ପିପିଲି ଉପନିର୍ବାଚନ: ପୁଣି ପ୍ରଚାରକୁ ବାହାରିଲେ ପ୍ରାର୍ଥୀ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଆଉ ସମର୍ଥକମାନେ ପୁଣିଥରେ ସଜବାଜ ହୋଇ ପ୍ରଚାରକୁ ବାହାରିଗଲେଣି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ଓ ଅନ୍ୟ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଲେଣି। ତେବେ କରୋନା ଭୟ ସମସ୍ତଙ୍କୁ ଆତଙ୍କିତ କରିଛି। ସମସ୍ତ ପ୍ରାର୍ଥୀ ସମାନ ଢଙ୍ଗରେ ନିଜର ୪/୫ ସମର୍ଥକଙ୍କ ସହ ଘରକୁ ଘର ବୁଲି ଭୋଟ୍‌ ଭିକ୍ଷା କରୁଛନ୍ତି।

ସୂଚନା ଅନୁସାରେ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ସାନି ନିର୍ବାଚନ ତାରିଖ ଘୋଷଣା ହୋଇଛି। ମେ ୧୬ ତାରିଖରେ ନିର୍ବାଚନ ହେବ ଓ ତିନିଦିନ ପରେ ଅର୍ଥାତ ୧୯ତାରିଖରେ ଗଣତି ହେବ। ମତଦାନର ୭୨ ଗଣ୍ଟା ପୂର୍ବରୁ ଅର୍ଥାତ ୧୩ ତାରିଖ ସନ୍ଧ୍ୟାରୁ ପ୍ରଚାର ସରିବ। ତେବେ ନିର୍ବାଚନ ଆଉ ମାତ୍ର ୧୩ ଦିନ ବାକି ରହିଛି। ରାଜ୍ୟ ସରକାର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ନିର୍ବାଚନ କାର୍ଯ୍ୟ ସ୍ବାଭାବିକ ଚାଲିବ ବୋଲି ସରକାର କହିଛନ୍ତି। ତେବେ, ନିର୍ବାଚନକୁ ନେଇ ସବୁଠାରୁ ଅଧିକ ଚିନ୍ତାରେ ପଡ଼ିଛନ୍ତି ଛାମୁଆ ନେତାମାନେ। ଭୋଟରମାନଙ୍କ ମଧ୍ୟରୁ ଅସନ୍ତୋଷକୁ ଦୂରେଇ ନୂଆ କିଛି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ବାଟକୁ ଆଣିଥିଲେ। ନିଜ ଦଳ ସପକ୍ଷରେ ଭୋଟ ଦେବାକୁ ସେମାନଙ୍କୁ ମନାଇଥିଲେ। ଏବେ କିନ୍ତୁ ମୂଳରୁ ପୁଣି ଆରମ୍ଭ କରିବାକୁ ପଡ଼ିବ ବୋଲି ବିଭିନ୍ନ ରାଜନୈତିକ ଶିବିରରେ ଆଲୋଚନା ଆରମ୍ଭ ହୋଇଯାଇଛି।

ଅନ୍ୟପକ୍ଷରେ ବିଜେଡି ଓ ବିଜେପିର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨ହଜାରରୁ ଅଧିକ ନେତା, ନେତ୍ରୀ, ମନ୍ତ୍ରୀ , ବିଧାୟକ, ଦଳର ବିଭିନ୍ନ ବିଭାଗର କର୍ମକର୍ତ୍ତା, ନାରୀନେତ୍ରୀମାନେ ଆସି ପିପିଲି ଡେଲାଙ୍ଗରେ ଡେରା ପକାଇ ରହିଥିଲେ। ଦଳକୁ ଜିତାଇବା ପାଇଁ ଏକ ପ୍ରକାରରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ଅଜିତଙ୍କ ବିୟୋଗ ଜନିତ ବିରତିରେ ନିଜନିଜ ଅଞ୍ଚଳକୁ ଫେରିଯାଇଥିଲେ। ଏବେ ସେମାନେ ପୁଣି ସୋମବାର ପିପିଲି ଫେରିବେ ବୋଲି ଏଠାରେ ଚର୍ଚ୍ଚା ଚାଲିଛି। ଏହାମଧ୍ୟରେ ଆଗରେ ଅଛି ବିଜେଡି। ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ଜିତାଇବା ପାଇଁ ମହିଳା ନେତ୍ରୀମାନେ ଏବେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଘରେ ଘରେ ଶଙ୍ଖ ଚିହ୍ନ ଷ୍ଟିକର ମାରିବା ସହ ମାସ୍କ, ସାନିଟାଇଜର୍‌ ଦେଇ ରୁଦ୍ରଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ବାପାଙ୍କ ଅଧୁରା ସ୍ବପ୍ନକୁ ସାକାର କରିବା ପ୍ରତିଶ୍ରୁତି ଦେଇ ଭୋଟରଙ୍କୁ ଭେଟୁଛନ୍ତି ରୁଦ୍ର। ସେହିପରି ବିଜେପି ପ୍ରାର୍ଥୀ ଆଶ୍ରିତ ମଧ୍ୟ ଅଞ୍ଚଳର ବିଭିନ୍ନ ପ୍ରମୁଖ ସମସ୍ୟର ସମାଧାନର ପ୍ରତିଶ୍ରୁତି ଦେଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ଇତି ମଧ୍ୟରେ କଂଗ୍ରେସର ନବାଗତ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ମଧ୍ୟ ଡେଲାଙ୍ଗ ଅଞ୍ଚଳରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର