୧୬ରେ ପିପିଲି ଭୋଟ୍‌, ଗଣତି ୧୯ରେ

ଭୁବନେଶ୍ବର : ଭାରତର ନିର୍ବାଚନ କମିସନ ଆଜି ପିପିଲି ଉପନିର୍ବାଚନ ତାରିଖ ପୁଣି ଥରେ ପରିବର୍ତ୍ତନ କରିଛନ୍ତି। ମେ’ ୧୩ ନୁହେଁ, ବରଂ ମେ’ ୧୬ ତାରିଖରେ ପିପିଲିରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବ। ମେ’୧୯ ତାରିଖରେ ଭୋଟଗଣତି ଏବଂ ମେ’୨୧ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ୧୩ ତାରିଖରେ ଇଦ୍‌ ଉଲ୍ ଫିତର ପଡ଼ିପାରେ ବୋଲି କିଛି ଦରଖାସ୍ତ ଭାରତର ନିର୍ବାଚନ କମିସନଙ୍କ ସାମ୍ନାକୁ ଆସିଥିଲା। ଏଣୁ ତାରିଖ ପରିବର୍ତ୍ତନ କରାଯାଇଛି।

ଏହି ଅବସରରେ ଶ୍ରୀ ଲୋହାନୀ କୋଭିଡ୍ ସଂକ୍ରମଣ ପରିପ୍ରେକ୍ଷୀରେ ନିର୍ବାଚନ କଟକଣା ନେଇ ବି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପିପିଲି ଉପନିର୍ବାଚନ ଲାଗି ୪୮ ଘଣ୍ଟା ନୁହେଁ, ବରଂ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହେବ। ଅର୍ଥାତ୍ ୧୩ ତାରିଖ ସନ୍ଧ୍ୟା ପରେ କେହି ପ୍ରଚାର କରିପାରିବେ ନାହିଁ। କୋଭିଡ୍‌ ଭୟାବହତା କାରଣରୁ ନିର୍ବାଚନ କମିସନ ଏଥର ସ୍ଥାନୀୟ ସରକାରଙ୍କ କରୋନା କଟକଣା ସଂକ୍ରାନ୍ତ ନିର୍ଦେଶନାମା କାର୍ଯ୍ୟକାରୀ ନେଇ ଅନୁମତି ଦେଇଛନ୍ତି। ୧୯ ତାରିଖ ଦିନ ରାଜ୍ୟ ସରକାର ନିର୍ବାଚନରେ ରାଲି, ସମାବେଶ ଆଦି ଉପରେ କଟକଣା ଜାରି କରିଛନ୍ତି। ରାଜନୈତିକ ଦଳମାନେ ପିପିଲିରେ ଏସବୁକୁ ଅନୁମତି ଦିଆଯିବ ନାହିଁ। ରାଜନୈତିକ ଦଳମାନେ ଭର୍ଚୁଆଲରେ ଅଥବା ସର୍ବାଧିକ ୫ଜଣ ଦୁଆର ଦୁଆର ବୁଲି ପ୍ରଚାର କରିପାରନ୍ତି। ଏ କ୍ଷେତ୍ରରେ ସ୍ପଷ୍ଟ ନିର୍ଦେଶ ରହିଛି, ଯଦି କେହି କୋଭିଡ୍ କଟକଣା ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ।

ଭାରତର ନିର୍ବାଚନ କମିସନ ନିଷ୍ପତ୍ତି ନେଇଛନ୍ତି ଯେ ରାଜନୈତିକ ଦଳମାନେ ପ୍ରଚାର ବେଳେ ମାସ୍କ, ସାନିଟାଇଜର ଆଦି ବାବଦରେ ଖର୍ଚ୍ଚ କରିପାରିବେ। ଏହା ତାଙ୍କ ନିର୍ବାଚନ ଖର୍ଚ୍ଚ ତାଲିକାରେ ମଧ୍ୟ ଦେଖାଇବାକୁ ହେବ। ଶ୍ରୀ ଲୋହାନୀ କହିଛନ୍ତି, ଭୋଟ ଗ୍ରହଣ ଦିନ ସାମାଜିକ ଦୂରତା ନିଶ୍ଚୟ ରହିବ ଏବଂ ସମସ୍ତଙ୍କୁ କମିସନଙ୍କ ପକ୍ଷରୁ ଗୋଭ୍ଲ୍‌ସ ଦିଆଯିବ। ସେମାନଙ୍କ ଶରୀରର ତାପମାତ୍ରା ମପାଯିବ। ଯଦି ଉତ୍ତାପ ଥାଏ, ତେବେ ଗୋଟିଏ ଟୋକନ୍ ଦିଆଯିବ ଓ ସମସ୍ତେ ଭୋଟ ଦେଇ ଯିବା ପରେ ସଂପୃକ୍ତ ବ୍ୟକ୍ତି ଆଉଥର ଆସି ଭୋଟଦେଇପାରିବେ। କୌଣସି ପରିସ୍ଥିତିରେ ବି ଭୋଟଗ୍ରହଣ କେନ୍ଦ୍ରରେ ଭିଡ଼କୁ ଅନୁମତି ଦିଆଯିବ ନାହିଁ।

ଉଲ୍ଲେଖଯୋଗ୍ୟ, ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେଉଛି। ଏପ୍ରିଲ ୧୭ ତାରିଖରେ ପ୍ରଥମେ ନିର୍ବାଚନ ହେବାର ଥିଲା। ମାତ୍ର କରୋନା କାରଣରୁ କଂଗ୍ରେସ ପ୍ରାର୍ଥୀ ଅଜିକ ମଙ୍ଗରାଜଙ୍କର ଦେହାନ୍ତ ହେବାରୁ କମିସନ ନିର୍ବାଚନକୁ ସ୍ଥଗିତ ରଖିଥିଲେ। ପରେ ମେ’ ୧୩ ତାରିଖରେ ସାନି ଭୋଟ ଗ୍ରହଣ ପାଇଁ ତାରିଖ ଧାର୍ଯ୍ୟ େହାଇଥିଲା, ଯାହା ଆଜି ପୁଣି ପରିବର୍ତ୍ତନ ହୋଇଛି।

ସମ୍ବନ୍ଧିତ ଖବର