ପିପିଲି ଦଖଲ ଲାଗି ଯୋଦ୍ଧା ଘୋଷଣା କଲେ ବିଜେଡି, କଂଗ୍ରେସ

୭ ମନ୍ତ୍ରୀ, ୧୬ ବିଧାୟକଙ୍କୁ ନେଇ ପ୍ରଚାର କରିବେ ବିଜେଡି ମୁଖିଆ ନବୀନ
ଚେଲ୍ଲାକୁମାର, ନିରଞ୍ଜନ, ନରସିଂହଙ୍କ ସମେତ ୩୦ ଜଣିଆ ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ବର : ପିପିଲି ଉପନିର୍ବାଚନରେ ବାଜିମାତ୍ ଲାଗି ବିଜେଡି ପଣ କରିଛି। ଏହି କ୍ରମରେ ଆଜି ବିଜେଡି ମୁଖିଆ ନବୀନ ପଟ୍ଟନାୟକ ନିଜେ ଓ ତାଙ୍କର ୭ ମନ୍ତ୍ରୀଙ୍କ ସହିତ ଏକ ତିରିଶ ଜଣିଆ ମୋର୍ଚ୍ଚା ଗଠନ କରି ନିର୍ବାଚନ କମିସନଙ୍କୁ ପ୍ରଦାନ କରିଛନ୍ତି। ସେମାନେ ଷ୍ଟାର ପ୍ରଚାରକ ଭାବେ ନିର୍ବାଚନରେ କାର୍ଯ୍ୟ କରିବେ। ଅତି ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏଥିରେ ଯୁବ ନେତାଙ୍କୁ ପ୍ରାଧାନ୍ୟ ମିଳିଛି ଓ ବିବାଦୀୟ ନେତାଙ୍କୁ ନବୀନ ଦୂରେଇ ଦେଇଛନ୍ତି। ଯଥାସମ୍ଭବ କମ୍ ସଂଖ୍ୟକ ମହିଳା ଅର୍ଥାତ୍ ମାତ୍ର ତିନିଜଣଙ୍କୁ ନବୀନ ଏହି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇଛନ୍ତି।

ସେପଟେ କଂଗ୍ରେସ ବି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, ଜି ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସାଂସଦ ସପ୍ତଗିରି ଉଲ୍ଲାକା ପ୍ରମୁଖ ଏଥିରେ ସ୍ଥାନ ପାଇଛନ୍ତି। ବିଶେଷଷକରି ବରିଷ୍ଠ ନେତାଙ୍କୁ ଗୁରୁତ୍ବ ମିଳିଛି। ପୂର୍ବରୁ ବିଜେପି ତାର ତାଲିକା ଘୋଷଣା କରିସାରିଥିଲା।

ଆସନ୍ତାକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ପୂର୍ବରୁ ଏହି ତାଲିକା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ େହାଇଛି।

ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରଙ୍କୁ ଜିତାଇବା ଲାଗି ଆସନ୍ତାକାଲି ଠାରୁ ବିଜେଡି ପ୍ରଚାର ଅଭିଯାନ ଜୋରଦାର କରିବ। ଏହାର ଅବ୍ୟବହିତ ପୂର୍ବରୁ ଯେଉଁ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଛି, ସେଥିରେ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଇ ୭ ମନ୍ତ୍ରୀ, ୧୬ ବିଧାୟକ ଏବଂ ଦୁଇ ସାଂସଦଙ୍କୁ ସାମିଲ କରାଯାଇଛି। ନବୀନଙ୍କ ପରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ରହିଛି। ତାଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ଦେବୀ ପ୍ରକାଶ ମିଶ୍ର, ମହେଶ୍ବର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀଙ୍କ ନାମ ରହିଛି। ଏମାନଙ୍କ ବ୍ୟତୀତ ସଂଗଠନ ସଂପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଂଜନ ଦାସ, ସୁଶାନ୍ତ କୁମାର ସିଂହ, ନବକିଶୋର ଦାସ, ଚନ୍ଦ୍ର ସାରଥୀ ବେହେରା, ଟୁକୁନି ସାହୁ, ସ୍ନେହାଙ୍ଗିନି ଛୁରିଆ, ତୁଷାରକାନ୍ତି ବେହେରା, ମୁଜିବୁଲ୍ଲା ଖାଁ, ପ୍ରୀତିରଂଜନ ଘଡ଼ାଇ, ପ୍ରଣବ କୁମାର ବଳବନ୍ତରାୟ, ସୁଧୀର କୁମାର ସାମଲ, ବ୍ୟୋମକେଶ ରାୟ, ଉମାକାନ୍ତ ସାମନ୍ତରାୟ, ଅନନ୍ତ ନାରାୟଣ ଜେନା, ବିଭୁତି ବଳବନ୍ତରାୟ, ରାଜେନ୍ଦ୍ର କୁମାର ସାହୁ, ଦେବୀ ରଂଜନ ତ୍ରିପାଠୀ, ଆକାଶ ଦାସ ନାୟକ ଓ ଅରିନ୍ଦମ ରାୟଙ୍କ ନାମ ଅଛି।

କିନ୍ତୁ ଷ୍ଟାର ପ୍ରଚାରକ ତାଲିକାରୁ ଦୁଇ ଅଭିଜ୍ଞ ମନ୍ତ୍ରୀ ଅରୁଣ ସାହୁ ଓ ପ୍ରତାପ ଜେନାଙ୍କୁ ବାଦ୍ ଦିଆଯାଇଛି। ପରୀ ଓ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏହି ଦୁଇ ମନ୍ତ୍ରୀ ବିବାଦ ଘେରକୁ ଟାଣି ହୋଇ ଆସିଥିବାରୁ ଷ୍ଟାର ପ୍ରଚାରକ ତାଲିକାରୁ ଦୂରେଇ ରଖାଯାଇଥିବା ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ଦଳ ଷ୍ଟାର ପ୍ରଚାରକ ତାଲିକାରେ ରଖିନାହିଁ।

ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ଅଜିତ ମଙ୍ଗରାଜଙ୍କ ପାଇଁ ୩୦ ଜଣ ତାରକା ପ୍ରଚାରକ ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଚିରଞ୍ଜୀବୀ ବିଶ୍ୱାଳ, ପ୍ରଦୀପ ମାଝି, ଶରତ ରାଉତ, ବିଶ୍ୱ ରଞ୍ଜନ ମହାନ୍ତି, ଡ. ରାଗିଣୀ ନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ସୁଶୀଲା ତିରିଆ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ ସାମିଲ ହୋଇଛନ୍ତି।

ସେହିପରି ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂହ ସାଲୁଜା, ରମେଶ ଜେନା, ମହମ୍ମଦ ମୋକିମ, ଅଧୀରାଜ ମୋହନ ପାଣିଗ୍ରାହୀ, ସି ଏସ୍ ରାଜନ ଏକ୍କା, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ବନ୍ଦିତା ପରିଡା, ସଂଗ୍ରାମ କେଶରୀ ଜେନା, ସ୍ମୃତି ରଂଜନ ଲେଙ୍କା, ସତ୍ୟ ପ୍ରକାଶ ନାୟକ ଓ ସୟଦ ୟାସିର ନଵାଜଙ୍କ ନାମ ମଧ୍ୟ ଏଥିରେ ରହିଛି।

ସମ୍ବନ୍ଧିତ ଖବର