ପୁଣି ଆଶ୍ରିତଙ୍କ ଉପରେ ଭରସା କଲା ବିଜେପି, ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା

ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଦଳ ଏଥର ଉପନିର୍ବାଚନରେ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏଥିସହ ଆଶ୍ରିତଙ୍କୁ ଆଗରେ ରଖି ଏଥର ବିଜେପି ପିପିଲି ଉପ ନିର୍ବାଚନ ଲଢିବ ବୋଲି ପକ୍କା ହୋଇଯାଇଛି । ଆଶ୍ରିତ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ମଧ୍ୟ ପିପିଲରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ହେଲେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କଠାରୁ ସେ ହାରିଯାଇଥିଲେ ।

ସେତେବେଳେ କିନ୍ତୁ ସେ ପ୍ରଦୀପ ମହାରଥୀଙ୍କୁ କଡ୍ଡା ଟକ୍କର ଦେଇଥିଲେ । ତାଙ୍କୁ ପ୍ରାୟ ୭୨ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ତେଣୁ ଏଥର ଉପ ନିର୍ବାଚନରେ ଦଳ ତାଙ୍କୁ ଆଗରେ ରଖି ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ସୂଚନା ଥାଉ କି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏବେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବ |

ଉଲ୍ଲେଖଯୋଗ୍ୟ ଯେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ଏପ୍ରିଲ ୧୭ ତାରିଖରେ ବହୁ ଚର୍ଚ୍ଚିତ ଏହି ଆସନରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର