ପିପିଲି ଉପନିର୍ବାଚନ : ପ୍ରଚାର ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ଅଜିତ

ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ

ପୁରୀ : ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଗତ ୭ ତାରିଖରେ ନିର୍ବାଚନୀ ପ୍ରଚାର ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଡେଲାଙ୍ଗର ବେରବୋଇଠାରେ ନିର୍ବାଚନୀ ପ୍ରଚାରବେଳେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ପ୍ରଥମେ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ଭେଟିଥିଲେ। ୮ ଘଣ୍ଟାର ଚିକିତ୍ସା ପରେ ସୁସ୍ଥତା ଅନୁଭବ କରିବାରୁ ଘରକୁ ଫେରିବା ପରେ ପୁନର୍ବାର ଅଜିତ ଭୁବନେଶ୍ବର ଆପୋଲୋ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ
ଭୁବନେଶ୍ବର : କଂଗ୍ରେସ ନେତା ତଥା ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମ‌େବଦନା ଜଣାଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରି କହିଛନ୍ତି ଯେ ଅଜିତ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ଦୁଃଖିତ ଓ ମର୍ମାହତ। ବିଶେଷ ଭାବରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଘଟିବା ଅତ୍ୟନ୍ତ ଦୁଃଖଦାୟକ ଓ ଅବିଶ୍ୱାସନୀୟ। ତାଙ୍କ ଭଳି ସକାରାତ୍ମକ ଭାବନା ରଖୁଥିବା ନେତୃତ୍ୱଙ୍କ ବିୟୋଗ ହେବା ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି। କେନ୍ଦ୍ର ମନ୍ତ୍ରୀ ଆପୋଲୋ ହସ୍ପିଟାଲ୍‌ ଯାଇ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗରେ ମୁଁ ଗଭୀର ମର୍ମାହତ ଓ ଦୁଃଖିତ। ସ୍ବର୍ଗତ ମଙ୍ଗରାଜ କଂଗ୍ରେସ ଦଳର ଜଣେ ନିର୍ଭୀକ, ସଚ୍ଚୋଟ ଓ ଟାଣୁଆ ନେତା ଭାବେ ସମଗ୍ର ପୁରୀ ଜିଲ୍ଲାରେ ସର୍ବଜନାଦୃତ ହୋଇପାରିଥିଲେ। ତାଙ୍କ ବିୟୋଗ ପିପିଲି-ଡେଲାଙ୍ଗ ଓ ପୁରୀବାସୀଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। କିଛି ମାସ ତଳେ ପୁରୀ ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହେବା ପରେ ସେ କଂଗ୍ରେସ ସଂଗଠନକୁ ମଜବୁତ୍‌ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ।

ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ ଓ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଅଧାରୁ ବନ୍ଦ ହେଲା ପ୍ରଚାର ଅଭିଯାନ
ସଭା ବନ୍ଦ କଲେ ବିଜେଡି, ବିଜେପି, କଂଗ୍ରେସ , କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମ ବାତିଲ୍‌
ପୁରୀ : ମତଦାନର ୩ ଦିନ ପୂର୍ବରୁ ପିପିଲି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ସମଗ୍ର ନିର୍ବାଚନମଣ୍ଡଳୀକୁ ସ୍ତବ୍‌ଧ କରି ଦେଇଛି। ଏହାକୁ ନେଇ ପିପିଲିରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ରାଜନୈତିକ ଦଳ ଅଧାରୁ ପ୍ରଚାର ବନ୍ଦ ରଖିଛନ୍ତି।

ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତିଙ୍କ ନେତୃତ୍ବରେ ବିଜେଡି ଆଜି ପୁରୁଷୋତ୍ତମପୁର ପଞ୍ଚାୟତରେ ନିର୍ବାଚନୀ ସଭା କରୁଥିଲା। ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଥିଲା। ଦଳୀୟ ନେତା ଓ କର୍ମୀମାନେ ବି ଆସି ଭିଡ଼ ଜମାଇଥିଲେ। କିନ୍ତୁ ଅଜିତଙ୍କ ମୃତ୍ୟୁ ଖବର ପରେ ଏହାକୁ ଅଧାରୁ ବନ୍ଦ କରି ଦିଆଯାଇଥିବା ଶ୍ରୀ ମହାନ୍ତି କହିଛନ୍ତି। ବିଜେଡି ବି ଅନ୍ୟ ସ୍ଥାନରେ ଯେଉଁ ସଭା ଆୟୋଜନ କରିଥିଲା ତାକୁ ବନ୍ଦ ରଖିଥିବା ଶ୍ରୀ ମହାନ୍ତି କହିଛନ୍ତି। ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ବି ବିଭିନ୍ନ ସ୍ଥାନରେ ପଦଯାତ୍ରାକୁ ବନ୍ଦ ରଖିଛନ୍ତି। ସେହିଭଳି ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ବି ଆଜି ବିଭିନ୍ନ ସ୍ଥାନରେ ପଦଯାତ୍ରା, ସମାବେଶର ଆୟୋଜନକରାଯାଇଥିଲା। କିନ୍ତୁ ଅଜିତଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଏହାକୁ ଅଧାରୁ ବାତିଲ୍‌ କରି ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ଅପରାଜିତା ଷଡଙ୍ଗୀ ପିପିଲିରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଥାନ୍ତେ। ଏହି ପ୍ରଚାର କାର୍ଯ୍ୟକ୍ରମକୁ ବି ବାତିଲ କରି ଦିଆଯାଇଥିଲା।

ଆଜି ଯାଇଥାନ୍ତେ ପୁଲିଂ ପାର୍ଟି
ପୁରୀ : ପିପିଲି ଉପନିର୍ବାଚନ ଆସନ୍ତା ୧୭ ତାରିଖରେ ଥିବାରୁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ପୋଲିଂ ପାର୍ଟ, ପ୍ରିଜାଇଡିଂ ଅଫିସର ପ୍ରମୁଖ କୋଭିଡ୍‌ ଟିକା ନେଇ ସାରିଥିଲେ। ନିର୍ବାଚନ ପରିଚାଳନା ଉପରେ ଦୁଇ ଦୁଇଥର ପ୍ରଶିକ୍ଷଣ ବି ନେଇ ସାରିଥିଲେ। ପିପିଲି ଉପନିର୍ବାଚନ ପାଇଁ ୩୪୮ ବୁଥ୍‌ରେ ଭୋଟଗ୍ରହଣ ହେବାର କାର୍ଯ୍ୟକ୍ରମ ରହିଥିଲା। ପ୍ରତି ବୁଥ୍‌ରେ ୪ଜଣ ପୁଲିଂ ପାର୍ଟି ଓ ପ୍ରିଜାଇଡିଂ ଅଫିସରଙ୍କ ସହ ଜଣେ ଲେଖାଏଁ ପୁଲିସଙ୍କୁ ମୁତୟନ କରାଯାଇଥିଲା। ଗୁରୁବାର ସକାଳୁ ଏମାନେ ନିଜ ନିଜ ବୁଥ୍‌କୁ ଗସ୍ତ କରିଥାନ୍ତେ। ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ବନ୍ଦୋବସ୍ତ ବି ସରିଥିଲା। ଗାଡ଼ି ବି ଠିକ୍‌ ହୋଇ ସାରିଥିଲା। କେବଳ ସକାଳୁ ଯିବାର ବାକି ରହିଥିଲା। କିନ୍ତୁ ଅଜିତ ମଙ୍ଗରାଙ୍କ ବିୟୋଗ ପରେ ସବୁକିଛି ଅଟକି ଯାଇଛି।

ସମ୍ବନ୍ଧିତ ଖବର