ସରିଲା ପିପିଲି ଉପନିର୍ବାଚନ: ୩ରେ ଭୋଟ୍‌ ଗଣତି

୭୭.୫% ମତଦାନ, ବହୁ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି

ପୁରୀ/ପିପିଲି : ପିପିଲି ଉପନିର୍ବାଚନ ମତଦାନ ଗୁରୁବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଭୋଟରମାନେ ସେମାନଙ୍କ ପରବର୍ତ୍ତୀ ବିଧାୟକଙ୍କୁ ଭୋଟ୍‌ ଦେଇ ଚୟନ କରିଛନ୍ତି। ଇଭିଏମ୍‌ରେ ସିଲ୍‌ ହୋଇଛି ୧୦ ବିଧାୟକ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ। ଖବର ଲେଖା ହେବା ସୁଦ୍ଧା ୭୭.୫ ପ୍ରତିଶତ ମତଦାନ ହୋଇଛି। କେତେକ ଇଭିଏମ୍‌ରେ ତ୍ରୁଟି ଯୋଗୁ ମତଦାନରେ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି। ରାତି ସାଢ଼େ ୯ଟା ଯାଏଁ ଗୋଟିଏ ବୁଥରେ ମତଦାନ ଚାଲିଥିଲା। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ଇଭିଏମ୍‌ ପୁରୀ ୱେୟାର ହାଉସଠାରେ ପହଞ୍ଚିଥିବା ବେଳେ ଅକ୍ଟୋବର ୩ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ।

ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଭାବେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ସିପିଆଏମ୍‌ଏଲ୍‌ରୁ ଅଶୋକ ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, ରିପବ୍ଲିକାନ୍‌ ପାର୍ଟି ଅଫ୍ ଇଣ୍ଡିଆରୁ ମହମ୍ମଦ ଇମାମୁଦ୍ଦିନ, କଳିଙ୍ଗ ସେନାର ପିଙ୍କଲିନ୍‌ ମହାନ୍ତି, ସ୍ବାଧୀନ ପ୍ରାର୍ଥୀ ଭାବେ ନଗେନ୍ଦ୍ରନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ବପ୍ନେଶ୍ବର ସାହୁ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ପିପିଲି ବ୍ଲକ୍‌ର ୧୯୯ଟି ଓ ଡେଲାଙ୍ଗ ବ୍ଲକ୍‌ର ୧୪୯ଟି ବୁଥ୍‌ରେ ଭୋଟରମାନେ ସେମାନଙ୍କ ମିଦାନ ଅଧିକାର ସାବ୍ୟସ୍ତ କରିଥିଲେ। ମକ୍‌ପୋଲ୍‌ ପରେ ସକାଳ ୭ଟାରୁ ବିଭିନ୍ନ ବୁଥ୍‌ରେ ମତଦାନ ଆରମ୍ଭ ହୋଇଥିଲା। କିନ୍ତୁ ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର କିଛି ବୁଥ୍‌ରେ ଇଭିଏମ୍‌ ନ ଚାଲିବାରୁ ମତଦାନ ବିଳମ୍ବ ହୋଇଥିଲା। କେତେକ ବୁଥ୍‌ରେ ଭିଭିପାଟ୍‌ ବି ତ୍ରୁଟି ଦେଖା ଦେଇଥିଲା। ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ୧୫୪, ୧୫୭, ୧୬୧ ଓ ୧୬୭(କ) ନମ୍ବର ବୁଥରେ ଭିଭିପାଟ୍‌ରେ ତ୍ରୁଟି ଦେଖାଦେବାରୁ ଭୋଟ ଗ୍ରହଣ ବିଳମ୍ବ ହୋଇଥିଲା । ଟେକ୍ନିକାଲ୍‌ ଟିମ୍‌ ଯାଞ୍ଚ ପରେ ଅନେକ ଇଭିଏମ୍‌ର ବ୍ୟାଟେରି ଖରାପ ରହିଥିବା ଜଣାପଡ଼ିଥିଲା। ବ୍ୟାଟେରି ବଦଳାଯାଇ ନୂଆ ବ୍ୟାଟେରି ପଡ଼ିବା ପରେ ମତଦାନ ଆରମ୍ଭ ହୋଇଥିଲା। ଏଥିପାଇଁ ଅନେକ ‌ବୁଥ୍‌ରେ ଘଣ୍ଟାଏରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ମତଦାନ ବିଳମ୍ବ ହୋଇଛି। ସେପଟେ ଆଜି ପିପିଲି ନିର୍ବାଚନମଣ୍ଡଳୀର ୩୪୮ ବୁଥ୍‌ରେ ୧ ଲକ୍ଷ ୧୯ହଜାର ୨୦୬ଜଣ ପୁରୁଷ ଓ ୧ଲକ୍ଷ ୧୦ହଜାର ୭୯୦ଜଣ ମହିଳା, ଦୁଇଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ୨ଲକ୍ଷ ୨୯ହଜାର ୯୯୮ଜଣ ମତଦାନ ସାବ୍ୟସ୍ତ କରିବାର ଥିବାବେଳେ ସଂଧ୍ୟା ସୁଦ୍ଧା ପ୍ରାୟ ୧ଲକ୍ଷ ୬୦ହଜାର ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ୧ହଜାର ୭୭ଜଣ ବୟସାଧିକ ଓ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ପୋଷ୍ଟାଲ୍‌ ବାଲଟ୍‌ ଜରିଆରେ ୯୨୪ଜଣ ଭୋଟର ମତଦାନ କରିଛନ୍ତି। ପିପିଲି ବିଡିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପିପିଲିରେ ୭୯ ପ୍ରତିଶତ ଓ ଡେଲାଭ୍ଗରେ ୭୬ ପ୍ରତିଶତ ଭୋଟିଂ ଅର୍ଥାତ୍‌ ମୋଟ୍‌ ୭୭.୫ ପ୍ରତିଶତ ଭୋଟିଂ ହୋଇଛି।

ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ୩୪୮ରୁ ୨୦୧ ସମ୍ବେଦନଶୀଳ ବୁଥ୍‌ ରହିଥିବାବେଳେ ଏହା ଉପରେ କଡ଼ା ନଜର ରଖାଯାଇଥିଲା। ବିଭିନ୍ନ ବୁଥ୍‌ରେ ବିଏସ୍‌ଏଫ୍‌, ପୁଲିସଙ୍କୁ ମୁତୟନ କରାଯାଇଥିଲା। ସମସ୍ତ ସମ୍ବେଦନଶୀଳ ବୁଥ୍‌ର ୱେବ୍‌କାଷ୍ଟିଂ କରାଯାଇଥିଲା। ଭିଡିଓ ଉତ୍ତୋଳନ ବ୍ୟବସ୍ଥା କରାଯାଇଥିଲା। ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ସେମାନଙ୍କ ବୁଥରେ ମତଦାନ କରିଛନ୍ତି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜ ଗାଁ କମାକନ୍ତିଆର ବୁଥ ନମ୍ବର୨୩୪ରେ ଭୋଟ୍‌ ଦେଇଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ନିଜ ଗାଁ ପାଣିଦୋଳର ୧୩୩ନମ୍ବର ବୁଥରେ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ନିଜ ଗାଁ ଝାଡ଼ପଡ଼ା ଗାଁ’ର ବୁଥ ନମ୍ବର ୫ରେ ଭୋଟ୍‌ ଦେଇଛନ୍ତି।

ପିପିଲି ଓ ଡେଲାଙ୍ଗର ବିଭିନ୍ନ ସ୍ଥାନରେ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯାଇଥିଲା। କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ଭୋଟରମାନେ ମତଦାନ କରିଥିଲେ। ସବୁ ବୁଥ୍‌ରେ ସାନିଟାଇଜ୍‌ ବ୍ୟବସ୍ଥା ସହ ମାସ୍କ, ଗ୍ଲୋବ୍ସ ମତଦାତାଙ୍କୁ ବଣ୍ଟନ କରାଯାଇଥିଲା।‌ ଗ୍ଲୋବ୍ସ, ମାସ୍କ ପିନ୍ଧି ମତଦାତାମାନେ ମତଦାନ କରିଥିଲେ। ପ୍ରତିଦ୍ବନ୍ଦୀ ପ୍ରାର୍ଥୀମାନେ ବି ନିଜ ନିଜ ବୁଥ୍‌ରେ ମତଦାନ କରିଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ ବିଭିନ୍ନ ବୁଥ୍‌ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ନିର୍ବାଚନ ପରିଚାଳନା ସମ୍ପର୍କରେ ପୋଲିଂ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର