କଟକ : ପିପିଲି ଥାନା ଅନ୍ତର୍ଗତ ଦାନଗୋହିର ଗ୍ରାମରେ ନିଆଁ ଲଗାଇ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରିବା ଘଟଣାରେ ରାଜ୍ୟ ମାନବାଧିକାର କମିସନ ରିପୋର୍ଟ ତଲବ କରିଛନ୍ତି। ଏହି ଘଟଣାର ତଦନ୍ତ କରି ୪ ସପ୍ତାହ ଭିତରେ ରିପୋର୍ଟ ଦାଖଲ ପାଇଁ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟର ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି କରି କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮, ଫେବ୍ରୁଆରି ୧୧ ତାରିଖ ରାତିରେ ଦାନଗୋହିର ଗାଁର ମହମ୍ମଦ ଅବଦୁଲଙ୍କ ଘରେ କେହି ନିଆଁ ଲଗାଇ ଦେଇଥିଲା। ଘର ଭିତରେ ବାପା, ମା’ ଓ ଝିଅ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ବାହାରୁ ତାଲା ପକାଇ ଘରେ ନିଆଁ ଲଗାଇ ଦେଇଥିଲେ। ବାହାରୁ ତାଲା ପଡିଥିବାରୁ ଅବଦୁଲ ଓ ତାଙ୍କ ପରିବାର ସଦସ୍ୟ ଘରୁ ବାହାରି ପାରି ନଥିଲେ। ଘଟଣା ଦିନ ଅବଦୁଲ(୬୫) ଓ ଝିଅ ନାଜୋ(୧୨)ଙ୍କ ମୃତ୍ୟୁ ହୋଇଥିଲା। ମାଆ ରହିମା(୫୫)ଙ୍କର ୧୩ ତାରିଖ ଦିନ ଏସ୍ସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଘଟଣାର ୬ ଦିନ ପରେ ମଧ୍ୟ ଅଭିଯୁକ୍ତମାନେ ଧରାପଡିନାହାନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ କରାଯିବା ଆବଶ୍ୟକ ଦର୍ଶାଇ ଶ୍ରୀ ମିଶ୍ର କମିସନଙ୍କ ନିକଟରେ ଆବେଦନ ଦାଖଲ କରିଛନ୍ତି। ଏଥି ସହିତ ପୀଡିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ସେ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/odisha-hrc.jpg)