ପିପିଲି ଉପନିର୍ବାଚନ : ସିଇଓଙ୍କ ଦ୍ବାରସ୍ଥ ହେଲେ ବିଜେପି, ବିଜେଡି

ପିପିଲିରେ ବ୍ୟାପକ କେନ୍ଦ୍ରୀୟ ବଳ ମୁତୟନ କରାଯାଉ

ଭୁବନେଶ୍ବର : ପିପିିଲି ଉପନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ କରିବା ପାଇଁ ବିଭିନ୍ନ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବା ସହିତ ସିସିଟିଭି ଲଗାଇବା ପାଇଁ ବିଜେପି ପ୍ରତିନିଧି ଦଳ ଦାବି କରିଛି।

ଆଜି ବିଜେପି ନେତାମାନେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରି ଜଣାଇଛନ୍ତି ଯେ ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି। ସେଥିପାଇଁ ବିଜେଡିର ଗୁଣ୍ଡାମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରି ଚାଲିଛନ୍ତି। ଏପ୍ରିଲ ୧୦ ତାରିଖ ଦିନ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଓ ୧୧ ତାରିଖରେ ଡେଲାଙ୍ଗ ଥାନା ବ୍ରାହ୍ମଣବାଡ ଗ୍ରାମରେ ବିଜେପି କର୍ମୀ ଅଶ୍ବିନୀ ସାହୁ ଓ ତାଙ୍କର ୪ଜଣ ସହଯୋଗୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିଲେ।

ଏହି ପ୍ରତିନିଧି ଦଳରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳିନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଲିଗାଲ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

ନିର୍ବାଚନରେ ହିଂସା ବିଜେପି ପାଇଁ ନୂଆ ନୁହେଁ: ବିଜେଡି
ଭୁବନେଶ୍ବର : ୨୦୧୮ରେ ବି‌‌ଜେପୁର ଉପନିର୍ବାଚନରେ ବିଜେପି ବିଭିନ୍ନ ନିର୍ବାଚନୀ ହିଂସା କରିଥିଲା। ନିକଟରେ ପିପିଲିରେ ଦୁଇ ଜଣ ବିଜେପି ନେତାଙ୍କ ଠାରୁ ୫୦ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏଥିରୁ ଜଣାପଡ଼ୁଛି ବିଜେପି ଉତ୍ତର ପ୍ରଦେଶ ଓ ବିହାରରେ ଯେଉଁଭଳି ନିର୍ବାଚନୀ ହିଂସା କରେ ସେହିପରି ଓଡ଼ିଶାରେ କରିବାକୁ ଚାହୁଁଛି। ରାଜନୀତି ଓ ନିର୍ବାଚନରେ ହିଂସା ବିଜେପି ପାଇଁ ନୂଆ ନୁହେଁ ତାହା ପ୍ରମାଣିତ ହୋଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଦଳ ପକ୍ଷରୁ କୁହାଯାଇଛି ଯେ ଶାନ୍ତିପ୍ରିୟ ଓଡ଼ିଶାକୁ ବିଜେପି ହିଂସା ପ୍ରଭାବିତ ରାଜ୍ୟରେ ପରିଣତ କରିବାକୁ ଚାହୁଁଛି।

ବିଜେପି ନେତା ଓ କର୍ମୀ ଯେଉଁଭଳି ବିଜେଡି ନେତା ଓ ତାଙ୍କ ପରିବାରର ମହିଳାଙ୍କ ଉପରେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ସେମା‌ନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହିଭଳି ଦାବି ନେଇ ଆଜି ସାଂସଦ ସସ୍ମିତ ପାତ୍ର, ସାଂସଦ ସୁଜିତ କୁମାର, ବିଜେଡି ନେତା ଲେନିନ୍‌ ମହାନ୍ତି, ସୁଲତା ଦେଓ, ଶ୍ରୀମୟୀ ମିଶ୍ର, ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭେଟିଛନ୍ତି।

ସମ୍ବନ୍ଧିତ ଖବର