ପିପିଲି ଉପନିର୍ବାଚନ: ନିର୍ଣ୍ଣୟ ହେବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ

୩୪୮ ବୁଥ୍‌ରେ ୨.୩୦ ଲକ୍ଷ ମତଦାତା, ଜଗିବେ ୨ ହଜାର ସୁରକ୍ଷା କର୍ମୀ

ପୁରୀ : ଦୁଇ ଦୁଇଥର ବାତିଲ୍‌ ହେବାପରେ ଆଜି ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସମୁଦାୟ ୨.୩୦ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୧୦ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଣ୍ଣୟ କରିବେ। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର ୩୪୮ଟି ବୁଥ୍‌ରେ ଏହି ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବାବେଳେ ବିଭିନ୍ନ ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ଜିଲ୍ଲାପାଳ ସମର୍ଥ ବର୍ମା ବିଭିନ୍ନ ବୁଥ୍‌ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ପିପିଲି ବ୍ଲକ୍‌ର ସମୁଦାୟ ୧୯୯ଟି ବୁଥ୍‌ ଓ ଡେଲାଙ୍ଗ ବ୍ଲକ୍‌ର ୧୪୯ଟି ବୁଥ୍‌ରେ ମତଦାନ ହେବ। ୧,୧୯,୨୦୬ ଜଣ ପୁରୁଷ ଭୋଟର ଓ ୧,୧୦,୭୯୦ଜଣ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏହାବାଦ୍ ୨ ଜଣ ତୃତୀୟ ଲିଙ୍ଗ ଓ ୩୨୧ଜଣ ସର୍ଭିସ୍‌ ଭୋଟର୍‌ ମଧ୍ୟ ଭୋଟ୍‌ ଦେବେ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ଏହାର ଦେଢ଼ଘଣ୍ଟା ପୂର୍ବରୁ ଅର୍ଥାତ୍‌ ସାଢ଼େ ୫ଟାରେ ମକ୍‌ପୋଲ୍‌ ହେବ।

ସେପଟେ ୨୦୧ଟି ବୁଥ୍‌ ସମ୍ବେଦନଶୀଳ ଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସମ୍ବେଦନଶୀଳ ବୁଥ୍‌ର ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୨୩ଟି ବୁଥ୍‌ରେ ମାଇକ୍ରୋ ଅବ୍‌ଜର୍ଭର ଓ ୧୨ଟି ବୁଥ୍‌ରେ ଭିଡିଓ ଉତ୍ତୋଳନ ବ୍ୟବସ୍ଥା ହୋଇଛି। ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯାଇଛି। ଶୃଙ୍ଖଳିତ ମତଦାନ ପାଇଁ ୧୯୮୩ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ୩୨ଟି ମୋବାଇଲ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି। ପିପିଲି ଓ ଡେଲାଙ୍ଗର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଓ ପୁଲିସ ମୁତୟନ ହୋଇଛନ୍ତି। ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ଟି ବୁଥ୍‌ରେ ହ୍ବିଲ୍‌ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି। ବୁଥ୍‌କୁ ନେବା ଆଣିବା ପାଇଁ ଡେଲାଙ୍ଗ ବ୍ଲକ୍‌ରେ ୭୧ ଏବଂ ପିପିଲି ବ୍ଲକ୍‌ରେ ୨୮ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ଉପନିର୍ବାଚନ ପରିଚାଳନା ପାଇଁ ୩୪୮ ବୁଥ୍‌ ପାଇଁ ୩୪୮ଟି ପୋଲିଂ ପାର୍ଟି ଗଠନ କରାଯାଇଥିବାବେଳେ ପ୍ରତି ଟିମ୍‌ରେ ସୁରକ୍ଷା କର୍ମୀଙ୍କୁ ମିଶାଇ ୫ ଜଣ ରହିଛନ୍ତି। ୭୦ଟି ପୋଲିଂ ପାର୍ଟି ରିଜର୍ଭ ରଖାଯାଇଛି।

ନିର୍ବାଚନ ଉପରେ ନଜର ରଖିବା ପାଇଁ ୨୩ଜଣ ନୋଡାଲ୍‌ ଅଫିସର, ୩ଜଣ ଅତିରିକ୍ତ ରିଟର୍ଣ୍ଣିଂ ଅଫିସର, ୩ଟି ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌, ୩ଟି ଆସିଷ୍ଟାଣ୍ଟ ସର୍ଭେଲାନ୍ସ ଟିମ୍‌, ଗୋଟିଏ ଭିଡିଓ ‌ସର୍ଭେଲାନ୍ସ ଟିମ୍‌, ଗୋଟିଏ ଆକାଉଣ୍ଟିଂ ଟିମ୍‌, ଗୋଟିଏ ଭିଡିଓ ଭିୟୁଇଂ ଟିମ୍‌, ୩୫ଜଣ ସେକ୍ଟର ଅଫିସର(ଡେଲାଙ୍ଗ-୧୪ ଓ ପିପିଲି-୨୧), ୬ଜଣ ଜୋନାଲ୍‌ ମାଜିଷ୍ଟ୍ରେଟ୍‌ (ଡେଲାଙ୍ଗ-୩ ଓ ପିପିଲି-୩), ୩୦ଜଣ ଭିଡିଓଗ୍ରାଫର, ଜଣେ ‌ଜିଲ୍ଲା ନୋଡାଲ୍‌ ସ୍ବାସ୍ଥ୍ୟ ଅଧିକାରୀ, ନିର୍ବାଚନମଣ୍ଡଳୀସ୍ତରୀୟ ଦୁଇଜଣ ନୋଡାଲ୍‌ ସ୍ବାସ୍ଥ୍ୟ ଅଧିକାରୀ, ୩୪୮ଜଣ ବୁଥ୍‌ସ୍ତରୀୟ କୋଭିଡ୍‌ ନୋଡାଲ୍‌ ଅଧିକାରୀ ନିୟୋଜିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ‌ଯେ ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଭାବେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ସିପିଆଏମଏଲ୍‌ରୁ ଅଶୋକ ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, ରିପବ୍ଲିକାନ୍‌ ପାର୍ଟି ଅଫ୍ ଇଣ୍ଡିଆରୁ ମହମ୍ମଦ ଇମାମ୍ମୁଦିମ୍‌, କଳିଙ୍ଗ ସେନାର ପିଙ୍କଲିନ୍‌ ମହାନ୍ତି, ସ୍ବାଧୀନ ପ୍ରାର୍ଥୀ ଭାବେ ନଗେନ୍ଦ୍ରନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ବପ୍ନେଶ୍ବର ସାହୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ସମ୍ବନ୍ଧିତ ଖବର