ପିପିଲି ଉପନିର୍ବାଚନ ତାତି ବଢ଼ୁଛି : ମହେଶ୍ବର, ସମୀର, ସଂଜୟ ଓ ଉମାଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପୁରୀ : ପିପିଲି ଉପନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନ ପ୍ରଚାର ସେତେ ସରଗରମ ହେବାରେ ଲାଗିଛି। ଗାଁ ଗଣ୍ଡା ନିର୍ବାଚନୀ ପ୍ରଚାରରେ କମ୍ପୁଛି। ସତେ ଯେପରି ପିପିଲି ଉପନିର୍ବାଚନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମ୍ମୁଖ ଲଢ଼େଇ ଚାଲିଛି। ଉଭୟ ବିଜେଡି ଓ ବିଜେପି ନିଜର ସମ୍ମାନ ରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ବିଶେଷକରି ପୁରୀ ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ଆସନକୁ ବିଜେଡି ବିଶେଷ ଗୁରୁତ୍ବ ଦେଉଛି। ବିଜେଡି ଏହି ଗଡ଼ ଦଖଲ ପାଇଁ ହେଭିୱେଟ୍‌ ନେତାମାନେ ଡେରା ପକାଇଛନ୍ତି। ଏସବୁ ସତ୍ତ୍ବେ ପୁରୀ ଜିଲ୍ଲାର ବିଜେଡି ନେତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅନେକ ଦୃଷ୍ଟିକୋଣରୁ ପୁରୀର ବିଜେଡି ନେତାଙ୍କ ପାଇଁ ପିପିଲି ଉପନିର୍ବାଚନ ଏବେ ସମ୍ମାନର ପ୍ରଶ୍ନ ଭାବେ ଉଭା ହୋଇଥିବା କୁହାଯାଉଛି। ଆହୁରି ପାଦେ ଆଗକୁ ଯାଇ କହିଲେ, ଆଗକୁ ଏସବୁ ନେତାଙ୍କର ଦଳ ଏବଂ ସରକାରରେ କ୍ୟାରିଅରରେ ଉତ୍ତରଣ କ୍ଷେତ୍ରରେ ମଧ୍ୟ ଏହି ଉପନିର୍ବାଚନ ଫଳାଫଳ ଅନେକାଂଶରେ ଦାୟୀ ରହିବ।

ପୁରୀ ଜିଲ୍ଲା ବିଜେଡି ସଭାପତି ଅଛନ୍ତି ମହେଶ୍ବର ମହାନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଥିଲେ ମହେଶ୍ବର। ତାଙ୍କ ଶିଷ୍ୟ ବୋଲି କୁହାଯାଉଥିବା ବିଜେଡିର ପୂର୍ବତନ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ ବିଜେଡି ଛାଡ଼ି ବିଜେପି ଟିକେଟ୍‌ରେ ଲଢ଼ିବା ସହିତ ମହେଶ୍ବରଙ୍କଠାରୁ ବିଧାୟକ ପଦ ଛଡ଼ାଇ ନେଇଥିଲେ। ସେବେଠୁ ମହେଶ୍ବରଙ୍କ ପ୍ରତି ତୃତୀୟ ମହଲାର ଶୁଭ ଦୃଷ୍ଟି ଆଗଭଳି ନଥିବା ଚର୍ଚ୍ଚା ହେଉଛି। ଏପରିକି ତାଙ୍କୁ ସରକାର ନିର୍ବାଚନ ପରବର୍ତ୍ତୀ ପରିସ୍ଥିତିରେ ଆଉ କୌଣସି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇନାହାନ୍ତି। ବରଂ ସମାନ୍ତରାଳ ସଂଗଠନ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ପିପିଲି ଉପନିର୍ବାଚନ କ୍ଷେତ୍ରରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଦଳ ମହେଶ୍ବରଙ୍କୁ ଯେତିକି ଗୁରୁତ୍ବ ଦେବା କଥା