ପିପିଲି ଗଣଦୁଷ୍କର୍ମ ମାମଲାକୁ ୬ ବର୍ଷ: ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପାଇଁ ଦାବି

କଟକ : ପିପିଲି ଗଣ ଦୁଷ୍କର୍ମ ମାମଲାରେ ଜଷ୍ଟିସ ପି.କେ.ମହାନ୍ତି କମିଶନ ପ୍ରଦାନ କରିଥିବା ରିପୋର୍ଟକୁ ଦେଢବର୍ଷ ପୂରିଲାଣି । କିନ୍ତୁ ଏ ଯାଏ ରିପୋର୍ଟ ପ୍ରକାଶିତ ହୋଇନାହିଁ । ଏ କ୍ଷେତ୍ରରେ ସରକାର ନିରବଦ୍ରଷ୍ଟା ହୋଇ ବସିଛନ୍ତି । କେବଳ ପିପିଲି ଘଟଣା ନୁହେଁ ଆୟୁଷ ଡାକ୍ତର ମାଧବୀଲତା, ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟାମାମଲାରେ ସରକାର ହାତବାନ୍ଧି ବସିଛନ୍ତି । ତେଣୁ ଏଥିରୁ ସରକାରଙ୍କ ନାରୀଙ୍କ ପ୍ରତି ଦରଦ ଓ ସମ୍ବେଦନଶୀଳତା ବାରି ହୋଇପଡୁଛି। ବହୁଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାକୁ ୬ ବର୍ଷ ପୂରିଥିବାବେଳେ ଏଥିରେ ସରକାରଙ୍କ ସ୍ଥାଣୁତାକୁ ନେଇ ଅଭିଯୋଗ ଆଣିଛନ୍ତି ଯୁବ ଆଇନଜୀବୀ ତଥା ସାମାଜିକ କର୍ମୀ ନିଶିକାନ୍ତ ମିଶ୍ର ।

କଟକଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଏହି ଅଭିଯୋଗ ଆଣିବା ସହ ଏ ନେଇ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ୨୦୧୧ରେ ଅର୍ଜୁନଗୋଦାର ବେବିନା ବେହେରା ଗଣଦୁଷ୍କର୍ମର ଶିକାର ହୋଇ ୨୦୧୨ ଜୁନ୍‌ ୨୧ରେ ଆଖି ବୁଜିିଥିଲେ । ଏହି ଘଟଣାର ତଦନ୍ତ କରି ଜଷ୍ଟିସ୍‌ ପି.କେ.ମହାନ୍ତି କମିଶନ ୨୦୧୬ ମାର୍ଚ ୩୦ରେ ସରକାରଙ୍କୁ ରିପୋର୍ଟ ଦେଇଥିଲେ । ମାତ୍ର ୨୦ ମାସ ପରେ ବି ସରକାର ରିପୋର୍ଟକୁ ଚାପି ରଖି ସରକାରୀ ଅଧିକାରୀଙ୍କୁ ଘଣ୍ଟ ଘୋଡାଇ ରଖିଛନ୍ତି । ଏହି ମାମଲରେ ତତ୍କାଳୀନ ଆଇଆଇସି ଅମୂଲ୍ୟ ଚମ୍ପତିରାୟଙ୍କୁ ବରଖାସ୍ତ କରାଯାଇଥିଲେ ମଧ୍ୟ ପରେ ସେ ଏଥିରୁ ଖସି ଯାଇଛନ୍ତି ।

ଏବେ ପୁଣି ସେ ପୁଲିସ୍‌ ବିଭାଗରେ ଯୋଗ ଦେଇଛନ୍ତି । ଏଥିରୁ ସରକାର କାର୍ଯାନୁଷ୍ଠାନରେ କେତେ ଯତ୍ନଶୀଳ ତାହା ଜଣାପଡୁଛି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ରିପୋର୍ଟକୁ ସାର୍ବଜନୀନ କରିବା ସହିତ କମିଶନଙ୍କ ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି। ସେହିପରି ବ୍ରହ୍ମଗିରିର ଆୟୂଷ ଡାକ୍ତର ମାଧବୀଲତା ହତ୍ୟା ମାମଲାର ଫାଇଲ୍‌ ବନ୍ଦ ହୋଇଥିବାବେଳେ ଇତିଶ୍ରୀ ମାମଲାରେ ଅପରାଧୀ ଧରାପଡୁନଥିବା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । କୁନ୍ଦୁଲୀ ଗଣଧର୍ଷଣ ଘଟଣାରେ ପୁଲିସ୍‌ ଓ ପ୍ରଶାସନର ଭୂମିକା ଅତ୍ୟନ୍ତ ସନ୍ଦେହଜନକ ବୋଲି ଶ୍ରୀ ମିଶ୍ର ଅଭିଯୋଗ ଆଣିଥିବାବେଳେ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର