ପିପିଲି ଉପନିର୍ବାଚନ : ପ୍ରଚାର ମଙ୍ଗ ଧରିଛନ୍ତି ନେତ୍ରୀ

ବିଜେଡି- ବିଜେପିର ଚାଲିଛି ମହିଳା କାର୍ଡ ଖେଳ, ଗାଁଗାଁରେ ନେତ୍ରୀଙ୍କ ଡେରା

ପୁରୀ : ଆଉ ୬ ଦିନ ପରେ ପିପିଲି ଉପନିର୍ବାଚନ। ପ୍ରଚାର ପାଇଁ ହାତରେ ମାତ୍ର ୪ ଦିନ। ପିପିଲି ଗଡ଼ ଜିଣିବା ପାଇଁ ପ୍ରଚାରର ଶେଷ ୪ ଦିନ ସମସ୍ତ ବଳ ଲଗାଇ ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ। ନିର୍ବାଚନ ମଇଦାନରେ ବିଜେଡି, ବିଜେପି ଓ କଂଗ୍ରେସ ରହିଥିବାବେଳେ ପ୍ରଚାରରେ ଗାଁ ଗଣ୍ଡା, ରାସ୍ତାଘାଟ ଦୁଲୁକୁଛି। ଏଭଳି ସ୍ଥିତିରେ ଶେଷ ବେଳକୁ ମହିଳା କାର୍ଡ଼ ଖେଳିବା ଆରମ୍ଭ କରି ଦେଇଛନ୍ତି ଉଭୟ ବିଜେଡି ଓ ବିଜେପି।

ଗାଁଗାଁରେ ଏବେ ମହିଳା ଗୋଷ୍ଠୀ ପ୍ରମୁଖ ଭୂମିକା ନେଉଛନ୍ତି। ଏଭଳି ସ୍ଥିତିରେ ମହିଳାମାନଙ୍କ ଭୋଟ୍‌ ଚଳିତ ଉପନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛି। ପିପିଲି ବିଧାନସଭା ଉପନିର୍ବାଚନରେ ପୁରୁଷ ଭୋଟର ସଂଖ୍ୟା ୧ଲକ୍ଷ ୧୯ ହଜାର ୨୦ ହୋଇଥିବାବେଳେ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୦ ହଜାର ୫୬୧। ବାକି ୨ ଜଣ ତୃତୀୟ ଲିଙ୍ଗ ରହିଛନ୍ତି। ୩୪୮ ବୁଥ୍‌ରେ ଏଥର ମତଦାନ ହେବାକୁ ଯାଉଛି। ଯେହେତୁ ମହିଳା ଓ ପୁରୁଷ ଭୋଟର ସଂଖ୍ୟା ପାଖାପାଖି , ସେହି ଦୃଷ୍ଟିରୁ ପୁରୁଷ ଭୋଟରଙ୍କ ଭଳି ମହିଳା ଭୋଟର ଅନେକ ଗୁରୁତ୍ବ ବହନ କରୁଛି। ଏବେ ଗାଁଗାଁରେ ବିଭିନ୍ନ ଦଳର ମହିଳା ନେତ୍ରୀ ଖେଦିଯାଇଛନ୍ତି। ବିଜେଡି ପକ୍ଷରୁ ବିଧାୟିକା ପ୍ରମିଳା ମଲ୍ଲିକ, ବିଜେଡି ନେତ୍ରୀ ତଥା ଅଭିନେତ୍ରୀ ଏଲିନା ଦାଶ, ଅଭିନେତ୍ରୀ ସୁଫିଆ ଆଲମ୍‌, ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ପତ୍ନୀ ଜାଗୃତୀ ମହାରଥୀ, ଭଉଣୀ ପଲ୍ଲବୀ ମହାରଥୀ ପ୍ରମୁଖ ଗାଁଗାଁ ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି। ସେପଟେ ବିଜେପି ବି ମହିଳା କାର୍ଡ଼ ଖେଳିବା ସହ ମହିଳା ନେତ୍ରୀଙ୍କୁ ଆଣି ପ୍ରଚାରକୁ ଜୋରଦାର କରିଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତୀ ପରିଡ଼ା ପିପିଲି ନିର୍ବାଚନମଣ୍ଡଳୀରେ ଡେରା ପକାଇଛନ୍ତି। ଓଡ଼ିଶା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ବି ପ୍ରଚାରକୁ ଜୋରଦାର କରିଛନ୍ତି । ଗତ ୮ ତାରିଖରୁ ସେ ପିପିଲିରେ ଡେରା ପକାଇଛନ୍ତି। ଆସନ୍ତା ୧୨ ତାରିଖରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ପିପିଲିରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

କଂଗ୍ରେସର ରୋଡ଼ ସୋ
ପିପିଲି : କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅନୁପସ୍ଥିତିରେ ଦଳର ହେଭିୱେଟ୍‌ ନେତାମାନେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ଶ୍ରୀ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଆଜି କଂଗ୍ରେସ ଦଳ ପକ୍ଷରୁ ପିପିଲିରେ ଜୋରଦାର ନିର୍ବାଚନୀ ପ୍ରଚାର କରାଯାଇଛି। ଜାତୀୟ କଂଗ୍ରେସ କମିଟିର ସଂପାଦକ ଜି. ରୁଦ୍ର ରାଜୁ, ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା, ବିଧାୟକ ତାରାପ୍ରସାଦ ବାହିନିପତି, ବରିଷ୍ଠନେତା ଗଣେଶ୍ୱର ବେହେରା, ସଂଗ୍ରାମ କେଶରୀ ଜେନା, ମାନସ ଚୌଧୁରୀ, ଚିନ୍ମୟ ସାହୁ, ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବରିଷ୍ଠ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଆଜି ପିପିଲି ବ୍ଲକ୍‌ ଓ ଏନ୍‌ଏସିରେ ମାରାଥନ ନିର୍ବାଚନ ପ୍ରଚାର କରିଥିଲେ।

ବ୍ଲକ୍‌ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ସମର୍ଥକମାନେ ସେମାନଙ୍କୁ ଉତ୍ତରା ବଜାରଠାରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଗୁଡିଆପୋଖରୀରୁ ବାହାରି ଜଇସପାଟଣା, ପିପିଲି ଏନଏସି, ଜୟପୁରଶାସନ, ଦାନୋଗହିର ଗ୍ରାମ, ବାଜପୋଇ ଛକ ଦେଇ ଦାଣ୍ଡମୁକୁନ୍ଦପୁର ବଜାର, ସଠସ, ସଁପୁର ଦେଇ ମାଳିବରାହୀ ଗ୍ରାମରେ ନିର୍ବାଚନୀ ପ୍ରଚାର ଶେଷ କରିଥିଲେ। ବିଭିନ୍ନ ସ୍ଥାନରେ ଆୟୋଜିତ ପଥପ୍ରାନ୍ତ ସଭାରେ ନେତାମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହ କଂଗ୍ରେସ ଦଳ ସବୁବେଳେ ଲୋକଙ୍କ ସାଥୀରେ ଥିଲା, ଅଛି ଓ ରହିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର