ପିପିଲି ଉପନିର୍ବାଚନ: ପ୍ରଶିକ୍ଷଣ ‌ଶେଷ, ୨୮ରେ ବୁଥକୁ ଯିବେ ପୋଲିଂ ପାର୍ଟି

ପୁରୀ : ଆଉ ୪ ଦିନ ପରେ ପିପିଲି ଉପନିର୍ବାଚନ। ସେପ୍ଟେମ୍ବର ୩୦ ସକାଳ ୭ଟାରୁ ଆରମ୍ଭ ହେବ ମତଦାନ। ସକାଳ ସାଢ଼େ ୫ଟାରୁ ଆରମ୍ଭ ହେବ ମକପୋଲ୍‌। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତିପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୋଲିଂ ପାର୍ଟିଙ୍କ ଶେଷ ପ୍ରଶିକ୍ଷଣ ଆଜି ଶେଷ ହୋଇଛି। ଦିନକ ପରେ ଅର୍ଥାତ୍‌ ସେପ୍ଟମ୍ବର ୨୮ରେ ୧୪ଶହ ପୋଲିଂ ପାର୍ଟି ପିପିଲି ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ପୁରୀ ପେଣ୍ଠକଟାସ୍ଥିତ ୱେୟାର ହାଉସଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହିଠାରୁ ପୋଲିଂ ପାର୍ଟି, ଅଫିସରମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଥିବାରୁ ସଂକ୍ରମଣମୁକ୍ତ ପରିବେଶ ଭିତରେ ମତଦାନ ସଂପର୍କିତ କାଗଜପତ୍ର ବଣ୍ଟନ ପାଇଁ ୧୦ଟି ବିତରଣ କେନ୍ଦ୍ର ଖୋଲାଯାଇଛି।

ପିପିଲି ଉପନିର୍ବାଚନ ପାଇଁ ୩୪୮ ବୁଥ୍‌ ଖୋଲିଥିବାବେଳେ ଉଭୟ ଡେଲାଙ୍ଗ ଓ ପିପିଲିର ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏ ସଂପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ପିପିଲି ଉପନିର୍ବାଚନ ରିଟର୍ଣ୍ଣିଂ ଅଫିସର ପ୍ରଦୀପ କୁମାର ସାହୁ କହିଛନ୍ତି କି ପିପିଲି ଉପନିର୍ବାଚନ ପାଇଁ ୧୭୪୦ଜଣ ପୋଲିଂ ପର୍ସୋନେଲ୍‌ ନିୟୋଜିତ ହୋଇଛନ୍ତି। ୩୪୦ଜଣଙ୍କୁ ରିଜର୍ଭ ରଖାଯାଇଛି। ସଂକ୍ରମଣ ଆଶଙ୍କା ରହିଥିବାରୁ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ଆମେ ପୋଲିଂ ପାର୍ଟିଙ୍କୁ ଛାଡ଼ିବାକୁ ଯୋଜନା କରିଛୁ। ତିନୋଟି ପର୍ଯ୍ୟାୟରେ ପୋଲିଂ କର୍ମଚାରୀମାନେ ପିପିଲି ଅଭିମୁଖେ ଯାତ୍ରା କରିବେ। ପ୍ରଥମ ପର୍ଯ୍ୟାୟରେ ସକାଳ ସାଢ଼େ ୬ଟାରୁ ପୂର୍ବାହ୍ଣ ୧୦ଟା ଭିତରେ ୧ରୁ ୧୧୬ ବୁଥ୍‌ ପର୍ଯ୍ୟନ୍ତ ପୋଲିଂ କର୍ମଚାରୀମାନେ ନିଜ ନିଜ ପୋଲିଂ କାଗଜପତ୍ର ସଂଗ୍ରହ କରି ପିପିଲି ଯିବେ। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ଭିତରେ ୧୧୭ରୁ ୨୩୨ ବୁଥ୍‌ ଓ ତୃତୀୟ ପର୍ଯ୍ୟାୟରେ ଅପରାହ୍ଣ ୧ଟାରୁ ସାଢ଼େ ୩ଟା ଭିତରେ ୨୩୩ରୁ ୩୪୮ର ବୁଥ୍‌ର ପୋଲିଂ କର୍ମଚାରୀମାନେ ପୋଲିଂ କାଗଜପତ୍ର ସଂଗ୍ରହ କରି ପିପିଲି ଅଭିମୁଖେ ଯାତ୍ରା କରାଯାଇଛି।

ଏଥିପାଇଁ ୱେୟାର ହାଉସଠାରେ ୧୦ଟି ବିତରଣ କେନ୍ଦ୍ର ଖୋଲାଯାଇଛି। ପ୍ରତି କେନ୍ଦ୍ରରେ ୧୧ଟି ପୋଲିଂ ଷ୍ଟେସନର ୨୨ଜଣ ପୋଲିଂ କର୍ମଚାରୀମାନେ ରହିପାରିବେ। ଏଥିସହ ସୂଚନା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ପାନୀୟ ଜଳ ଓ ଅଗ୍ନିଶମ ବ୍ୟବସ୍ଥା କରାଯାଇଛି। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି। ଅନ୍ୟପଟେ ଆଜି ଜିଲ୍ଲାପାଳ ସମର୍ଥ ବର୍ମା ୱେୟାର ହାଉସ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। କୋଭିଡ୍‌ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ରେ ମତଦାନ ପରେ ଅକ୍ଟୋବର ୩ରେ ଭୋଟ ଗଣତି ହେବ। ପିପିଲି ଉପନିର୍ବାଚନରେ ୧୦ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ଦେବେ। ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରିଟର୍ଣ୍ଣିଂ ଅଫିସର ଶ୍ରୀ ସାହୁଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ସୁମନ୍ତ କର, ଆସିଷ୍ଟାଣ୍ତ କମାଣ୍ଡାଣ୍ଡ୍‌ ଜିତେନ୍ଦ୍ର କୁମାର ଦେହୁରୀଙ୍କ ସମେତ ପିପିଲି ତହସିଲଦାର ଓ ବିଡିଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର