ପୁରୀ : ପିପିଲି ଉପନିର୍ବାଚନ ପାଇଁ ୮ଦିନ ଧରି ଚାଲିଥିବା ପ୍ରଚାର ଆଜି ଶେଷ ହୋଇଛି। ବିଭିନ୍ନ ଦଳର ନେତାମାନେ ଶେଷଦିନରେ ମାରଥନ୍ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି।
ସୋମବାର ସଂଧ୍ୟା ୬ଟାରୁ ନିର୍ବାଚନ ପ୍ରଚାରକୁ ନିଷିଦ୍ଧ କରାଯାଇଥିବାବେଳେ ସେପ୍ଟେମ୍ବର ୩୦ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପିପିଲି ଓ ଡେଲାଙ୍ଗ ବ୍ଲକ୍ର ୩୪୮ ବୁଥ୍ରେ ୨ଟି ବ୍ଲକ୍ର ୨ଲକ୍ଷ ୨୯ହଜାର ୯୯୮ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।। ଏଥିପାଇଁ ମଙ୍ଗଳବାର ସକାଳୁ ପୋଲିଂ ପାର୍ଟିଗୁଡ଼ିକ ବୁଥ୍କୁ ଯିବେ। ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ପିପିଲି ଉପନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ରିଟର୍ଣ୍ଣିଂ ଅଫିସର ପ୍ରମୁଖଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।
ପିପିଲି ନିର୍ବାଚନମଣ୍ଡଳୀର ମୋଟ ୩୪୮ଟି ବୁଥରୁ ୧୭୫ଟି ସମ୍ବେଦନଶୀଳ ତାଲିକାରେ ରହିଥିବାବେଳେ ଏଥିରୁ ୧୦୨ଟି ଅତି ସମ୍ବେଦନଶୀଳ ଓ ୭୩ଟି ସମ୍ବେଦନଶୀଳ ରହିଛି। ଏହି ୧୭୫ ବୁଥରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୨୩ଟି ବୁଥରେ ମାଇକ୍ରୋ ପର୍ଯ୍ୟବେକ୍ଷକ ଓ ୧୨ଟି ବୁଥରେ ଭିଡିଓ ଉତ୍ତୋଳନ ବ୍ୟବସ୍ଥା କରାଯାଇଛି। ଆଜି ଜିଲ୍ଲାପାଳ ସମର୍ଥ ବର୍ମା ଏ ସମସ୍ତ ବ୍ୟବସ୍ଥାର ଶେଷ ପର୍ଯ୍ୟାୟ ଯାଞ୍ଚ କରିଛନ୍ତି।
ଅପରପକ୍ଷେ ଆଜି ଶେଷ ଦିନରେ ବିଜେପି ପକ୍ଷରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେଡି ପକ୍ଷରୁ ବିଧାୟକ ଦେବୀ ମିଶ୍ର, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/pipili-2.jpg)