ପିପିଲିର ଦୁଃଖ ବଢ଼ାଉଛି ଦୟା, କଣ୍ଟି କାଜ ବନ୍ଦ କରିବାକୁ ଦାବି

ପିପିଲି : ଦୟାନଦୀରେ ବନ୍ୟା ଆସିଲେ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ୍‌ ଅଞ୍ଚଳର ଦୁଃଖ ବଢ଼ିଯାଏ। ଦୟାନଦୀର ଭାରତୀପୁର, ଓ କଣ୍ଟି (ଏସକେପ୍) କାଜ ଦେଇ ବନ୍ୟାଜଳ ପିପିଲି ବ୍ଲକ୍‌ର ଭାରତୀପୁର, କଣ୍ଟି, ବାରିମୂଳ, କେରୁଣ୍ଡେଇ, ନାରଣଖେତା, ହାଟସାହି, ଜମ୍ବିଲା, ମାଧିପୁର, ଗୁନ୍ଥଳ, ଡେଲାଙ୍ଗ ବ୍ଲକ୍‌ର ମଳିଗାଁ, ଚାଇଁପୁର, ଅରିଶଲ, ସୁଜନପୁର, କୋଠବାଡ଼, ମୁନିନ୍ଦା ଓ କଣାସ ବ୍ଲକ୍‌ର ତ୍ରିଲୋଚନପୁର, ସିରେଇ, କଣାସ, ବିଜିପୁର, ଖଣ୍ଡହତା, ଗଡ଼ିଶାଗୋଦା, ବିନ୍ଧଣ, ଆଳିବାଡ଼ ଆଦି ପଞ୍ଚାୟତର ଅନେକ ଗାଁ ପ୍ରଭାବିତ ହେବା ସହ ଚାଷ ଜମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥାଏ। ପୂର୍ବରୁ ଏହି କାଜ ଦେଇ ବନ୍ୟା ଜଳ ପ୍ରବେଶ କରିବା ଯୋଗୁ ପନିପରିବା ଓ ଧାନ ଫସଲ ଉଜୁଡ଼ି ଯାଇଛି। ଅନେକ ଲୋକ ବାସହରା ହୋଇପଡ଼ିଛନ୍ତି। ପଶୁସମ୍ପଦ ମଧ୍ୟ ପ୍ରଭାବିତ ହୋଇଛି। ତତ୍‌କାଳୀନ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଜଦି ଜଳସମ୍ପଦ ଓ ଡ୍ରେନେଜ ବିଭାଗ ଗୁରୁତ୍ବ ଦେଇ କାର୍ଯ୍ୟକାରୀ କରିଥାନ୍ତେ ଓ କାଜ ଦୁଇଟିକୁ ବନ୍ଦ କରିଥାନ୍ତେ, ତାହେଲେ ଆଜି ୩ଟି ବ୍ଲକ୍‌ର ହଜାର ହଜାର ଲୋକେ ବନ୍ୟା ଦୁର୍ଦ୍ଦଶା ଭୋଗି ନଥାନ୍ତେ।

ସୂଚନାଯୋଗ୍ୟ ୨୦୧୫ ଅଗଷ୍ଟ ୧୯ରେ ତତକାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଉପଜିଲ୍ଲାପାଳ ମଧୁସୂଦନ ଦାଶ, ପିପିଲି ତହସିଲଦାର ଦେବଜାନୀ ଧଳ ଓ ପିପିଲି ବିଡିଓ କମଳଜିତ ଦାସ କଣ୍ଟି ଓ ଭାରତୀପୁର କାଜର ତଦାରଖ କରିବା ସହ ବନ୍ୟା ନିୟନ୍ତ୍ରଣ ପାଇଁ ଇଂରେଜ ଅମଳର ଏହି କାଜ ଦୁଇଟି ବନ୍ଦ ହେବା ନିହାତି ଆବଶ୍ୟକ ବୋଲି ଉପଲବ୍‌ଧି କରିଥିଲେ। ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକ୍‌ ଅଧିବାସୀମାନଙ୍କର ବୃହତର ସ୍ବାର୍ଥ ଦୃଷ୍ଟିରୁ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପାଇଁ କାଜ ଦୁଇଟିକୁ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଏକ ଜରୁରୀ ଚିଠିରେ କଟକସ୍ଥିତ ଡ୍ରେନେଜ ବିଭାଗର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଲାନି। ତେବେ ଦୀର୍ଘ ୭ ବର୍ଷ ବିତିଯାଇଥିଲେ ମଧ୍ୟ ନିରୀହ ଲୋକେ କଣ୍ଟି କାଜ ଯୋଗୁ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି। ଏନେଇ ଏଠାରେ ଏକ ବଡ଼ ଧରଣର ଆନ୍ଦୋଳନ ଏବେ ଦାନା ବାନ୍ଧୁଛି। ତେବେ ପୁରୀ ଜିଲ୍ଲାପାଳ ଓ ବିଭାଗୀୟ ସଚିବ ତୁରନ୍ତ ଏହି କାଜ ଦୁଇଟିକୁ ବନ୍ଦ କରିବା କ୍ଷେତ୍ରରେ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର