ପିପିଲି ଉପନିର୍ବାଚନ ପ୍ରସଂଗ ନେଇ ହାଇକୋର୍ଟରେ ମାମଲା

କଟକ: ଖାଲି ପଡ଼ିଥିବା ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ପ୍ରସଂଗ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି। ସୁପ୍ରିମକୋର୍ଟର ଆଇନଜୀବୀ ସମରେନ୍ଦ୍ର ବେଉରାଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଗତ ଅକ୍ଟୋବର ୪ରେ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲିପଡିଛି। ଜନ ପ୍ରତିନିଧି ଆଇନର ଧାରା ୧୫୧-କ, ୧୪୯ ଓ ଅନ୍ୟାନ୍ୟ ଧାରା ଅନୁସାରେ କୌଣସି କାରଣରୁ ବିଧାନସଭା ଆସନ ଖାଲି ପଡିଲେ ୬ ମାସ ଭିତରେ ଉପନିର୍ବାଚନ ହେବା କଥା। କିନ୍ତୁ ପିପିଲି ଉପନିର୍ବାଚନ ପାଇଁ କୌଣସି ବିଜ୍ଞପ୍ତି ନିର୍ବାଚନ କମିସନଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ପୂର୍ବରୁ ମଧ୍ୟ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ କରାଯାଇଥିଲା। ଏ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହାପରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥର ପିପିଲି ଉପନିର୍ବାଚନ ପାଇଁ ମଧ୍ୟ ସମାନ ଅବସ୍ଥା ଦେଖା ଦେଇଛି। ବାରମ୍ବାର ଉପନିର୍ବାଚନ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କ୍ଷେତ୍ର‌େର ଏପରି ବିଳମ୍ବ କରାଯାଉଛି। ଏ ନେଇ ସ୍ବତନ୍ତ୍ର ନିୟମାବଳୀ ପ୍ରଣୟନ କରିବାକୁ ନି‌ର୍ଦ୍ଦେଶ ଦିଆଯାଉ। ଉପନିର୍ବାଚନ ପ୍ରସଂଗରେ ନିର୍ବାଚନ କମିସନ ନିଜ ଦାୟିତ୍ବ କିଭଳି ସୁଚାରୁ ଭାବେ ସଂପାଦନ କରିବେ ସେଥି ପାଇଁ ଏପରି ନିୟମାବଳୀର ଆବଶ୍ୟକତା ରହିଛି ବୋଲି ଆବେଦନକ‌ାରୀ ଦର୍ଶାଇଛନ୍ତି।

ଏଥିସହିତ ତୁରନ୍ତ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବାକୁ ନିର୍ବାଚନ କମିସନଙ୍କୁ ନ‌ିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ଭାରତର ନିର୍ବାଚନ କମିସନ ଓ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର