ପିପିଲି ଉପନିର୍ବାଚନ ତାତି ବଢ଼ୁଛି; ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ତିନିଜଣ ନେତାଙ୍କ ନାମ ନେଲା କଂଗ୍ରେସ, ରୁଦ୍ଧ ବୈଠକରେ ଦାୟିତ୍ବ ବାଣ୍ଟିଲା ବିଜେପି

ଭୁବନେଶ୍ବର : ପିପିଲି ଉପନିର୍ବାଚନକୁ ନେଇ ରାଜନୈତିକ ଉଷ୍ଣତା କ୍ରମଶଃ ବଢ଼ିବାରେ ଲାଗିଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ତତ୍ପରତା ପ୍ରକାଶ ପାଇଲାଣି। ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪୬ ପଞ୍ଚାୟତ (ପିପିଲି ବ୍ଲକର ୨୫, ଡେଲାଙ୍ଗ ବ୍ଲକର ୨୧) ଓ ପିପିଲି ଏନ୍‌ଏସିର ୧୬ଟି ଯାକ ଵାର୍ଡରେ ଏବେଠାରୁ ରାଜନୀତି ସରଗରମ। ଗୋଟିଏ ବଡ଼ ମୁକାବିଲା ପାଇଁ ସବୁ ଦଳ ପ୍ରସ୍ତୁତ କରୁଥିବା ଦାବି କରୁଛନ୍ତି।

ଆଜି କଂଗ୍ରେସ ତାର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ହେବେ। କମିଟି ତାଙ୍କ ସୁପାରିସ କରିସାରିଛନ୍ତି। ପ୍ରାର୍ଥୀ ଚୟନ ନିଷ୍ପତ୍ତି ଏଆଇସିସିର। ୩୦ ତାରିଖ ପୂର୍ବରୁ ଏହା ଚୂଡ଼ାନ୍ତ ହେବ। କେନ୍ଦ୍ର ଓ ରାଜ୍ୟର ନେତାଙ୍କୁ ନେଇ ୩୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଶ୍ରୀ ପଟ୍ଟନାୟକ।

ସେହିପରି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ କହିଛନ୍ତି ଯେ ଦଳ ଦୁର୍ବଳ ଥିଲେ ବି ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ। ଚିରଞ୍ଜୀବୀ ବିଶ୍ବାଳଙ୍କ ନେତୃତ୍ବରେ ଗଠିତ ଟିମ୍ ଯେଉଁ ରିପୋର୍ଟ ଦେଇଛନ୍ତି, ସେ ଆଧାରରେ ହିଁ ପ୍ରାର୍ଥୀ ଚୟନ କରାଯିବ। ସେ ନିଜେ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସ୍ବାଇଁ ଲଢ଼ିଲେ ବି ତାଙ୍କ ପାଇଁ ସେ ପ୍ରଚାର କରିବେ।

ସେପଟେ ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଦଳର ଶୀର୍ଷ ନେତାଙ୍କୁ ନେଇ ରଣନୀତି ବୈଠକ ବସିଥିଲା। ବିଧିବଦ୍ଧ ଘୋଷଣା ନହେଲେ ବି ପୁରୀ ଜିଲ୍ଲା ବିଜେପି ସଭାପତି ତଥା ଗତଥର ପିପିଲି ଆସନରେ ବିଜେପିରୁ ଲଢ଼ିଥିବା ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହେବା ପ୍ରାୟ ନିଶ୍ଚିତ। ଆଜିର ବୈଠକରେ ସେ ବି ଉପସ୍ଥିତ ଥିଲେ। ବ୍ୟାପକ ଆଲୋଚନା ପରେ ସ୍ଥିର ହୋଇଛି ଯେ ବିଜେଡି ଯେଭଳି ରଣକୌଶଳ କରିବ, ବିଜେପି ବି ସେସବୁ ସ୍ଥାନରେ ମୁକାବିଲା ଲାଗି କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ। ହରାଇଥିବା ବାଲେଶ୍ବର ସଦର ଆସନ ଯେଭଳି ପିପିଲିରେ ଦଳ ଫେରିପାଇବ, ସେ ନେଇ ନେତାମାନେ ସଂକଳ୍ପ ନେଇଛନ୍ତି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ପ୍ରତି ପାଞ୍ଚ ଛଅଟି ପଞ୍ଚାୟତକୁ ନେଇ ଗୋଟିଏ ଗୋଟିଏ ୟୁନିଟ୍ ହେବ ଓ ସେଠାରେ ଜଣେ ଜଣେ ବିଧାୟକ ଦାୟିତ୍ବରେ ରହିବେ। ଏହା ବ୍ୟତୀତ ପ୍ରତି ପଞ୍ଚାୟତ ଦାୟିତ୍ବରେ ଜଣେ ଲେଖାଏଁ ବିଧାୟକ ପ୍ରାର୍ଥୀଙ୍କୁ ଦାୟିତ୍ବ ଦିଆଯିବ। ତାଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ନେତା ଓ ମହିଳା, ଯୁବ, ଛାତ୍ର ସଂଗଠନ କର୍ମକର୍ତ୍ତା ପ୍ରମୁଖଙ୍କୁ ନେଇ ୧୫ଜଣିଆ ଟିମ୍ ରହିବ। ବିଜେଡିକୁ ପ୍ରତି ଵାର୍ଡରେ କିଭଳି ମୁକାବିଲା କରାଯିବ, କେଉଁ କେଉଁ ପ୍ରସଙ୍ଗ ଉଠାଇ ଦଳ ଘେରିବ, ସେ ସଂକ୍ରାନ୍ତ ପ୍ରାରମ୍ଭିକ ଆଲୋଚନା ହୋଇଥିବା ସୂଚନା ମିଳିଛି।

ବିଜେଡି ଶୀର୍ଷ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ ଆସନ୍ତାକାଲି ଦଳ ପ୍ରାର୍ଥୀ ଘୋଷଣା କରିପାରେ। ମହାରଥୀଙ୍କ ପରିବାରରୁ ଜଣକୁ ପ୍ରାର୍ଥୀ କରାଯିବା ସମ୍ଭାବନା ଅଧିକ। ଯଦିଓ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କ ପଲା ଭାରି ରହିଛି ଓ ଦଳର ଗୋଟିଏ ଗୋଷ୍ଠୀ ତାଙ୍କ ସପକ୍ଷରେ ଯୁକ୍ତି ଚଳାଇଛନ୍ତି, ଅନ୍ୟ ଗୋଟିଏ ବର୍ଗ କିନ୍ତୁ ଯୁବ ବର୍ଗକୁ ଟାଣି ରଖିବା ଲାଗି ପୁଅ ରୁଦ୍ରପ୍ରତାପଙ୍କ ସପକ୍ଷରେ ଜୋରଦାର ଲବି ଚଳାଇଛନ୍ତି। ଆଶ୍ରିତ ଯୁବ ନେତା ହୋଇଥିବାରୁ ତାଙ୍କୁ ଟକ୍କର ଦେବା ଲାଗି ରୁଦ୍ରଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ମଧ୍ୟ ଅତି ପ୍ରଭାବଶାଳୀ ନେତାମାନେ ବିଜେଡି ସୁପ୍ରି ମୋ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ଆସନ୍ତାକାଲି ଯେ କୌଣସି ମୁହୂର୍ତ୍ତରେ ବିଜେଡି ନବୀନ ପଟ୍ଟନାୟକ ତାଙ୍କ ନିଷ୍ପତ୍ତି ଜଣାଇବେ।

ବିଜେଡିରୁ ମିଳୁଥିବା ଖବର ଅନୁସାରେ, ଆସନ୍ତାକାଲି ପ୍ରାର୍ଥୀ ଘୋଷଣା ପରେ ଦାୟିତ୍ବ ଦିଆଯାଇଥିବା ନେତାମାନଙ୍କୁ ପିପିଲିରେ ଡେରା ପକାଇବାକୁ ହେବ। କୌଣସି ପରିସ୍ଥିତିରେ କେହି ସେମାନଙ୍କୁ ଦିଆଯାଇଥିବା ଅଞ୍ଚଳ ଛାଡ଼ିପାରିବେ ନାହିଁ। ଏଭଳି ସଙ୍କେତ ଦିଆଯାଇଛି। ତୃଣମୂଳସ୍ତରରେ ବି ଏବେ ବିଜେଡି ନେତାମାନେ ବୈଠକ ଆରମ୍ଭ କରିଦେଲେଣି। ଅର୍ଥାତ୍ ଆସନ୍ତାକାଲି ପରେ ପିପିଲି ରାଜନୀତି ଆହୁରି ଉଷ୍ମ ହେବା ସମ୍ଭାବନା ଅଧିକ।

ଉଲ୍ଲେଖଯୋଗ୍ୟ ଯେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରହିଛି। ଏପ୍ରିଲ ୧୭ ତାରିଖରେ ବହୁ ଚର୍ଚ୍ଚିତ ଏହି ଆସନରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ଓ ମେ’ ୨ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର