ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଏଡିଜି
୨୪ ଘଣ୍ଟିଆ ପହରା ଦେବ ପୋଲିସ
ପିପିଲି : ପଶ୍ଚିମବଙ୍ଗ ଭଳି ପିପିଲି ଉପନିର୍ବାଚନରେ ମଧ୍ୟ ମୁତୟନ ହେବେ କେନ୍ଦ୍ରୀୟ ବଳ। ଅତିରିକ୍ତ ଡିଜି (ଆଇନ ଶୃଙ୍ଖଳା) ଯଶୋବନ୍ତ ସିଂ ଜେଠୱା ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିବା ବେଳେ ଏହି ନିଷ୍ପତ୍ତି ହୋଇଛି। ଶ୍ରୀ ଜେଠୱା ଆଜି ଅପରାହ୍ଣରେ ପିପିଲି ଥାନାରେ ଡିଆଇଜି ଜୟନାରାୟଣ ପଙ୍କଜ, ପୁରୀ ଏସ୍ପି କେ ବିଶାଲ ସିଂହ, ପିପିଲି ଏସ୍ଡିପିଓ ଏବଂ ୪ ଥାନା ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଛନ୍ତି।
ପରେ ଶ୍ରୀ ଜେଠୱା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିର୍ବାଚନ ପରିଚାଳନା ପାଇଁ ୩ କଂପାନି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଓ ୧୦ ପ୍ଲାଟୁନ୍ ଓଡିଶା ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ ରହିବେ। ଏହାବ୍ୟତୀତ ଅଧିକ ସଂଖ୍ୟକ ଫୋର୍ସ ମଧ୍ୟ ରିଜର୍ଭ ରଖାଯିବ। ବିଭିନ୍ନ ସ୍ଥାନରେ ୫ଟି ଚେକ୍ ପୋଷ୍ଟ କରାଯାଇଥିବା ବେଳେ ଦିନେ ଦୁଇ ଦିନ ଭିତରେ ଏହାର ସଂଖ୍ୟା ୧୦ କରାଯିବ। ଜିଲ୍ଲାର ନିର୍ବାଚନମଣ୍ତଳୀର ବିଭିନ୍ନ ସୀମାକୁ ସିଲ କରାଯାଇ ଏହି ଚେକ୍ ପୋଷ୍ଟ୍ କରାଯିବ। ସେଠାରେ ୨୪ ଘଂଟିଆ ପୋଲିସ ପହରା ବ୍ୟବସ୍ଥା କରାଯିବା ସହିତ ସମସ୍ତ ୨ ଓ ୪ଚକିଆ ଯାନକୁ ଯାଂଚ କରାଯିବ।
ସରପ୍ରାଇଜ୍ ସ୍କ୍ବାଡ୍, ସ୍ପେସାଲ ସ୍କ୍ବାଡ୍ ଓ ସର୍ଭେଲାନ୍ସ ଟିମ୍କୁ ଅଧିକ ସଜାଗ କରାଯିବ। ଜବତ ୫୦ ଲକ୍ଷ ଟଙ୍କା ସଂପର୍କରେ ସେ କହିଛନ୍ତି, ନିର୍ବାଚନ କମିସନ୍ଙ୍କ ଗାଇଡଲାଇନ୍ ଓ ଏସ୍ଓପି ଆଧାରରେ ତଦନ୍ତ ଜାରି ରହିଛି। ଜବତ ଟଙ୍କାକୁ ଟ୍ରେଜେରିରେ ରଖାଯାଇଛି। ବୁଥ ଜବରଦଖଲ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ସେ କହିଲେ, ଅସାମାଜିକ ଗୋଷ୍ଠୀଙ୍କୁ ଚିହ୍ନଟ କରାଯାଇ ଗିରଫ ପ୍ରକ୍ରିୟା ଜାରି ରହିଛି। ନିର୍ବାଚନକୁ ଅବାଧ ଓ ମୁକ୍ତ କରାଯିବା ପାଇଁ ପୋଲିସ ପ୍ରଶାସନ ନିଶ୍ଚିତ ଥିବା ସେ କହିଛନ୍ତି।
ପିପିଲି ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଡେଲାଙ୍ଗ ଆଇଆଇସି ରଶ୍ମିରଂଜନ ପଟ୍ଟନାୟକ, ସତ୍ୟବାଦୀ ଆଇଆଇସି ଦେବୀ ପ୍ରସାଦ ପାତ୍ର, ବଳଙ୍ଗା ଥାନାଧିକାରୀ ସମରେନ୍ଦ୍ର ପାଇକରାୟ, ପିପିଲି ଏସ୍ଡିପିଓ ଦେବଦତ ବରାଳ ପ୍ରମୁଖ ଅଧିକାରୀ ଏହି ସମୀକ୍ଷାରେ ଉପସ୍ଥିତ ରହିଥିଲେ। ନିଜ ନିଜ ଥାନା ଅଂଚଳରେ ରହିଥିବା ପୁରୁଣା ଅପରାଧୀଙ୍କୁ ଗିରଫ କରିବା, ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଫେରାର ଅପରାଧୀଙ୍କ ବିରୋଧରେ ଗିରଫ ପରଓାନା ଜାରି କରିବା ସହ ବେଆଇନ ମାଦକଦ୍ରବ୍ୟ କାରବାର ଉପରେ ସଂପୂର୍ଣ୍ଣ ଅଙ୍କୁଶ ଲଗାଇବା, ବନ୍ଧୁକ ଲାଇସେନ୍ସଧାରୀଙ୍କୁ ନୋଟିସ୍ କରିବା, ଗାଡିମୋଟର ଯାଂଚ କଡ଼ାକଡ଼ି କରିବା ଉପରେ ଏଡିଜି ଗୁରୁତ୍ବ ଦେଇଥିଲେ।
ନିର୍ବାଚନମଣ୍ତଳୀରେ ଥିବା ୩୪୮ବୁଥର ସୁରକ୍ଷା ବ୍ୟବସ୍ଥା ସଂପର୍କରେ ସମୀକ୍ଷା ମଧ୍ୟ କରାଯାଇ ଥିଲା। ଉତ୍ତେଜନାପ୍ରବଣ ଓ ଅତି ଉତ୍ତେଜନାପ୍ରବଣ ବୁଥ୍ଗୁଡ଼ିକୁ ଚିହ୍ନଟ କରାଯାଇ ସେଠାରେ ଅଧିକ ଫୋର୍ସ ମୁତୟନ ସହ କେଉଁ କେଉଁ ବୁଥ୍ରେ କେନ୍ଦ୍ରୀୟ ସୁରକ୍ଷା ବଳକୁ ନିୟୋଜିତ କରାଯିବ ସେ ସଂପର୍କରେ ସମୀକ୍ଷାରେ ଆଲୋଚନା କରାଯାଇଛି। ସ୍କ୍ବାଡ୍ ଟିମ୍ ଓ ସର୍ଭେଲାନ୍ସ ଟିମ୍ କେଉଁ କେଉଁ ଅଂଚଳରେ କିଭଳି କାର୍ଯ୍ୟ କରିବେ ତାହା ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି। ନିର୍ବାଚନ ମଣ୍ତଳୀର ବିଭିନ୍ନ ଥାନାର ୱାରେଣ୍ଟିମାନଙ୍କୁ ଗିରଫ ସହ ଶହେରୁ ଉର୍ଦ୍ଧ୍ବ ଲୋକଙ୍କୁ ବିଭିନ୍ନ ନୋଟିସ୍ କରାଯାଇଥିବା ପୋଲିସ ଅଧିକାରୀମାନେ ଏଡିଜିଙ୍କୁ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/election-1.jpg)