ପିପିଲି ଉପନିର୍ବାଚନ: ​କଂଗ୍ରେସ ଭୋଟ ଉପରେ ଆଖି, ଟାକି ବସିଛନ୍ତି ବିଜେଡି-ବିଜେପି

ବିଜେପି ପାଇଁ ପୁରନ୍ଦେଶ୍ୱରୀଙ୍କ ପ୍ରଚାର, ଅଜିତ ଅସୁସ୍ଥ, ମଙ୍ଗ ଧରିବେ ସୁର

ପୁରୀ : ପିପିଲି ଉପନିର୍ବାଚନରେ କେତେ ଭୋଟ୍‌ କେଉଁ ଦଳକୁ ଯିବ? କିଏ ଅଧିକ ଭୋଟ୍‌ ପାଇବ? କାହା ଭୋଟ୍‌ କେଉଁ ଆଡ଼କୁ ଗତି କରିବ? ଏ ନେଇ ରାଜନୈତିକ ସମୀକ୍ଷକଙ୍କ ମହଲରେ ଅଙ୍କକଷା ଚାଲିଛି। ବିଭିନ୍ନ ରାଜନୈତିକ ଦଳର ଅତୀତ ଓ ଭବିଷ୍ୟତକୁ ନେଇ ସମୀକ୍ଷା ହେଉଛି। ଗାଁଠୁ ସହର ସବୁଠି ଏବେ ଏହି ଚର୍ଚ୍ଚା। ଦୀର୍ଘ ଦୁଇଦଶନ୍ଧି ଧରି ପିପିଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଭୋଟ୍‌ ନିର୍ଣ୍ଣାୟକ ଭୂମିକା ନେଇ ଆସିଛି। ଏଭଳି ସ୍ଥିତିରେ କଂଗ୍ରେସର ଭୋଟ୍‌ ବିଭାଜନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରି ଦେଇଛନ୍ତି ଉଭୟ ବିଜେଡି ଓ ବିଜେପି। କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠିର ସମାନ୍ତରାୟଙ୍କ ପଞ୍ଚାୟତ ପାଣିଦୋଳ (ପୂର୍ବର କଣ୍ଟି ପଞ୍ଚାୟତ)ରେ ପ୍ରଚାରକୁ ଜୋରଦାର କରିବା ପରେ ଏବେ ଡେଲାଙ୍ଗରେ କଂଗ୍ରେସ ଭୋଟକୁ ଅକ୍ତିଆର କରିବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି।

ପିପିଲି ନିର୍ବାଚନ ମଣ୍ଡଳୀରେ ସଦାସର୍ବଦା ବିଜେଡି-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଥିଲା। ଶେଷଥର ପାଇଁ ୧୯୯୫ ନିର୍ବାଚନରେ କଂଗ୍ରେସର ଯୁଧିଷ୍ଠିର ସାମନ୍ତରାୟ ବିଧାୟକ ହୋଇଥିଲେ। ଏହା ପରଠାରୁ ଦୁଇଦଶନ୍ଧି ଧରି ବିଜେଡିର ପ୍ରଦୀପ ମହାରଥୀ ପିପିଲି ଆସନକୁ ନିଜ ଦଖଲରେ ରଖିଥିଲେ। ତଥାପି ପ୍ରତିବର୍ଷ କଂଗ୍ରେସ ସହ ବିଜେଡିର ସମ୍ମୁଖ ଲଢ଼େଇ ହେଉଥିଲା।

କିନ୍ତୁ ୨୦୧୯ ନିର୍ବାଚନ ସବୁକିଛି ଏପଟସେପଟ କରି ହୋଇଯାଇଥିଲା। ଯେଉଁଠି କଂଗ୍ରେସ ବିଜେଡି ସହିତ ଟକ୍କର ଦେଉଥିଲା, ସେଠି କଂଗ୍ରେସ ବଦଳରେ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ମାତ୍ର ୯ ହଜାର ୮୩୦ ଭୋଟ୍‌ ପାଇଥିବା ବେଳେ ବିଜେପି ପାଇଥିଲା ୭୨ ହଜାର ୭୩୧ ଭୋଟ୍‌। ଏହି ନିର୍ବାଚନରେ ବିଜେପିରେ ଭୋଟ୍‌ ବ୍ୟବଧାନ ରହିଥିଲା ମାତ୍ର ୧୫ ହଜାର ୭୮୭। ବିଜେଡି ଭୋଟ୍‌ର ପରିସଂଖ୍ୟାନ ଦେଖିଲେ, ୨୦୦୯ରୁ ୨୦୧୯ ଭିତରେ ସେତେଟା ପରିବର୍ତ୍ତନ ଆସିନି। ‌ମତଦାନ ଉପରେ ନଜର ପକାଇଲେ, ବିଜେଡି ୨୦୦୯ ନିର୍ବାଚନରେ ୪୯.୧୪ ପ୍ରତିଶତ, ୨୦୧୪ ନିର୍ବାଚନରେ ୫୧.୧୯ ପ୍ରତିଶତ ଓ ୨୦୧୯ ନିର୍ବାଚନରେ ୫୦.୧୬ ପ୍ରତିଶତ ଭୋଟ୍‌ ପାଇଥିଲା। କଂଗ୍ରେସ ଭୋଟ୍‌ ଉପରେ ନଜର ପକାଇଲେ, ୨୦୦୯ ନିର୍ବାଚନରେ ୪୦.୮୫ ପ୍ରତିଶତ, ୨୦୧୪ ନିର୍ବାଚନରେ ୩୦.୪୩ ଓ ୨୦୧୯ ନିର୍ବାଚନରେ ଏହା ଥିଲା ମାତ୍ର ୫.୬୩ ପ୍ରତିଶତ। ଏଥିରୁ ସ୍ପଷ୍ଟ ହୋଇଛି, ବିଜେଡିର ଭୋଟ୍‌ ବୃଦ୍ଧିରେ ସେତେଟା କିଛି ପରିବର୍ତ୍ତନ ଆସିନି। କିନ୍ତୁ କଂଗ୍ରେସ ଭୋଟ୍‌ ସବୁବେଳେ ବିଭିନ୍ନ ଦଳକୁ ଯାଇଛି ଓ ନିର୍ଣ୍ଣାୟକ ଭୂମିକା ନେଇଛି। ଚଳିତ ଉପନିର୍ବାଚନରେ ବି ସମାନ ସ୍ଥିତି ସୃଷ୍ଟି କରିବ ବୋଲି ପୂର୍ବାନୁମାନ କରାଯାଉଛି। ଉଭୟ ବିଜେଡି ଓ ବିଜେପି କଂଗ୍ରେସକୁ ମୂଳ‌ପୋଛ କରି ବିଧାୟକ ଆସନ ଦଖଲ ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ‌

ବିଜେପି ପାଇଁ ପୁରନ୍ଦେଶ୍ୱରୀଙ୍କ ପ୍ରଚାର
ପିପିଲି :ବିଜେପି ପକ୍ଷରୁ ଆଜି ମାରାଥନ୍‌ ପ୍ରଚାର ଆରମ୍ଭ କରାଯାଇଛି। ଦଳର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ଏହି ପ୍ରଚାରରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଜଇଶପାଟଣା ଛକଠାରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ ପରେ ଏକ ବିଶାଳ ରାଲିରେ ଡି. ପୁରନ୍ଦେଶ୍ୱରୀ ଶିଉଳା, କୁଂଜର, ହରିଅନ୍ତା ଆଦି ଗାଁ ପରିକ୍ରମା କରିଥିଲେ। ଏହି ପ୍ରଚାର ଅଭିଯାନରେ ତାଙ୍କ ସହ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଯୋଗ ଦେଇଥିଲେ। ପରେ ପିପିଲିଠାରେ ଏକ ମହିଳା ସମାବେଶରେ ପୁରନ୍ଦେଶ୍ୱରୀ ଯୋଗଦେଇ ପିପିଲି ନିର୍ବାଚନମଣ୍ଡଳୀରେ ଲୋକେ ଶାସକ ଦଳ ପ୍ରତି ଅସନ୍ତୁଷ୍ଟ ରହିଛନ୍ତି ବୋଲି ପ୍ରକାଶ କରିଥିଲେ।

ଅଜିତ ଅସୁସ୍ଥ, ମଙ୍ଗ ଧରିବେ ସୁର
ପିପିଲି, :ଉପନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଗତକାଲିଠାରୁ ଅସୁସ୍ଥ ହୋଇପଡ଼ିଛନ୍ତି। ଡାକ୍ତର ବି ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି। ଆଜି ଅଜିତ ଅସୁସ୍ଥତା ଯୋଗୁଁ ପ୍ରଚାରକୁ ଓହ୍ଲାଇ ନଥିବାବେଳେ କଂଗ୍ରେସ ବିନା ଦଳୀୟ ପ୍ରାର୍ଥୀରେ ପ୍ରଚାରକୁ ଓହ୍ଲାଇଛି। କର୍ମୀ ଓ ନେତାମାନେ ଆଜି ଗାଁ ଗାଁରେ ପ୍ରଚାର କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସର ବରିଷ୍ଠ ନେତା ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଚାର ମଙ୍ଗ ସମ୍ଭାଳିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ସ୍ଥାନୀୟ ଏନ୍‌ଏସି ବଜାରରେ କଂଗ୍ରେସର ଦଳୀୟ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। ତାଙ୍କ ସହ ବିଧାୟକ ମହମ୍ମଦ ମୋକିମ୍‌ ମଧ୍ୟ ଥିଲେ।

ସମ୍ବନ୍ଧିତ ଖବର