ପିପିଲି ଉପନିର୍ବାଚନ: ପୋଷ୍ଟାଲ ବାଲଟ୍‌ରେ ଭୋଟ୍‌ ଦେବେ ସନ୍ଦିଗ୍ଧ କୋଭିଡ୍‌ ଆକ୍ରାନ୍ତ

କୋଭିଡ୍‌ମୁକ୍ତ ନିର୍ବାଚନ ପାଇଁ ସବୁ ବ୍ୟବସ୍ଥା, ୩୪୮ଟି ବୁଥ୍‌ରୁ ୨୦୧ଟି ସମ୍ବେଦନଶୀଳ

ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ। ଏହାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି ହୋଇଛି। ଏହି ଉପ ନିର୍ବାଚନକୁ କୋଭିଡ ମୁକ୍ତ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ବାରା ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୬୯୬ଜଣ କର୍ମଚାରୀଙ୍କୁ ବୁଥ୍‌ ବାହାରେ ନିୟୋଜିତ କରାଯିବ। ସେମାନେ କୋଭିଡ ନିୟମାବଳୀ ପାଳନ ସମ୍ପର୍କରେ କାର୍ଯ୍ୟ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ କହିଛନ୍ତି ଯେ ଏଥର ନିରବ ସମୟ ୪୮ଘଣ୍ଟାରୁ ୭୨ଘଣ୍ଟାକୁ ବୃଦ୍ଧି କରାଯାଇଥିବାରୁ ୨୭ ତାରିଖ ସଂଧ୍ୟା ୬ଟାରୁ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି। ଏହି ସମୟରେ ନିର୍ବାଚନମଣ୍ଡଳୀ ମଧ୍ୟରେ ଭୋଟରଙ୍କ ବ୍ୟତୀତ କୌଣସି ବାହାର ଲୋକ ରହିପାରିବେ ନାହିଁ। ଯଦି କେହି ରହିଥିବା ଜଣାପଡ଼ିବ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ଉପନିର୍ବାଚନ ପାଇଁ ୩୪୮ଟି ପୁଲିଂ ପାର୍ଟି ନିୟୋଜିତ ହୋଇଥିବାବେଳେ ସେମାନଙ୍କୁ ଆଜିଠାରୁ ତିନିଟି ପର୍ଯ୍ୟାୟରେ କଡ଼ା କୋଭିଡ କଟକଣା ମଧ୍ୟରେ ବୁଥ୍‌ଗୁଡ଼ିକୁ ପଠାଯାଇଛି। ସକାଳ ୬ଟା ୩୦ରୁ ସକାଳ ୧୦ଟା ଯାଏ ପ୍ରଥମ ପର୍ଯ୍ୟାୟ, ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ, ଅପରାହ୍ନ ୧ଟାରୁ ୪ଟା ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟରେ ପଠାଯାଉଛି। ଏହି ଉପନିର୍ବାଚନରେ ୧୪୯୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହା ମଧ୍ୟରେ ୯୮ଜଣ ସଂରକ୍ଷିତ କର୍ମଚାରୀ ଅଛନ୍ତି।
ଏଥର ମୋଟ୍‌ ୩୪୮ଟି ବୁଥ୍‌ ହୋଇଥିବାବେଳେ ଏଥିରୁ ୨୦୧ଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି। ତେଣୁ ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ସହ ଅବାଧ ଓ ମୁକ୍ତ ନିର୍ବାଚନ ନିର୍ବାଚନ ନିମନ୍ତେ ତିନି କମ୍ପାନି ବିଏସ୍‌ଏଫ୍‌ଙ୍କ ସହ ପ୍ରାୟ ୨ହଜାର ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପୁରୀ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ୩୨ଟି ମୋବାଇଲ୍‌ ସୁରକ୍ଷା ଦଳ ଗଠନ କରାଯାଇଛି। ଯାହାକୁ ୭ଜଣ ଡିଏସ୍‌ପି ଓ ୩ଜଣ ଅତିରିକ୍ତ ଅଧୀକ୍ଷକ ସହାୟତା କରିବେ। ସମସ୍ତ ସମ୍ବେଦନଶୀଳ ବୁଥ୍‌ରେ କେନ୍ଦ୍ରୀୟ ସଶସ୍ତ୍ର ବଳ/ମାଇକ୍ରୋ ଅବଜରଭର/ ୱେବ୍ କ୍ୟାମେରା ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି। ନିର୍ବାଚନ କାର୍ଯ୍ୟରେ ୪୩୨ଟି ଯାନ ନିୟୋଜିତ କରାଯାଇଥିବାବେଳେ ସମସ୍ତ କର୍ମଚାରୀ, ନିର୍ବାଚନ ଦାୟିତ୍ବରେ ଥିବା ସମସ୍ତ ଅଧିକାରୀଙ୍କୁ କୋଭିଡ ଟିକା ଦିଆଯାଇଛି। ସମସ୍ତ ପ୍ରାର୍ଥୀଙ୍କ ଦ୍ବାରା ନିୟୋଜିତ ହୋଇଥିବା ଏଜେଣ୍ଟ, ଗଣତି ଏଜେଣ୍ଟଙ୍କୁ ବି ସ୍ବତନ୍ତ୍ର ଶିବିର କରି ଟିକା ଦିଆଯାଇଛି।

