ବହୁଚର୍ଚିତ ପିପିଲି ଗଣଦୁଷ୍କର୍ମ ମାମଲା : ଦୁଇ ଅଭିଯୁକ୍ତ ନିର୍ଦୋଷରେ ଖଲାସ

ଭୁବନେଶ୍ବର : ବହୁଚର୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ମାନ୍ୟବର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ କୋର୍ଟ ଦୁଇ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି। ସେମାନେ ହେଲେ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନ। କୋର୍ଟଙ୍କ ଏଭଳି ରାୟ ପରେ କ୍ରାଇମବ୍ରାଞ୍ଚର ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏତେ ବଡ଼ ଘଟଣାକୁ କ୍ରାଇମବ୍ରାଞ୍ଚ କେମିତି ହାଲୁକା ଢଙ୍ଗରେ ତଦନ୍ତ କଲା ଓ ତଦନ୍ତକାରୀ ଅଫିସର ଭୂମିକାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

ଘଟଣା ଘଟିଥିଲା ୨୦୧୧ ମସିହା ନଭେମ୍ବର ମାସ ୨୯ ତାରିଖରେ। ସେଦିନ ନାବାଳିକାଙ୍କୁ ବିଲ ମଧ୍ୟରୁ ଉଦ୍ଧାର କରିଥିଲେ ପରିବାର ଓ ଗାଁ ଲୋକେ। ପ୍ରଥମେ ନାବାଳିକାଙ୍କୁ ପିପିଲି ହସ୍ପିଟାଲ ପରେ କ୍ୟାପିଟାଲ ହସ୍ପିଟାଲ ଓ କଟକ ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେତେବେଳେ ଘଟଣାକୁ କେହି ଏତେଟା ଗୁରୁତ୍ବ ଦେଇ ନ ଥିଲେ। ଘଟଣାର ଠିକ୍ ୪ ମାସ ପରେ ନାବାଳିକାଙ୍କୁ ଆମ୍ବୁଲାନ୍ସ ଓ ଷ୍ଟ୍ରେଚର୍‌ ଯୋଗେ ରାଜ୍ୟ ମାନବାଧିକାର କମିସନ୍‌ଙ୍କୁ ଆଣିଥିଲେ ପରିବାର ଲୋକ। ଏହିଠାରୁ ହିଁ ଘଟଣା ଗଣମାଧ୍ୟମ ପାଖକୁ ଆସିଥିଲା। ରାଜ୍ୟ ମାନବାଧିକାର କମିସନ୍‌ଙ୍କ କାର୍ଯ୍ୟାଳୟ ନିକଟରେ ଶହଶହ ଲୋକ ରୁଣ୍ତ ହୋଇ ଯାଇଥିଲେ। ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତା ଓ ନେତ୍ରୀମାନେ ପହଞ୍ଚି ହୋ- ହଲ୍ଲା କରିଥିଲେ। ଘଟଣାକୁ ଗୁରୁତ୍ବର ସହିତ ନେଇ ନାବାଳିକାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ଓ ଗୋଟିଏ ଦିନ ପରେ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା। ପିପିଲି ପୁଲିସ ରାଜନୈତିକ ଚାପରେ ଘଟଣାକୁ ଚାପି ଦେଇଥିବା ବିରୋଧୀ ଦଳର ନେତାମାନେ ଅଭିଯୋଗ କରିଥିଲେ। ପିପିଲି ପୁଲିସ ଉପରେ ସନ୍ଦେହ ପ୍ରକଟ କରିଥିଲେ ବିରୋଧୀ ଦଳ ନେତା। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବି ତୁଫାନ ହେଲା। ରାଜ୍ୟ ସରକାର ତତ୍କାଳୀନ ପିପିଲି ଥାନା ଇନ୍ସପେକ୍ଟର ଅମୂଲ୍ୟ ଚମ୍ପତ୍ତିଙ୍କୁ କାର୍ଯ୍ୟରୁ ବହିଷ୍କାର କଲେ। ତତ୍କାଳୀନ ପୁରୀ ଏସ୍‌ପି ଅମିତେନ୍ଦ୍ର ନାଥ ସିହ୍ନାଙ୍କର ବଦଳି କରାଗଲା। ଏପରିକି ସେତେବେଳେ ମନ୍ତ୍ରୀ ଥିବା ପ୍ରଦୀପ ମହାରଥୀଙ୍କର ମଧ୍ୟ ମନ୍ତ୍ରୀ ପଦ ଚାଲିଗଲା।

ଏହାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ମାମଲା ନେଉ ନେଉ ତୁରନ୍ତ ଦୁଇ ଅଭିଯୁକ୍ତ ପ୍ରଶାନ୍ତ ଓ ସୁକାନ୍ତଙ୍କୁ ଗିରଫ କରିଥିଲା। ପରେ ୨୦୧୨ ଜୁନ ମାସ ୨୧ ତାରିଖରେ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଥିବାବେ‌ଳେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। କ୍ରାଇମବ୍ରାଞ୍ଚ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର, ପିପିଲି ଥାନା ଇନ୍ସପେକ୍ଟର ଓ ଅନ୍ୟ ଦୁଇ ଜଣଙ୍କୁ ଅଭିଯୁକ୍ତ କରିଥିଲେ ମଧ୍ୟ ଚାର୍ଜସିଟ୍‌ରେ ସେମାନଙ୍କ ନାଁ କାଟି ଦେଇଥିଲା। ଏପରିକି କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଗଣଦୁଷ୍କର୍ମ ବଦଳରେ ଅସଦାଚରଣ ଭଳି ଅଭିଯୋଗର ଫର୍ଦ ଦାଖଲ ହୋଇଥିଲା। କ୍ରାଇମବ୍ରାଞ୍ଚ୍‌ ତାର ତଦନ୍ତରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇଥିଲା। ହାଇକୋର୍ଟ ମଧ୍ୟ ଘଟଣା ଉପରେ ନଜର ରଖିଥିଲେ। ପୁରୀ କୋର୍ଟରେ ମାମଲାର ଶୁଣାଣି ହେଲେ ମାମଲା ପ୍ରଭାବିତ ହେବାର ଆଶଙ୍କା କରି ଭୁବନେଶ୍ବର କୋର୍ଟରେ ଶୁଣାଣି କରିବାକୁ ନି‌ର୍ଦେଶ ଦେଇଥିଲେ। ଏହାଛଡ଼ା ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କମିସନ ତାଙ୍କ ରିପୋର୍ଟ ଦୁଇ ବର୍ଷ ତଳେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ।

ଏଭଳି ସମୟରେ ଆଜି ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟ ଏଭଳି ଏକ ବହୁଚର୍ଚିତ ମାମଲାର ଶୁଣାଣିବେଳେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ସମୁଦାୟ ୯୯ ଜଣ ସାକ୍ଷୀ ଥିବାବେଳେ ୭୬ ଜଣ କୋର୍ଟରେ ସାକ୍ଷୀ ଦେବାକୁ ଆସିଥିଲେ। ସାକ୍ଷୀମାନଙ୍କ ବୟାନରେ କୌଣସି ତାଳମେଳ ରହି ନ ଥିଲା। କ୍ୟାପିଟାଲ ହସ୍ପିଟାଲ ଓ ଏମ୍‌ସ ହସ୍ପିଟାଲର ଡାକ୍ତରୀମାଇନା ରିପୋର୍ଟରେ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ବିଷୟରେ କୌଣସି କଥା ଉଲ୍ଲେଖ ନଥିଲା। ଏହାଛଡ଼ା କ୍ୟାପିଟାଲ ହସ୍ପିଟାଲ ଡାକ୍ତର, କଟକ ବଡ଼ ମେଡିକାଲ ଡାକ୍ତର, ପିପିଲି ଡାକ୍ତରଙ୍କ ରିପୋର୍ଟରେ ତାଳମେଳ ନ ଥିଲା। ଏହି ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ ନ ଥିଲେ। କ୍ରାଇମବ୍ରାଞ୍ଚ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମର କୌଣସି ପାରିପାର୍ଶ୍ବିକ ପ୍ରମାଣ କୋର୍ଟରେ ଉପସ୍ଥାପନ କରି ପାରି ନ ଥିଲା। ଯେଉଁ କାରଣରୁ ଅଭିଯୁକ୍ତ ଦ୍ବୟ କୋର୍ଟରୁ ନି‌ର୍ଦୋଷରେ ଖଲାସ ହେଲେ ବୋଲି ଅଭିଯୁକ୍ତମାନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ କବି ବଳବନ୍ତରାୟ ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ଏହା ଏକ ଗୁରତ୍ବପୂର୍ଣ ଓ ସମ୍ବେଦଶୀଳ ମାମଲା ଆଜି କୋର୍ଟରେ ଶୁଣାଣି ଚାଲିଥିବାବେଳେ ଜଣେ ବରିଷ୍ଠ ଅଧିକାରୀ କୋର୍ଟରେ ଉପସ୍ଥିତ ଥିଲେ। କୋର୍ଟ ରାୟ ପ୍ରକାଶ ପାଇଥିବା କାଗଜପତ୍ରକୁ ପୁଙ୍ଖୁନାପୁଙ୍ଖ ଭାବେ ଅନୁଧ୍ୟାନ କରାଯିବା ପରେ ଉପରିସ୍ଥ କୋର୍ଟକୁ ଯିବା ନେଇ ବିଚାର କରାଯିବ। ଘଟଣାର ତଦନ୍ତ କରୁଥିବା ଅବସରପ୍ରାପ୍ତ କ୍ରାଇମ୍‌ ବ୍ରାଞ୍ଚ ଡିଏସ୍‌ପି ରମେଶ ଚନ୍ଦ୍ର ସେଠୀ କହିଛନ୍ତି, ଏଥିରେ କ୍ରାଇମ୍‌ ବ୍ରାଞ୍ଚର କୌଣସି ତ୍ରୁଟି ନାହିଁ। ପିପିଲି ଘଟଣାର ୨ ମାସ ପରେ ମାମଲା ଥାନାରେ ରୁଜୁ ହେଲା ଓ ଏହାର ମାସକ ପରେ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଭାର ନେଇଥିଲା। ତଦନ୍ତ ବେଳେ ଘଟଣାର କେହି ପ୍ରତ୍ୟେକ୍ଷଦର୍ଶୀ ନଥିଲା। ପୀଡ଼ିତାଙ୍କ ବାପା, ମା’ଙ୍କ ବୟାନରେ ତାଳମେଳ ରହିଲା ନାହିଁ। ହାଇକୋର୍ଟ ପୂରା ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଥିଲେ। ତେଣୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ କୌଣସି ଅବହେଳା କରି ନଥିଲା।

ସମ୍ବନ୍ଧିତ ଖବର