ଭୁବନେଶ୍ବର/ପିପିଲି : ପିପିଲି ବିଧାନସଭା କ୍ଷେତ୍ର ପାଇଁ ଲଢ଼ୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କର ଆଜି ପରଲୋକ ହୋଇଯାଇଛି। କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୫୨ବର୍ଷ ହୋଇଥିଲା। ସପ୍ତାହେ ଧରି କରୋନା ବିରୋଧରେ ଲଢ଼ିବା ପରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବା ଅପରାହ୍ଣରେ ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ସ୍ବର୍ଗତ ମଙ୍ଗରାଜଙ୍କ ପୁଅ ପିପିଇ କିଟ୍ ପିନ୍ଧି ମୁଖାଗ୍ନି ଦେଇଛନ୍ତି। ସ୍ବର୍ଗତଃ ମଙ୍ଗରାଜଙ୍କ ବିୟୋଗରେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅନ୍ୟପକ୍ଷରେ ଆସନ୍ତା ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିବା କହିଛନ୍ତି ରିଟର୍ଣ୍ଣିଂ ଅଫିସର ପ୍ରଦୀପ ସାହୁ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ଏହି ଉପନିର୍ବାଚନ ସ୍ଥଗିତ ରହିଛି। ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି, କଂଗ୍ରେସ ପ୍ରାର୍ଥୀଙ୍କ ମତ୍ୟୁ ଖବର ସଂପର୍କରେ ଭାରତର ନିର୍ବାଚନ କମିସନଙ୍କୁ ଜଣାଇ ଦିଆଯାଇଛି। ପରବର୍ତୀ ତାରିଖ ସଂପର୍କରେ କମିସନ ହିଁ ନିଷ୍ପତ୍ତି ନେବେ। ସେବେ କେବଳ କଂଗ୍ରେସ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାକୁ ହେବ। ଅନ୍ୟସମସ୍ତଙ୍କ ପ୍ରାର୍ଥିପତ୍ର କାଏମ୍ ରହିବ।
ଅଜିତଙ୍କ ମୃତ୍ୟୁ ପରେ ସବୁ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟ ବନ୍ଦ ରହିଛି। ଦୀର୍ଘ ଦିନ ଧରି ପିପିଲି ନିର୍ବାଚନମଣ୍ଡଳୀରେ ଡେରା ପକାଇଥିବା ନେତାମାନେ ମଧ୍ୟ ଫେରିଆସିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆଜି ଅପରାହ୍ନରେ ଆପୋଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି, ସ୍ବର୍ଗତ ମଙ୍ଗରାଜ କରୋନା ଚିହ୍ନଟ ପରେ ଗତ ୭ ତାରିଖରେ ଆପୋଲୋର କୋଭିଡ୍ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲର କ୍ରିଟିକାଲ କେୟାର, କାର୍ଡିଓଲୋଜି ଓ ପଲମୋନାରି ମେଡିସିନ୍ ବିଭାଗର ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ। ତାଙ୍କୁ ଏନ୍ଆଇଭିରେ ରଖାଯିବା ସହିତ ସମସ୍ତ ଚିକିତ୍ସା ସୁବିଧା ଦିଆଯାଇଥିଲା। ସବୁ ପ୍ରକାର ପ୍ରଚେଷ୍ଟା ସତ୍ତ୍ବେ ଆଜି ପ୍ରାୟ ୪ଟାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।
ଅଜିତଙ୍କ ମୃତ୍ୟୁ ଖବର ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ବେରବୋଇରେ କଂଗ୍ରେସର ନିର୍ବାଚନୀ ପ୍ରଚାର ସମୟରେ ଅଜିତ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ମୁଣ୍ଡ ବୁଲାଇବା ସହ ଘଟଣାସ୍ଥଳରେ ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଡେଲାଙ୍ଗ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ୮ଘଣ୍ଟାର ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ମାତ୍ର ସେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।