ପିପିଲି ଉପନିର୍ବାଚନ: ତିନିଟି ବୁଥରେ ଇଭିଏମ୍ ଅଚଳ, ମତଦାନ ପ୍ରକ୍ରିୟା ବିଳମ୍ବିତ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ଆଜି କୋଭିଡ୍ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଛି। କେତେକ ମତଦାନ କେନ୍ଦ୍ରରେ ଇଭିଏମ୍ ଅଚଳ ହେବା କାରଣରୁ ମତଦାନ ପ୍ରକ୍ରିୟାରେ ବିଳମ୍ବ ଘଟିଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନୂଆଶାସନ ଦକ୍ଷିଣସାହିର ୨୦୩ ନମ୍ବର ବୁଥ, ୧୩୯-ଏ ଓ ୧୭୭ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି। ଏଠାରେ ଲମ୍ବା ଲାଇନରେ ଠିଆ ହୋଇଥିବା ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପିପିଲି ବ୍ଲକର ସମୁଦାୟ ୧୯୯ଟି ବୁଥ୍ ଓ ଡେଲାଙ୍ଗ ବ୍ଲକର ୧୪୯ଟି ବୁଥରେ ମତଦାନ ଜାରି ରହିଛି। ୧,୧୯,୨୦୬ ଜଣ ପୁରୁଷ ଭୋଟର ଓ ୧,୧୦,୭୯୦ଜଣ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏହାବାଦ୍ ୨ ଜଣ ତୃତୀୟ ଲିଙ୍ଗ ଓ ୩୨୧ଜଣ ସର୍ଭିସ୍ ଭୋଟର୍ ମଧ୍ୟ ଭୋଟ୍ ଦେବେ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ।
ସେପଟେ ୨୦୧ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସମ୍ବେଦନଶୀଳ ବୁଥର ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୨୩ଟି ବୁବୁଥରେ  ମାଇକ୍ରୋ ଅବଜର୍ଭର ଓ ୧୨ଟି ବୁଥରେ ଭିଡିଓ ଉତ୍ତୋଳନ ବ୍ୟବସ୍ଥା ହୋଇଛି। ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯାଇଛି। ଶୃଙ୍ଖଳିତ ମତଦାନ ପାଇଁ ୧୯୮୩ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ୩୨ଟି ମୋବାଇଲ୍ ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି। ପିପିଲି ଓ ଡେଲାଙ୍ଗର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଓ ପୁଲିସ ମୁତୟନ ହୋଇଛନ୍ତି। ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ଟି ବୁଥରେ ହ୍ବିଲ୍ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି। ବୁଥକୁ ନେବା ଆଣିବା ପାଇଁ ଡେଲାଙ୍ଗ ବ୍ଲକରେ ୭୧ ଏବଂ ପିପିଲି ବ୍ଲକରେ୨୮ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନ ପରିଚାଳନା ପାଇଁ ୩୪୮ ବୁଥ୍ ପାଇଁ ୩୪୮ଟି ପୋଲିଂ ପାର୍ଟି ଗଠନ କରାଯାଇଥିବାବେଳେ ପ୍ରତି ଟିମରେ ସୁରକ୍ଷା କର୍ମୀଙ୍କୁ ମିଶାଇ ୫ ଜଣ ରହିଛନ୍ତି। ୭୦ଟି ପୋଲିଂ ପାର୍ଟି ରିଜର୍ଭ ରଖାଯାଇଛି।

 

ସମ୍ବନ୍ଧିତ ଖବର