ ବିଚାର କଲେ ସବୁଠୁ ଆଗରେ ରହିଛନ୍ତି ସ୍ବାଧୀନ ପ୍ରାର୍ଥୀ ନଗେନ୍ଦ୍ରନାଥ ମିଶ୍ର। ନଗେନ୍ଦ୍ରନାଥ ଡି.ଲିଟ୍‌ କରିଛନ୍ତି। କିନ୍ତୁ ସ୍ବାଧୀନ ପ୍ରାର୍ଥୀ ସୁଲୋଚନା ଜମାରୁ ପାଠ ପଢ଼ିନାହାନ୍ତି। ସେହିଭଳି ଅପରାଧିକ ମାମଲା ଉପରେ ନଜର ପକାଇଲେ ସବୁଠୁ ଅଧିକ ମାମଲା ଆଶ୍ରିତଙ୍କ ନାମରେ ରହିଛି। ଆଶ୍ରିତଙ୍କ ନାଁରେ ୧୧ଟି ମାମଲା ରହିଛି। ଏହା ପରକୁ ରହିଛନ୍ତି ଅଜିତ। ଅଜିତଙ୍କ ନାମରେ ୬ଟି ମାମଲା ରହିଛି। କିନ୍ତୁ ସ୍ବାଧୀନ ପ୍ରାର୍ଥୀମାନଙ୍କ ନାମରେ କୌଣସି ଥାନାରେ ମାମଲା ନାହିଁ।

ରୁଦ୍ରପ୍ରତାପ ମହାରଥୀ, ବିଜେଡି
ସମ୍ପତ୍ତି: ୨କୋଟି ୫୧ଲକ୍ଷ ୨ହଜାର ୦୯୭ ଟଙ୍କା (ଅସ୍ଥାବର-୮୫.୧୨ ଲକ୍ଷ ଟଙ୍କା ଓ ସ୍ଥାବର-୧.୨ କୋଟି ଟଙ୍କା) ଶିକ୍ଷାଗତ ଯୋଗ୍ୟତା: ଏମବିଏ, ଅପରାଧିକ ମାମଲା: ୩

ଆଶ୍ରିତ ପଟ୍ଟନାୟକ, ବିଜେପି
ସମ୍ପତ୍ତି-୯୭ ଲକ୍ଷ ୬୧ହଜାର ୬୬୮ ଟଙ୍କା ଅପରାଧିକ ମାମଲା- ୧୧, ଶିକ୍ଷାଗତ ଯୋଗ୍ୟତା-ଦଶମ

ଅଜିତ ମଙ୍ଗରାଜ, କଂଗ୍ରେସ
ସମ୍ପତ୍ତି: ଅସ୍ଥାବର-୮ କୋଟି ୧ଲକ୍ଷ ୪୯ ହଜାର ୭ ଟଙ୍କା(୨ କୋଟି ୭୫ ଲକ୍ଷ ୨୫ ହଜାର ୭ ଓ ସ୍ଥାବର- ୫ କୋଟି ୨୬ଲକ୍ଷ ୧୫ହଜାର) ଅପରାଧିକ ମାମଲା: ୬ ଶିକ୍ଷାଗତ ଯୋଗ୍ୟତା: ଗ୍ରାଜୁଏଟ୍‌(ବିଏ)

ଅଶୋକ ପ୍ରଧାନ, ସିପିଆଇ(ଏମ୍‌ଏଲ୍‌)
ସମ୍ପତ୍ତି: ଅସ୍ଥାବର-୩୭ ଲକ୍ଷ ୭୨ହଜାର ୮୭୯ ଟଙ୍କା (୪ଲକ୍ଷ ୮୭ହଜାର ୮୭୯ ଓ ସ୍ଥାବର-୩୨ ଲକ୍ଷ ୮୫ହଜାର) ଅପରାଧିକ ମାମଲା: ୧

ଅଶୋକ ପ୍ରଧାନ, ସିପିଆଇ(ଏମ୍‌ଏଲ୍‌)
ସମ୍ପତ୍ତି: ଅସ୍ଥାବର-୩୭ ଲକ୍ଷ ୭୨ ହଜାର ୮୭୯ ଟଙ୍କା (୪ଲକ୍ଷ ୮୭ହଜାର ୮୭୯ ଓ ସ୍ଥାବର-୩୨ ଲକ୍ଷ ୮୫ହଜାର) ଅପରାଧିକ ମାମଲା: ୧

ଜୟପ୍ରକାଶ ସେଠୀ, ଅଖିଳ ଭାରତ ହିନ୍ଦୁ ମହାସଭା
ସମ୍ପତ୍ତି-୯ଲକ୍ଷ ୫୦ହଜାର ୬ଶହ ଟଙ୍କା ଅପରାଧିକ ମାମଲା-ନାହିଁ , ଶିକ୍ଷାଗତ ଯୋଗ୍ୟତା-ଆଇଟିଆଇ

ମହମ୍ମଦ ଇମାମୁଦ୍ଦିନ, ରିପବ୍ଲିକାନ୍‌ ପାର୍ଟି ଅଫ୍ ଇଣ୍ଡିଆ
ସମ୍ପତ୍ତି- ୩ ଲକ୍ଷ ଟଙ୍କା ଅପରାଧିକ ମାମଲା- ନାହିଁ, ଶିକ୍ଷାଗତ ଯୋଗ୍ୟତା-ଏଲଏଲବି

ନଗେନ୍ଦ୍ରନାଥ ମିଶ୍ର, ସ୍ବାଧୀନ
ସମ୍ପତ୍ତି-୨୩ ଲକ୍ଷ ୨୨ ହଜାର ୭୪୧ ଟଙ୍କା ଅପରାଧିକ ମାମଲା-ନାହିଁ, ଶିକ୍ଷାଗତ ଯୋଗ୍ୟତା-ଡି.ଲିଟ୍‌

ପିଙ୍କଲିନ୍‌ ମହାନ୍ତି, କଳିଙ୍ଗ ସେନା
ସମ୍ପତ୍ତି-୩୩ ହଜାର ଟଙ୍କା ଅପରାଧିକ ମାମଲା-ନାହିଁ, ଶିକ୍ଷାଗତ ଯୋଗ୍ୟତା-ଯୁକ୍ତ ଦୁଇ

ସୁଲୋଚନା ସାହୁ, ସ୍ବାଧୀନ
ସମ୍ପତ୍ତି-ନାହିଁ ଅପରାଧିକ ମାମଲା-ନାହିଁ , ଶିକ୍ଷାଗତ ଯୋଗ୍ୟତ-ପଢ଼ିନାହାନ୍ତି

ସ୍ବପ୍ନେଶ୍ବର ସାହୁ, ସ୍ବାଧୀନ
ସମ୍ପତ୍ତି-୧୩ ହଜାର ୨ ଶହ ଟଙ୍କା ଅପରାଧିକ ମାମଲା- ନାହିଁ, ଶିକ୍ଷାଗତ ଯୋଗ୍ୟତା-ଉପଶାସ୍ତ୍ରୀ

ସମ୍ବନ୍ଧିତ ଖବର