ତାହା ଦେଇନଥିଲା। ପରବର୍ତ୍ତୀ ସମୟରେ ଉଭୟ ମହେଶ୍ବର ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କୁ ନିର୍ବାଚନ ପରିଚାଳନାର ଗୁରୁ ଦାୟିତ୍ବ ଦିଆଯାଇଛି। ଅବଶ୍ୟ ସଂଜୟ ରାଜ୍ୟ ରାଜନୀତିରେ ଏବେ ବି ଆଗରେ ଅଛନ୍ତି। ଦଳରେ ତାଙ୍କୁ ସାଂଗଠନିକ ସଂପାଦକ (ମୁଖ୍ୟାଳୟ) ଦାୟିତ୍ବ ଦିଆଯାଇଛି ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବି; ଯଦିଓ ସେ ବି ନିର୍ବାଚନରେ ପରାଜୟ ବରଣ କରିଥିଲେ। ଏବେ ରାଜନୈତିକ ମହଲର କହିବା କଥା ହେଉଛି, ପିପିଲି ଉପନିର୍ବାଚନ ଫଳାଫଳକୁ ବିଜେଡି ଅତ୍ୟନ୍ତ ଗୁରୁତ୍ବର ସହିତ ଦେଖୁଛି। ଏଇଥିପାଇଁ ଯେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାର ୬ଟି ଯାକ ନିର୍ବାଚନ ମଣ୍ଡଳୀ ବିଜେଡି ଦଖଲରେ ରହିଥିଲା। କିନ୍ତୁ ୨୦୧୯ ନିର୍ବାଚନର ଫଳାଫଳ ବିଜେଡିକୁ ଶକ୍ତ ଧକ୍କା ଦେଇଥିଲା। ଅଳ୍ପକେ ସାଂସଦ ପିନାକୀ ମିଶ୍ର ଜିତିଥିଲେ। ଏଣୁ ଏହି ଉପନିର୍ବାଚନ ଫଳାଫଳ ସହିତ ସ୍ଥାନୀୟ ନେତାମାନଙ୍କର ଭାଗ୍ୟ ଯୋଡି ହୋଇରହିବା ସ୍ବାଭାବିକ। ବିଶେଷକରି ଯଦି ନିର୍ବାଚନରେ ବିଜେଡି ବଡ଼ ଭୋଟ ବ୍ୟବଧାନରେ ଜିତିବ, ତେବେ ଜିଲ୍ଲା ସଭାପତି ଭାବେ ମହେଶ୍ବର ମହାନ୍ତିଙ୍କୁ ଅବଶ୍ୟ ଶ୍ରେୟ ମିଳିବ। ଏହା ପୁରୀରେ ତାଙ୍କର ପତିଆରା ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ସୁଯୋଗ ଆଣିବ। ବିଜେ଼ଡି ମୁଖିଆ ତାଙ୍କୁ ଖୁସି କରିବା ଲାଗି କିଛି ପଦ ପଦବି ଦେବା ବିଚିତ୍ର ନୁହେଁ।

ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସଙ୍କୁ ପିପିଲି ଉପନିର୍ବାଚନରେ ବିଜେଡି ବିଶେଷ ଗୁରୁତ୍ବ ଦେଇଛି। ସମୀର ପ୍ରଚାରର ନେତୃତ୍ବ ନେଉଛନ୍ତି। ନିମାପଡ଼ା ନିର୍ବାଚନ ମଣ୍ଡଳୀର ପଡ଼ୋଶୀ ଆସନ ହେଉଛି ପିପିଲି। ସେହିଭଳି ଉମାକାନ୍ତ ସାମନ୍ତରାୟଙ୍କ ପାଖ ନିର୍ବାଚନମଣ୍ଡଳୀ ବି ପିପିଲି। ଡେଲାଙ୍ଗକୁ ଉମାଙ୍କ ନିର୍ବାଚନମଣ୍ଡଳୀ ସୀମା ଲାଗିଥିବାବେଳେ ନିମାପଡ଼ାକୁ ପିପିଲିର ସୀମା ଲାଗିଛି। ଏହି ଦୃଷ୍ଟିରୁ ଦୁଇଜଣଙ୍କ ଉପରେ ବିଜେଡି ମୁଖିଆ ନଜର ରଖିଛନ୍ତି। ଗୋଟିଏ ମହଲ ଏକଥା ବି କହୁଛନ୍ତି ଯେ ଯଦି ପିପିଲିରେ କିଛି ବି ଗୋଳମାଳ ‌ହୁଏ, ମହେଶ୍ବରଙ୍କ ସମେତ ସମୀର, ସଂଜୟ ଓ ଉମାଙ୍କ ପତିଆରା କ୍ଷୁର୍ଣ୍ଣ ହେବା ସହିତ ରାଜନୈତିକ କ୍ୟାରିଅର ପ୍ରଭାବିତ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ସମ୍ବନ୍ଧିତ ଖବର