ପିପିଲି ଉପନିର୍ବାଚନ ନିମନ୍ତେ ମୋଟ୍‌ ୩୪୮ଟି ବ୍ୟାଲଟ ୟୁନିଟ୍, ୩୪୮ଟି କଣ୍ଟ୍ରୋଲ ୟୁନିଟ, ୩୪୮ଟି ଭିଭିପ୍ୟାଟ୍‌କୁ ନିୟୋଜିତ କରାଯାଇଥିବାବେଳେ ପର୍ଯ୍ୟାପ୍ତ ପରିମାଣର ଇଭିଏମ୍‌କୁ ବି ଗଚ୍ଛିତ ରଖାଯାଇଛି। ନିର୍ବାଚନ ସମୟରେ ଇଭିଏମ୍‌ରେ କୌଣସି ତ୍ରୁଟି ଦେଖାଗଲେ ତୁରନ୍ତ ଏହାକୁ ସୁଧାରିବାକୁ ହାଇଦ୍ରାବାଦରୁ ଆସିଥିବା ୮ଜଣ ଇଞ୍ଜିନିୟରଙ୍କୁ ନିର୍ବାଚନ ମଣ୍ଡଳିର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ୮୦ ବର୍ଷରୁ ଊର୍ଦ୍ଧ୍ବ, ଦିବ୍ୟାଙ୍ଗ ଏବଂ ସନ୍ଦିଗ୍ଧ କୋଭିଡ ୍ଆକ୍ରାନ୍ତ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲଟ୍‌ ମାଧ୍ୟମରେ ଭୋଟ୍‌ ଗ୍ରହଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି। ୯୨୪ଜଣଙ୍କୁ ପୋଷ୍ଟାଲ ବାଲଟ୍‌ ମାଧ୍ୟମରେ ଭୋଟ୍‌ ଦେବାକୁ ଚିହ୍ନଟ କରାଯାଇଥିବା କୁହାଯାଇଛି।

ଏଥର ୩୦୦୯ଜଣ ଦିବ୍ୟାଙ୍ଗ ଭୋଟ୍‌ ଦେବାକୁ ଥିବାରୁ ସେମାନଙ୍କୁ ଘରୁ ଆଣିବା ଠାରୁ ଆରମ୍ଭ କରି ମତଦାନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରତି ଭୋଟରଙ୍କୁ ସେମାନଙ୍କ କ୍ରମିକ ସଂଖ୍ୟା ଓ ବୁଥ୍‌ ସମ୍ପର୍କ‌େର ଆଗୁଆ ସୂଚନା ଦେବା ପାଇଁ ସମସ୍ତ ଭୋଟରଙ୍କୁ ଚିରକୁଟ ଦେବା ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ ନିର୍ବାଚନ ପ୍ରଚାର ସମୟରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଅଦ୍ୟାବଧି ୩ଟି କେସ୍‌ ରୁଜୁ କରାଯାଇଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ଟି କେସ୍ ମହାମାରୀ ଆଇନ୍ ୧୮୯୭ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ବଳରେ ରୁଜୁ କରାଯାଇ ଅଭିଯୁକ୍ତଙ୍କ ଠାରୁ ୫ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି ବୋଲି ଶ୍ରୀ ଲୋହାନୀ କହିଛନ୍ତି। ସେହିପରି ନିର୍ବାଚନ ଦିନ ପିପିଲି ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କ ପାଇଁ ସବୈତନିକ ଛୁଟି ମଞ୍ଜୁର ହୋଇଛି। ବାଣିଜ୍ୟିକ ଅନୁଷ୍ଠାନ ଓ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ କି ଭୋଟର ହୋଇଥିବେ ସେମାନଙ୍କ ପାଇଁ ବି ସବୈତନିକ ଛୁଟି ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର