ପିପିଲି ଗଣଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁକୁ ୧୦ ବର୍ଷ ପୂରିଲା: ୬ ବର୍ଷ ହେଲା ତଦନ୍ତ କମିସନଙ୍କ ରିପୋର୍ଟକୁ ଚାପି ରଖିଛନ୍ତି ସରକାର

ଭୁବନେଶ୍ବର : ବହୁ ଚର୍ଚ୍ଚିତ ପିପିଲି ଗଣ ଧର୍ଷଣ ଓ ହତ୍ୟା ମାମଲାକୁ ୧୦ବର୍ଷ ପୂରିଛି। ହେଲେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ପୀଡିତାଙ୍କ ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ପୀଡ଼ିତାଙ୍କ ମୃତ୍ୟୁର ୧୦ ବର୍ଷ ପରେ ମଧ୍ୟ ତଦନ୍ତ କମିସନଙ୍କ ରିପୋର୍ଟ ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ। ଏଥିରୁ ସରକାରଙ୍କ ନାରୀ ସୁରକ୍ଷା ମାନସିକତା ବାରି ହୋଇପଡ଼ୁଛି ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।

ଶ୍ରୀ ମିଶ୍ର କହିଛନ୍ତି ଯେ ୨୦୧୧ରେ ପିପିଲି ଥାନା ଅର୍ଜୁନଗୋଦାରେ ଦୁଷ୍କର୍ମର ଶିକାର ହୋଇଥିଲେ ବେବିନା। ମୃତ୍ୟୁ ସହ ସଂଘର୍ଷ କରି ୨୦୧୨ ଜୁନ୍ ୨୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଯାଇଛି, ତାହା ତଦନ୍ତ କରିବା ପାଇଁ ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ପି.କେ.ମହାନ୍ତିଙ୍କୁ ନେଇ ତଦନ୍ତ କମିସନ ଗଠିତ ହୋଇଥିଲା। କେଉଁ ପରିସ୍ଥିତିରେ ଘଟଣା ଘଟିଲା, ଏଥିପାଇଁ ଉତ୍ତରଦାୟୀ କିଏ ଓ ପୁଲିସର ଭୂମିକା ଠିକ୍ ଥିଲା କି ନାହିଁ ଆଦି ତିନୋଟି ମୁଖ୍ୟ ବିନ୍ଦୁ ଉପରେ କମିସନ ତଦନ୍ତ କରିଥିଲେ। ଦୀର୍ଘ ୪ ବର୍ଷ କାଳ ତଦନ୍ତ ସମୟରେ କମିସନଙ୍କ ନିକଟରେ ୫୦ରୁ ଅଧିକ ସତ୍ୟପାଠ, ପ୍ରାୟ ୫୦ ଜଣଙ୍କୁ ଜେରା ସହ ୧୦୦ରୁ ଅଧିକ ସିଟିଂ ହୋଇଥିଲା। ୨୦୧୬ ମାର୍ଚ ୩୦ରେ କମିସନ ତାଙ୍କର ୪ଶହ ପୃଷ୍ଠାର ଏକ ଦୀର୍ଘ ରିପୋର୍ଟ ଦାଖଲ କରିଥିଲେ। କିନ୍ତୁ ରିପୋର୍ଟ ଦାଖଲ ହେବାର ୬ ବର୍ଷ ପରେ ବି ରାଜ୍ୟ ସରକାର ନିଜ ପାଖରେ ଏହାକୁ ଚାପି ରଖିଛନ୍ତି।

ସରକାରୀ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଯାଉଛି। ତେଣୁ ତୁରନ୍ତ ତଦନ୍ତ କମିସନଙ୍କ ରିପୋର୍ଟକୁ ବିଧାନସଭାରେ ଆଗତ କରି ସାର୍ବଜନୀନ କରିବା ସହିତ କମିସନଙ୍କ ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି। ସେହିପରି ଏହି ଘଟଣାରେ ତଦନ୍ତ ଠିକ୍ ଭାବେ କରାଯାଇ ନ ଥିବାରୁ ତଳ କୋର୍ଟରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହୋଇଯାଇଛନ୍ତି। ସରକାର ହାଇକୋର୍ଟରେ ଅପିଲ୍ କରିଥିଲେ ମଧ୍ୟ ନିଜ ଆଡ଼ୁ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି। ଯାହା ଫଳରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳିବା ନେଇ ଆଶଙ୍କା ଦେଖାଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର