ପିପିଲି: ପିପିଲି ପୌରାଞ୍ଚଳରେ ଜଣେ ୭ବର୍ଷର ଶିଶୁକନ୍ୟାକୁ ଜଣେ ୬୮ ବର୍ଷର ବୃଦ୍ଧ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପିପିଲି ଅଞ୍ଚଳରେ ଗତ ୨ ମାସ ମଧ୍ୟରେ ଏହା ତୃତୀୟ ଦୁଷ୍କର୍ମ ଘଟଣା। ପୀଡ଼ିତାଙ୍କ ପରିବାରର ଅଭିଯୋଗ ଅନୁସାରେ ଅଭିଯୁକ୍ତ ବୃଦ୍ଧ ବଙ୍ଗାଳୀ ଫେରିବାଲା ତାଙ୍କ ଘର ପାଖରେ ଭଡ଼ାରେ ରୁହେ। ଝିଅଟି ରବର ବ୍ୟାଣ୍ତ କିଣିବାକୁ ଉକ୍ତ ଫେରିବାଲା ଘରକୁ ଯାଇଥିଲା। ନାବାଳିକା ଏକୁଟିଆ ଆସିଥିବାର ସୁଯୋଗ ପାଇ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା ଏବଂ କାହା ଆଗରେ ନ କହିବାକୁ ଧମକ ଦେଇଥିଲା। ତେବେ ରକ୍ତସ୍ରାବ ସାଙ୍ଗକୁ ଯନ୍ତ୍ରଣା ହେବାରୁ ଝିଅଟି ମା’ଙ୍କୁ କହିବା ପରେ ପରିବାର ଲୋକେ ପୀଡ଼ିତାଙ୍କୁ ତୁରନ୍ତ ପିପିଲି ହସ୍ପିଟାଲକୁ ନେଇଥିଲେ। ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଡାକ୍ତର କହିବାରୁ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

Advertisment

ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା ଖାକୁରଦା ଥାନା ସାବଳା ଗାଁର ଶେଖ ବରେଲି (୬୮)କୁ ଗିରଫ କରଛି। ଡାକ୍ତରୀ ପରୀକ୍ଷା କରାଯିବା ପରେ ଅଭିଯୁକ୍ତକୁ ପୁରୀ ପୋକ୍‌ସୋ କୋର୍ଟକୁ ଚାଲାଣ କରାଯିବ ବୋଲି ପିପିଲି ଥାନାର ତଦନ୍ତକାରୀ ଅଧିକାରୀ ସୁରମା ସ୍ବାଇଁ କହିଛନ୍ତି। ସୂଚନାଯୋଗ୍ୟ, ପିପିଲି ଅଞ୍ଚଳରେ ମାର୍ଚ୍ଚ ୨୨ ତାରିଖରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ସଂକୀର୍ତ୍ତନ କଳାକାର ଦୁଷ୍କର୍ମ କରି ୫ ମାସ ଗର୍ଭବତୀ କରାଇବା ଓ ସେହି ମାସ ୩୧ ତାରିଖରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ତା’ର ପିଉସା ଦୁଷ୍କର୍ମ କରିବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଏକ ନାବାଳିକା ଦୁଷ୍କର୍ମ ଘଟଣା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।